Advertisment

ବୈଷ୍ଣୋ ଦେବୀ ଯାତ୍ରା ସମୟରେ ପ୍ରବଳ ବର୍ଷା ଓ ଭୂସ୍ଖଳନ: ୫ ମୃତ, ୧୪ ଆହତ

ଏହାପୂର୍ବରୁ ଡୋଡା ଜିଲ୍ଲାରେ ବାଦଲ ଫଟା ବର୍ଷା ପରେ ଆସିଥିବା ଅଚାନକ ବନ୍ୟା ୪ ଜଣଙ୍କ ଜୀବନ ନେଇଥିଲା। ଏହାର ଅର୍ଥ ଭୂସ୍ଖଳନ ଓ ବାଦଲ ଫଟା ବର୍ଷା ଯୋଗୁ ଉପତ୍ୟକାରେ ୯ ଜଣଙ୍କ ମୃତ୍ୟୁ ହେଲାଣି।

author-image
Hemant Lenka
Land slide

Land slide

ଜମ୍ମୁ-କଶ୍ମୀରର ତ୍ରିକୁଟା ପାହାଡ଼ ଉପରେ ଥିବା ମାତା ବୈଷ୍ଣୋ ଦେବୀଙ୍କ ଧର୍ମସ୍ଥଳକୁ ସଂଯୋଗ କରିଥିବା ରାସ୍ତାରେ ଭୟଙ୍କର ଭୂସ୍ଖଳନ ହୋଇଛି। ପ୍ରବଳ ବର୍ଷା ଯୋଗୁ ଆଜି ହୋଇଥିବା ଭୂସ୍ଖଳନରେ ୫ ଜଣ ପ୍ରାଣ ହରାଇଥିବା ବେଳେ ୧୪ ଜଣ ଆହତ ହୋଇଛି। ଏବେ ବି ଜମ୍ମୁ-କଶ୍ମୀରରେ ପ୍ରବଳ ବର୍ଷା ଲାଗି ରହିଛି। ବିଭିନ୍ନ ସ୍ଥାନରେ ପାହାଡ଼ ଧସି ଥିବା ବେଳେ ଅଚାନକ ବନ୍ୟା ପୂରା ଉପତ୍ୟକାକୁ ଅସ୍ତବ୍ୟସ୍ତ କରିଛି।

Advertisment

ଭୂସ୍ଖଳନ ଯୋଗୁ ଜମ୍ମୁ-କଶ୍ମୀରର ରୈସି ଜିଲ୍ଲାରୁ ଆରମ୍ଭ ହେଉଥିବା ବୈଷ୍ଣୋ ଦେବୀ ଯାତ୍ରାକୁ ଅସ୍ଥାୟୀ ରୂପ ବନ୍ଦ କରି ଦିଆଯାଇଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଇନ୍ଦରପ୍ରସ୍ଥ ଭୋଜନାଳୟ ନିକଟରେ ବଡ଼ଧରଣର ଭୂସ୍ଖଳନ ଆଜି ଦିନ ପ୍ରାୟ ୩ଟା ବେଳେ ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୪ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଉଦ୍ଧାର କାର୍ଯ୍ୟରେ ଆର୍ମି ଠାରୁ ଆରମ୍ଭ କରି ସ୍ଥାନୀୟ ଅଧିକାରୀମାନେ ନିୟୋଜିତ ହୋଇଛନ୍ତି। ସେହିପରି ଅନ୍ୟମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଏହାପୂର୍ବରୁ ଡୋଡା ଜିଲ୍ଲାରେ ବାଦଲ ଫଟା ବର୍ଷା ପରେ ଆସିଥିବା ଅଚାନକ ବନ୍ୟା ୪ ଜଣଙ୍କ ଜୀବନ ନେଇଥିଲା। ଏହାର ଅର୍ଥ ଭୂସ୍ଖଳନ ଓ ବାଦଲ ଫଟା ବର୍ଷା ଯୋଗୁ ଉପତ୍ୟକାରେ ୯ ଜଣଙ୍କ ମୃତ୍ୟୁ ହେଲାଣି। ସେହିପରି ଅଚାନବ ବନ୍ୟାରେ ୧୦ଟି ଘର ଭାସି ଯାଇଛି। ପ୍ରବଳ ବର୍ଷା ଯୋଗୁ ଫାଇବର କେବୁଲ କ୍ଷତିଗ୍ରସ୍ତ ହୋଇଛି। ତେଣୁ ମୋବାଇଲ ନେଟୱର୍କ ଠିକ ଭାବେ କାମ କରୁ ନାହିଁ। ପ୍ରବଳ ବର୍ଷା ଯୋଗୁ ନର୍ଦ୍ଦନ ରେଳବାଇ ୧୮ଟି ଟ୍ରେନକୁ ବାତିଲ କରିଛି।

ଉପତ୍ୟକାର ଅଧିକାଂଶ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଥିଯୋଗୁ ତଳିଆ ଅଞ୍ଚଳରେ ବନ୍ୟା ଭଳି ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି। କିଛି ସ୍ଥାନରେ ରାସ୍ତାଘାଟ ଧୋଇ ଯିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଲୋକଙ୍କୁ ଜଳାଶୟରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି।

ଲଗାଣ ବର୍ଷା ଯୋଗୁ ତାୱି ଓ ରବି ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ନଦୀର ପ୍ରଖର ସ୍ରୋତ ଏବେ ତଳିଆ ଅଞ୍ଚଳରେ ପ୍ରବେଶ କରୁଛି। କଠୁଆ ଠାରେ ରବି ନଦୀ ଏକାଧିକ ସ୍ଥାନରେ ବିପଦ ସଙ୍କେତ ପାର କରିଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରି ସାଂଘାତିକ ସ୍ଥିତି ସୃଷ୍ଟି କରିଛି।

କଶ୍ମୀର ଉପତ୍ୟକାକୁ କିସ୍ତୱାର ଜିଲ୍ଲାକୁ ସଂଯୋଗ କରୁଥିବା ସିନ୍ଥାନ ଟପ ପାସ୍‌ ବନ୍ଦ ରହିଛି। ରାମବନ ଜିଲ୍ଲାରେ ପାହାଡ଼ ଧସିବାରୁ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥ ବନ୍ଦ ହୋଇଯାଇଛି। ଜୋଜିଲା ପାସ୍‌ରେ ପ୍ରବଳ ତୁଷାର ପାତ ହେବାରୁ ଶ୍ରୀନଗର-ଲେହ ଜାତୀୟ ରାଜପଥରେ ଯାତାୟାତ ହୋଇପାରୁନି।

Jammu Kashmir Landslide