Advertisment

ବେଆଇନ ବାଣ କାରଖାନାରେ ବିସ୍ଫୋରଣ: ୫ ମୃତ, ୭ ଗୁରୁତର

ଏହି ଘଟଣା ପରେ ଆରମ୍ଭ ହୋଇଯାଇଛି ରାଜନୀତି।

author-image
Jitendra Garnayak
Explosion

Explosion

ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲ୍ଲାର ଏଗ୍ରାରେ ଆଜି ଏକ ବେଆଇନ ବାଣ ତିଆରି କାରଖାନାରେ ବିସ୍ଫୋରଣ ଘଟି ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ବିସ୍ଫୋରଣ ଏତେ ଭୟାନକ ଥିଲା ଯେ ଘରଟି ପୂରା ନଷ୍ଟ ହୋଇଯାଇଛି। ମୃତାହତମାନେ ଏଣେତେଣେ ଛିଟିକି ପଡ଼ିଥିଲେ। ପୁଲିସ କହିଛି ଯେ ଏକ ଆବାସିକ ଘରେ ବେଆଇନ ଭାବେ ଏହି ବାଣ କାରଖାନା ଚାଲିଥିଲା।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣାର ସିଆଇଡି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ଉକ୍ତ ଘରର ମାଲିକ ଫେରାର ହୋଇଯାଇଛନ୍ତି। ବେଆଇନ ବାଣ କାରଖାନା ଚଲାଇବା ମାମଲାରେ ପୂର୍ବରୁ ସେ ଗିରଫ ହୋଇଥିଲେ। କିନ୍ତୁ ଜାମିନ ପାଇ ଜେଲରୁ ମୁକୁଳିବା ପରେ ସେ ପୁଣି ଏହି କାମ ଆରମ୍ଭ କରି ଦେଇଥିଲେ। ସେ ଓଡ଼ିଶା ପଳାଇଥିବା ସୂଚନା ରହିଛି।

Advertisment

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗରେ ରାଜନୀତି ଆରମ୍ଭ ହୋଇଯାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସେଠାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ବୋମା ତିଆରି କରାଯାଉଥିଲା ବୋଲି ବିଜେପି ଅଭିଯୋଗ କରିଛି। 

ପଶ୍ଚିମବଙ୍ଗର ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର କହିଛନ୍ତି, ଅଭିଯୁକ୍ତ ଜଣେ ଟିଏମ୍‌ସି ନେତା। ସେଠାରେ ସେ ବୋମା ତିଆରି କରୁଥିଲେ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏଭଳି ଘଟଣା ସାମ୍ନାକୁ ଆସିବା ନିଶ୍ଚିତ ଭାବେ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଲୋକଙ୍କୁ ଡରାଇବା ପାଇଁ ଟିଏମ୍‌ସି ସେଠାରେ ବୋମା ତିଆରି କରୁଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହି ଘଟଣାର ତଦନ୍ତ କୌଣସି କେନ୍ଦ୍ରୀୟ ସଂସ୍ଥା ଦ୍ୱାରା କରିବାକୁ ରାଜ୍ୟ ବିଜେପି ଦାବି କରିଛି। ଶ୍ରୀ ମଜୁମଦାର କହିଛନ୍ତି, ଏହି ଘଟଣାର ଗୁରୁତ୍ୱକୁ ଅନୁଭବ କରି ତଦନ୍ତ ନିର୍ଦ୍ଦେଶ ଦେବାକୁ ମୁଁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଅନୁରୋଧ କରୁଛି।

ବିଜେପିର ଏଭଳି ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ତାହା ଏକ ବେଆଇ ବାଣ କାରଖାନା ଥିଲା। ଏଥିଯୋଗୁ ରାଜ୍ୟରେ କୌଣସି ପ୍ରକାର ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହୋଇନାହିଁ। ଏହି ଘଟଣାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଦ୍ୱାରା କରିବାକୁ ଦାବି କରାଯାଉଛି। ଏଥିରେ ଆମର କିଛି ଅସୁବିଧା ନାହିଁ। ଆମେ ଘଟଣାର ତଦନ୍ତ କରୁଛୁ। ତେବେ ଆରମ ଗୋଟିଏ ଦାବି ରହିଛି। ଯଦି ଏନ୍‌ଆଇଏ ଦ୍ୱାରା ତଦନ୍ତ ହେବ, ତା’ହେଲେ ଅଭିଯୁକ୍ତକୁ ଧରାଯାଉ। ଏହି ବେଆଇନ ବାଣ କାରଖାନା ସହିତ ଆମର କିଛି ସଂପର୍କ ନାହିଁ। ପୁଲିସକୁ ତା’ର କାର୍ଯ୍ୟ କରିବାକୁ ଦିଆଯାଉ।

West Bengal