ନିକ୍କି ଓ ସାହିଲ ଥିଲେ ପତିପତ୍ନୀ; ମିଳିଲା ପ୍ରମାଣପତ୍ର, ଆଉ ୫ ବନ୍ଧା ହେଲେ

କେବଳ ଲିଭ-ଇନ୍‌ରେ ରହୁ ନ ଥିଲେ, ଆର୍ଯ୍ୟ ସମାଜରେ ବିବାହ ବି କରିଥିଲେ ନିକ୍କି ଓ ସାହିଲ । ପୁଲିସ୍‌ ଉଭୟଙ୍କ ବିବାହ ପ୍ରମାଣପତ୍ର ବି ଜବତ କରି ସାରିଛି।

Nikki & Sahil PhotoReetfeed

ନିକ୍କି ଓ ସାହିଲ । (ଫାଇଲ ଫଟୋ)

Niharika Rout
  • Published: Saturday, 18 February 2023
  • Updated: 18 February 2023, 09:39 AM IST

କେବଳ ଲିଭ-ଇନ୍‌ରେ ରହୁ ନ ଥିଲେ, ଆର୍ଯ୍ୟ ସମାଜରେ ବିବାହ ବି କରିଥିଲେ ନିକ୍କି ଓ ସାହିଲ । ପୁଲିସ୍‌ ଉଭୟଙ୍କ ବିବାହ ପ୍ରମାଣପତ୍ର ବି ଜବତ କରି ସାରିଛି। ଏହି ଘଟଣାରେ ପୂର୍ବରୁ ସାହିଲ ବନ୍ଧା ହୋଇଥିବା ବେଳେ ଏବେ ତାଙ୍କ ବାପାଙ୍କ ସମେତ ଆଉ ୫ ଜଣ ବନ୍ଧା ହୋଇଛନ୍ତି। ତେବେ ନିକ୍କି ବିବାହ ପାଇଁ ରାଜି ନ ହେବାରୁ ସାହିଲ ତାଙ୍କ ହତ୍ୟା କରିଥିବା ପ୍ରଥମେ ସନ୍ଦେହ କରାଯାଉଥିବା ବେଳେ ଏବେ ପୁଣି ଥରେ ହତ୍ୟାର କାରଣକୁ ନେଇ ଦେଖାଦେଇଛି ସନ୍ଦେହ ।

ରାଜଧାନୀ ଦିଲ୍ଲୀରେ ଘଟିଥିବା ନିକ୍କି ଯାଦବ ହତ୍ୟା ମାମଲା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ପୁଲିସ୍‌ ପୂର୍ବରୁ ତାଙ୍କ ଲିଭ- ଇନ୍‌ ପାର୍ଟନର ତଥା ଘଟଣାର ମୁଖ୍ୟ ଅଭିଯୁକ୍ତ ସାହିଲ ଗେହଲୋଟଙ୍କୁ ଗିରଫ କରିଥିବା ବେଳେ ଏବେ ଆଉ ୫ ଜଣଙ୍କୁ ବାନ୍ଧିଛି। ସେମାନଙ୍କ ମଧ୍ୟରେ ସାହିଲଙ୍କ ବାପାଙ୍କ ସମେତ ସାଙ୍ଗ ଓ ସମ୍ପର୍କୀୟ ଭାଇ ବି ସାମିଲ ଅଛନ୍ତି। କ୍ରାଇମବ୍ରାଞ୍ଚ ସାହିଲଙ୍କ ପିତା ବିରେନ୍ଦ୍ର ସିଂ, ଭାଇ ଆଶିଷ ଏବଂ ନବୀନ, ବନ୍ଧୁ ଲୋକେଶ ଏବଂ ଅମରଙ୍କୁ ଗିରଫ କରିଛି।

Also Read

ପୁଲିସ ସୂତ୍ରରୁ ପ୍ରକାଶ ଯେ ନିକ୍କିଙ୍କ ସାଙ୍ଗ ଏବଂ ସମ୍ପର୍କୀ ଭାଇ ଖଣ୍ଡ ବିଖଣ୍ଡିତ ହୋଇଥିବା ତାଙ୍କ ଶରୀରକୁ ଫ୍ରିଜରେ ଲୁଚାଇବାରେ ସାହାଯ୍ୟ କରିଥିଲେ। ପୁଅ ନିକ୍କିକୁ ହତ୍ୟା କରି ସାରିଥିବା ସାହିଲଙ୍କ ପିତା ଜାଣିବି ପୁଅର ଅନ୍ୟତ୍ର ବିବାହ କରାଇଥିଲେ ଓ ଘଟଣାକୁ ଲୁଚାଇ ରଖିଥିଲେ। ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ଟିମ୍‌ ଏ ସମ୍ପର୍କରେ ସୂଚନା ଦେଇଛି। ପୁଲିସ କ୍ରମାଗତ ଭାବେ ଏହି ମାମଲାରେ ପ୍ରମାଣ ସଂଗ୍ରହରେ ବ୍ୟସ୍ତ ଅଛି ।

ସାହିଲ ଏବଂ ନିକ୍କି ଅକ୍ଟୋବର ୨୦୨୦ରେ ନୋଏଡାର ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିଥିଲେ। ଏହି ବିବାହରେ ସାହିଲଙ୍କ ପରିବାର ଅସନ୍ତୁଷ୍ଟ ଥିଲେ । ତେଣୁ ସେମାନେ ନିକିଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଥିଲେ।

ସାହିଲଙ୍କ ପରିବାର ଡିସେମ୍ବର ୨୦୨୨ରେ ପୁଅର ଅନ୍ୟତ୍ର ବିବାହ ସ୍ଥିର କରିଥିଲେ। ଏପରିକି ଝିଅ ଘର ନିକଟରେ ପୁଅ ବିବାହିତ ବୋଲି ଜଣାଇ ନ ଥିଲେ। ରିମାଣ୍ଡରେ ନେବାବେଳେ ସାହିଲ ଏବଂ ନିକ୍କିଙ୍କ ବିବାହ ପ୍ରମାଣପତ୍ରକୁ ପୁଲିସ ଜବତ କରିଛି।

ସୂଚନାଯୋଗ୍ୟ, ଅଭିଯୁକ୍ତ ସାହିଲ ଫେବୃଆରୀ ୧୦ ତାରିଖ ସକାଳ ୯ଟାରେ ନିକ୍କିଙ୍କୁ ହତ୍ୟା କରିଥିଲେ। ସେ ନିକ୍କିଙ୍କ ମୃତଦେହକୁ କାଟି ଏକ ଢାବାର ଫ୍ରିଜ୍‌ ମଧ୍ୟରେ ରଖି ଫେରାର ହୋଇଯାଇଥିଲେ। ସାହିଲ କାରରେ ଥିବା ମୋବାଇଲ ଡାଟା କେବୁଲକୁ ବ୍ୟବହାର କରି ନିକ୍କିଙ୍କୁ ହତ୍ୟା କରିଥିଲେ। ଏହାର ପ୍ରାୟ ୧୨ ଘଣ୍ଟା ପରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ

ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଫ୍ରିଜରୁ ଯୁବତୀଙ୍କ ଶରୀରର କଟାଖଣ୍ଡ ସବୁ ଉଦ୍ଧାର କରିଛି । ଏଥିରେ ତାଙ୍କ ସାଙ୍ଗ ଓ ସମ୍ପର୍କୀ ଭାଇ ସାହାଯ୍ୟ କରିଥିବା ସ୍ପଷ୍ଟ ହୋଇଛି।

ଗତ ଫେବୃଆରୀ ୧୦ରେ ନିକ୍କି ଗୋଆ ଯାତ୍ରା କରିବାକୁ ଯୋଜନା କରିଥିଲେ । କିନ୍ତୁ ତାଙ୍କ ପାର୍ଟନର ସାହିଲ ଅନ୍ୟତ୍ର ବିବାହ କରୁଥିବା ଜାଣିବା ପରେ ଗସ୍ତ ବାତିଲ କରିଥିଲେ। ଏହାପରେ କୌଣସି କାରଣକୁ ନେଇ ସାହିଲ ନିକ୍କିଙ୍କୁ ହତ୍ୟା କରି ଉକ୍ତ ଦିନ ହିଁ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଏଯାଏ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ସାହିଲଙ୍କୁ ଫାଶୀ ହେଉ ବୋଲି କହିଛନ୍ତି ନିକ୍କିଙ୍କ ପିତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos