ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ନକ୍ସଲ ନିହତ, ମୁଣ୍ଡ ଉପରେ ଥିଲା ୨୫ ଲକ୍ଷର ପୁରସ୍କାର

ନିହତ ୫ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୁଣ୍ଡରେ ୨୫ ଲକ୍ଷ ଟଙ୍କା ଲେଖାଏ ଓ ବାକି ୩ ଜଣଙ୍କ ସମ୍ପର୍କରେ ସୂଚନା ହାସଲ ପାଇଁ ୫ ଲକ୍ଷ ଲେଖାଏ ପୁରସ୍କାର ରାଶି ରହିଥିଲା। ‌

representational image

  • Published: Monday, 03 April 2023
  • , Updated: 03 April 2023, 02:50 PM IST

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୫ କୁଖ୍ୟାତ ନକ୍ସଲ। ନିହତ ୫ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୁଣ୍ଡରେ ୨୫ ଲକ୍ଷ ଟଙ୍କା ଲେଖାଏ ଓ ବାକି ୩ ଜଣଙ୍କ ସମ୍ପର୍କରେ ସୂଚନା ହାସଲ ପାଇଁ ୫ ଲକ୍ଷ ଲେଖାଏ ପୁରସ୍କାର ରାଶି ରହିଥିଲା। ‌ଆଜି ଝାରଖଣ୍ଡର ଛତ୍ରା ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ୫ ଜଣ ଯାକ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କ ମୃତଦେହ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ ହୋଇଛି।

ଛତ୍ରା ଏସ୍‌ପି ରାକେଶ ରଞ୍ଜନ କହିଛନ୍ତି, ଲାୱାଲଙ୍ଗ ପୁଲିସ୍‌ ଷ୍ଟେସନ ଅଞ୍ଚଳରେ ଥିବା ଛତ୍ରା-ପାଲାମୁ ସୀମାରେ ଆଜି ସର୍ଚ୍ଚ ଅପରେସନ ଚାଲିଥିଲା। ରାଜଧାନୀ ରାଞ୍ଚି ଠାରୁ ଏହି ଅଞ୍ଚଳଟି ୧୬୦ କିମି ଦୂର। ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟରେ ୫ ଜଣ ନକ୍ସଲ ନିହତ ହୋଇଛନ୍ତି। ନିହତଙ୍କ ମଧ୍ୟରେ ଥିବା ଗୌତମ ପାଶୱାନ ଓ ଚାର୍ଲି ହେଉଛନ୍ତି ଏସଏସି ସଦସ୍ୟ।

ସେମାନଙ୍କ ସମ୍ପର୍କରେ ସୂଚନା ହାସଲ ପାଇଁ ପ୍ରଶାସନ ପକ୍ଷରୁ ୨୫ ଲକ୍ଷ ଲେଖାଏ ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସେହିପରି ନିହତ ନନ୍ଦୁ, ଅମର ଗଞ୍ଜୁ ଓ ସଞ୍ଜୀବ ଭୂୟାଁ ସବ ଜୋନାଲ କମାଣ୍ଡର୍ସ ଭାବେ କାମ କରୁଥିଲେ। ସେମାନଙ୍କୁ ଧରିବା ପାଇଁ ୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ଘୋଷଣା କରାଯାଇଥିଲା। ଏବେ ସମସ୍ତେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି।

ସେମାନଙ୍କ ନିକଟରୁ ଏକ ୪୭, ଇନସାସ ରାଇଫଲ ସମେତ ବିପୁଳ ପରିମାଣର ବିସ୍ଫୋରକ ଓ ଗୁଳି ଜବତ କରାଯାଇଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ ଅପରେସନ ଚାଲିଥିବା ଏସ୍‌ପି ରଞ୍ଜନ କହିଛନ୍ତି।

Related story