ଗତ ଶନିବାର ଉତ୍ତରପ୍ରଦେଶର ପ୍ରୟାଗରାଜରେ କଡ଼ା ପୁଲିସ୍ ସୁରକ୍ଷା ବଳୟ ମଧ୍ୟରେ ଗଣମାଧ୍ୟମ ସମ୍ମୁଖରେ ରାଜନେତାରୁ ଗ୍ୟାଙ୍ଗଷ୍ଟାର ପାଲଟିଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏସଆଇଟି ଏହି ଘଟଣାର ତଦନ୍ତ କରୁଛି। ଏସଆଇଟି ତଦନ୍ତ ଆଧାରରେ ୫ ପୁଲିସ୍ କର୍ମୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ସସ୍ପେଣ୍ଡ କରିଛନ୍ତି ରାଜ୍ୟ ସରକାର। ନିଲମ୍ବିତ ହୋଇଥିବା ପୁଲିସ୍ କର୍ମୀଙ୍କ ମଧ୍ୟରେ ଶାହାଗଞ୍ଜର ଇନ୍ସପେକ୍ଟର ଅଶ୍ୱିନୀ ସିଂ, ଦୁଇ ସବ୍-ଇନ୍ସପେକ୍ଟର ଏବଂ ଦୁଇ ଜଣ କନଷ୍ଟେବଳ ଥିବା ଜଣାଯାଇଛି।
ଅତିକ ଓ ଅଶରଫଙ୍କ ସୁରକ୍ଷାରେ ନିୟୋଜିତ ପୁଲିସ୍ କର୍ମୀଙ୍କୁ ଗତକାଲି ଏସଆଇଟି ଅଧିକାରୀ ପଚରାଉଚରା କରିଥିଲେ। ଏହାପରେ ଏପରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ପୁଲିସ୍ର କଡ଼ା ସୁରକ୍ଷା ବଳୟରେ ମେଡିକାଲ ଚେକଅପ୍ ପାଇଁ ଯାଉଥିବା ଅତିକ ଓ ଅଶରଫଙ୍କୁ ୩ ହତ୍ୟାକାରୀ ସାମ୍ବାଦିକ ବେଶରେ ଆସି ପାଖରୁ ଗୁଳି କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ୨ ଭାଇ ଆଖି ବୁଜିଥିବା ବେଳେ ପୁଲିସ୍ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶ ସରକାରଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥିବା ବେଳେ ଏହାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏହାବାଦ ଏଥିନିମନ୍ତେ ଏକ କମିଟି ଗଠିତ ହୋଇଥିବା ବେଳେ ୩ ମାସରେ ଏହା ରିପୋର୍ଟ ପ୍ରଦାନ କରିବ ବୋଲି ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।