Advertisment

ସବୁଠାରୁ ବଡ଼ ଦରମା ସ୍କାମ: ୫୦ ହଜାର ‘ଭୂତ କର୍ମଚାରୀ’ ଓ ୨୩୦ କୋଟିର ଠକେଇ

ଏତେ ସଂଖ୍ୟକ ଦରମା ପାଇ ନଥିବା କର୍ମଚାରୀ ସରକାରୀ କାଗଜପତ୍ରରେ ରହିଛନ୍ତି। ସେମାନଙ୍କର ନାଁ ଓ ଆଇଡି ନମ୍ବର ରହିଛି। କିନ୍ତୁ କୌଣସି କାରଣରୁ ସେମାନଙ୍କ ଦରମା ୬ ମାସ ହେଲା ରିଲିଜ ହୋଇନାହିଁ।

author-image
Hemant Lenka
Salary Scam

Salary Scam

ପ୍ରାୟ ୫୦ ହଜାର ସରକାରୀ କର୍ମଚାରୀ ୬ ମାସରୁ ଅଧିକ ସମୟ ହେଲା ଦରମା ପାଇ ନାହାନ୍ତି। ୫୦ ହଜାର କର୍ମଚାରୀ ଅର୍ଥ ମଧ୍ୟପ୍ରଦେଶ ସରକାରୀ କଳର ଏହା ହେଉଛି ପାଖାପାଖି ୯%। ଅର୍ଥାତ ସରକାରୀ କଳର ୯% କର୍ମଚାରୀ ୬ ମାସ ହେଲା ଦରମା ପାଇ ନାହାନ୍ତି। ଏହାର ପ୍ରକୃତ ରହସ୍ୟ ବୋଧ ରାଜ୍ୟ ପ୍ରଶାସନର ଫାଇଲ ତଳେ ଚାପି ହୋଇ ରହି ଯାଇଛି। କିନ୍ତୁ ବାସ୍ତବରେ ଏହା ମଧ୍ୟପ୍ରଦେଶ ଇତିହାସର ସମ୍ଭବତଃ ସବୁଠାରୁ ବଡ଼ ଦରମା ସ୍କାମ ବୋଲି କୁହାଯାଉଛି।

Advertisment

ଖୋଳତାଡ଼ରୁ ଜଣାପଡ଼ିଛି ଯେ ଏତେ ସଂଖ୍ୟକ ଦରମା ପାଇ ନଥିବା କର୍ମଚାରୀ ସରକାରୀ କାଗଜପତ୍ରରେ ରହିଛନ୍ତି। ସେମାନଙ୍କର ନାଁ ଓ ଆଇଡି ନମ୍ବର ରହିଛି। କିନ୍ତୁ କୌଣସି କାରଣରୁ ସେମାନଙ୍କ ଦରମା ୬ ମାସ ହେଲା ରିଲିଜ ହୋଇନାହିଁ। କ’ଣ ଏହି କର୍ମଚାରୀମାନେ ଦେୟ ମୁକ୍ତ ଛୁଟିରେ ଅଛନ୍ତି? କ’ଣ ସେମାନଙ୍କୁ ନିଲମ୍ବନ କରାଯାଇଛି? ସେମାନେ କ’ଣ ଭୂତ କର୍ମଚାରୀ? ଏଭଳି ପ୍ରଶ୍ନ ଏବେ ଉଙ୍କି ମାରିବାରେ ଲାଗିଛି। ସରକାରୀ କାଗଜପତ୍ରରେ ନାଁ ଥିଲେ ହେଁ କାହିଁକି ସେମାନଙ୍କୁ ଦରମା ମିଳିନି?

ଦରମା ସ୍କାମର ପ୍ରକୃତ ସତ

ଚଳିତ ବର୍ଷ ମେ’ ୨୩ରେ କମିଶନର ଫର ଟ୍ରେଜେରୀ ଓ ଆକାଉଣ୍ଟ୍ସ(ସିଟିଏ) ସମସ୍ତ ଡ୍ରଇଂ ଓ ଡିସବର୍ସିଂ ଅଫିସର(ଡିଡିଓ)ମାନଙ୍କୁ ଚିଠି ଲେଖିଥିଲା। ଏହି ଚିଠି ସମସ୍ତଙ୍କୁ ଚକିତ କରିବା ଭଳି ବିସଙ୍ଗତିର ଯାଞ୍ଚ ପାଇଁ ଆହ୍ୱାନ ଥିଲା। ଏଥିରେ କୁହାଯାଇଥିଲା ଯେ ୨୦୨୪ ଡିସେମ୍ବର ମାସରୁ ଆଇଏଫଏମଆଇଏସ୍‌ ଅଧୀନରେ ଥିବା ଯେଉଁ ନିୟମିତ/ଅସ୍ଥାୟୀ କର୍ମଚାରୀଙ୍କ ଦରମା ରିଲିଜ କରାଯାଇ ନାହିଁ ତା’ର ତାଲିକା ଏଥିରେ ଯୋଡ଼ା ଯାଇଛି।

Advertisment

ଯଦିଓ କର୍ମଚାରୀଙ୍କ ଆଇଡି କୋଡ ରହିଛି, ତଥାପି ଆଇଏଫଏମଆଇଏସ୍‌ରେ ସେମାନଙ୍କ ଯାଞ୍ଚ ଅସଂପୂର୍ଣ୍ଣ ରହିଛି। ସେହିପରି ସେମାନଙ୍କ ଏକଜିଟ ପ୍ରକ୍ରିୟା ମଧ୍ୟ କରାଯାଇ ନାହିଁ। ଏହି ଚିଠି ପରେ ୬ ହଜାରରୁ ଅଧିକ ଡିଡିଓଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଛି। ସେମାନଙ୍କୁ ସମ୍ଭବତଃ ୨୩୦ କୋଟିର ସମ୍ଭାବ୍ୟ ସ୍କାମ ଉପରେ ୧୫ ଦିନ ମଧ୍ୟରେ ଜବାବ ଦେବାକୁ କୁହାଯାଇଥିଲା।

ସିଟିଏ ଭାସ୍କର ଏଲ କହିଛନ୍ତି, “ଆମେ ତଥ୍ୟର ବିଶ୍ଲେଷଣ ନିୟମିତ କରିଛୁ। ଏହି ସମୟରେ ଏହି ବିଶୃଙ୍ଖଳା ସାମ୍ନାକୁ ଆସିଛି। ମୁଁ ପୁଣିଥରେ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଏହି ସବୁ ଆକାଉଣ୍ଟରେ କୌଣସି ଦରମା ରିଲିଜ କରାଯାଇନି। ଏହି ତଦନ୍ତ କେବଳ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି କରାଯାଉଛି।”

ଟ୍ରେଜେରୀ ବିଭାଗ ରାଜ୍ୟବ୍ୟାପୀ ସରକାରୀ କର୍ମଚାରୀଙ୍କ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି। ଏଥିସହ ସମସ୍ତ ଡିଡିଓଙ୍କୁ ସେମାନଙ୍କ ଅଫିସରେ ଯେମିତି କୌଣସି ଅନାଧିକୃତ କର୍ମଚାରୀ କାମ କରୁ ନାହାନ୍ତି, ତା’କୁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ଅଧିକାରୀ କହିଛନ୍ତି “କିଛି ପ୍ରକୃତ ମାମଲା ହୋଇଥାଇ ପାରେ। ବଦଳି ଓ ନିଲମ୍ବିତ ନୂଆ ଘଟଣା ନୁହେଁ। କିନ୍ତୁ ଦୀର୍ଘ ୬ ମାସ ହେଲା ଯଦି ଜଣେ ଦରମା ପାଉନାହାନ୍ତି ଓ ତାଙ୍କର ଏକଜିଟ ପ୍ରକ୍ରିୟା ମଧ୍ୟ ହୋଇନାହିଁ, ତା’ହେଲେ ନିଶ୍ଚିତ ଭାବେ ଏହା ଚିନ୍ତାର ବିଷୟ।”

ଏମିତି କହିଲେ ଅର୍ଥମନ୍ତ୍ରୀ

ମଧ୍ୟପ୍ରଦେଶ ଅର୍ଥମନ୍ତ୍ରୀ ଜଗଦୀଶ ଦେବଡା ଘଟଣାକୁ ନେଇ କହିଛନ୍ତି ଯେ “ଯାହା ବି ହେଉଛି ସବୁ କିଛି ନିୟମ ଅନୁସାରେ କରାଯାଉଛି।” ସେ ଏ ପ୍ରସଙ୍ଗରେ ଅଧିକ କିଛି କହି ନାହାନ୍ତି।ଦରମାର ପାଇ ନଥିବା କର୍ମଚାରୀଙ୍କ ମଧ୍ୟରେ ୪୦ ହଜାର ସ୍ଥାୟୀ ଓ ୧୦ ହଜାର ଅସ୍ଥାୟୀ କର୍ମଚାରୀ ରହିଛନ୍ତି। ମିଳିତ ଭାବେ ଏହି କର୍ମଚାରୀଙ୍କ ଦରମା ହେଉଛି ୨୩୦ କୋଟି। ୬ ମାସ ହେଲା ଦରମା ଦିଆଯାଇ ନଥିବାରୁ ବଡ଼ ଧରଣର ଠକେଇ କିମ୍ବା ଭୂତ ପୋଷ୍ଟିଂ ସନ୍ଦେହ ସୃଷ୍ଟି ହୋଇଛି।

୨୩୦ କୋଟି ଟଙ୍କା କୁଆଡ଼େ ଗଲା? ଯଦି ୫୦ ହଜାର କର୍ମଚାରୀଙ୍କ ମଧ୍ୟରୁ କିଛି ଭୂତ କର୍ମଚାରୀ ବାହାରିଲେ, ତା’ହେଲେ ଏଠାରେ ପ୍ରଶ୍ନ ଉଠୁଛି ଯେ ବ୍ୟବସ୍ଥା ସହ କିଏ ହେରଫେର କରିଛି? କ’ଣ ଦରମାର ପିଛିଲା ଭାବେ ଦିଆଯାଇଛି ଓ ବିନା ଯାଞ୍ଚରେ ଦରମା ଉଠିଛି? କ’ଣ ସରକାର ଜାଣିଶୁଣି ୨୩୦ କୋଟି ଟଙ୍କାର ଠକେଇ ପାଇଁ ପଥ ପରିଷ୍କାର କରିଛନ୍ତି? କ’ଣ ଏପରି ୫୦ ହଜାର ପୋଷ୍ଟ ଖାଲି ରହିଛି? ଯଦି ହଁ, ତା’ହେଲେ ସରକାରୀ ବିଭାଗ ଗୁଡ଼ିକ ୯% କମ କର୍ମଚାରୀରେ କେମିତି କାମ କରୁଛନ୍ତି?

Madhya Pradesh Salary Scam