Advertisment

ଭଡ଼ା ଗାଡ଼ି ଓ ୫୦ କେଜି ଆଇଇଡି: ନକ୍ସଲଙ୍କ ଭୟଙ୍କର ହମଲାକୁ ନେଇ ଆସିଲା ତଥ୍ୟ

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ରାସ୍ତାରେ ବିରାଟ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ସେହିପରି ରାସ୍ତା କଡ଼ରେ ଥିବା କିଛି ଗଛ ମଧ୍ୟ ଉପୁଡ଼ି ପଡ଼ିଛି।

author-image
Hemant Lenka
Blast

Blast

ଛତିଶଗଡ଼ର ଦାନ୍ତେୱାଡର ଅରନପୁର ଅଞ୍ଚଳରେ ଆଜି ଲାଲ ତାଣ୍ଡବ ଦେଖିବାକୁ ମିଳିଛି। ନକ୍ସଲ ବିଛାଇଥିବା ଆଇଇଡି ବିସ୍ଫୋରଣ ଯୋଗୁ ଛତିଶଗଡ଼ ପୁଲିସ୍‌ ଅଧୀନରେ ଥିବା ଡିଆରଜିର ୧୦ ଜଣ ଯବାନ ସହିଦ ହୋଇଛନ୍ତି। ସେମାନଙ୍କୁ ନେଇ ଯାଉଥିବା ଗାଡ଼ିର ଡ୍ରାଇଭର ମଧ୍ୟ ପ୍ରାଣ ହରାଇଛନ୍ତି।

Advertisment

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ରାସ୍ତାରେ ବିରାଟ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ସେହିପରି ରାସ୍ତା କଡ଼ରେ ଥିବା କିଛି ଗଛ ମଧ୍ୟ ଉପୁଡ଼ି ପଡ଼ିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ହମଲା ପାଇଁ ନକ୍ସଲମାନେ ବିପୁଳ ପରିମାଣର ବିସ୍ଫୋରକ ବ୍ୟବହାର କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ନକ୍ସଲମାନେ ୫୦ କେଜିର ଆଇଆଇଡିର ବ୍ୟବହାର କରିଥିଲେ। ଏଥିଯୋଗୁ ରାସ୍ତାରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ସ୍ଥାନୀୟ ଅଞ୍ଚଳରେ ନକ୍ସଲମାନଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ଅପରେସନ ଆରମ୍ଭ ହୋଇଥିଲା।

Advertisment

ଯବାନମାନେ ଅପରେସନ ସାରି ଗୋଟିଏ ଭଡ଼ା ମିନି ଭ୍ୟାନରେ ସେମାନଙ୍କ କ୍ୟାମ୍ପକୁ ଫେରୁଥିଲେ। ଏତିକି ବେଳେ ହିଁ ବିସ୍ଫୋରଣ ହୋଇଥିଲା। ବିପୁଳ ପରିମାଣର ବିସ୍ଫୋରକ ବ୍ୟବହାର ହୋଇଥିବାରୁ ରାସ୍ତାରେ ବିରାଟ ଗର୍ତ୍ତ ହୋଇଥିଲା ଓ ଭଡ଼ା ଗାଡ଼ିଟି ସିଧା ୨୦ ଫୁଟ ଉପରକୁ ଉଠି ତଳେ ପଡ଼ିଥିଲା। ଭଡ଼ା ମିନି ଭ୍ୟାନଟି ସଂପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ୧୦ ଜଣ ଯବାନ ଓ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।

ସାମ୍ନାକୁ ଆସିଥିବା ଭିଡିଓରୁ ସ୍ପଷ୍ଟ ଭାବେ ଆମ୍ବୁସ ସ୍ଥଳରେ କେତେ ବଡ଼ ଗର୍ତ୍ତ ହୋଇଛି, ତା’ର ଦୃଶ୍ୟ ଦେଖିବାକୁ ମିଳିଛି। ଟେରିଟୋରିଆଲ ଆର୍ମିର ପୂର୍ବତନ ମୁଖ୍ୟ ଅଶ୍ୱିନୀ ସିୱାଚ କହିଛନ୍ତି ଯେ ଘଟଣାସ୍ଥଳରୁ ଆସୁଥିବା ଦୃଶ୍ୟକୁ ଦେଖିଲେ ଲାଗୁଛି ଯେ ନକ୍ସଲମାନେ ସାଧାରଣ ଆଇଇଡିରେ ବ୍ୟବହାର ହେଉଥିବା ବିସ୍ଫୋରକ ଠାରୁ ୧୦ ଗୁଣା ଅଧିକ ବିସ୍ଫୋରକ ବ୍ୟବହାର କରି ଡିଆରଜି ଯବାନଙ୍କ ଗାଡ଼ିକୁ ଟାର୍ଗେଟ କରିଛନ୍ତି।

ଅନ୍ୟପକ୍ଷରେ ଆଜି ହୋଇଥିବା ଭୟଙ୍କର ନକ୍ସଲ ହମଲାରେ ପୁଲିସ୍‌ କର୍ମଚାରୀମାନେ ଦେଇଥିବା ବଳିଦାନ ସବୁବେଳେ ମନେ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସେ କହିଛନ୍ତି, “ଦାନ୍ତେୱାଡାରେ ଛତିଶଗଡ଼ ପୁଲିସ୍‌ ଉପରେ ହୋଇଥିବା ଆକ୍ରମଣକୁ କଡ଼ା ନିନ୍ଦା କରୁଛି। ଆକ୍ରମଣରେ ପ୍ରାଣ ହରାଇଥିବା ବୀର କର୍ମଚାରୀଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି। ସେମାନଙ୍କ ବଳିଦାନ ସବୁବେଳେ ମନେ ରହିବ।”

ସେହିପରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଏହି ହମଲାକୁ ନିନ୍ଦା କରିଛନ୍ତି।

Chhattisgarh Naxal Attack Naxal