Advertisment

ଆରଜି କର ହସ୍‌ପିଟାଲର ୫୦ ଜଣ ସିନିୟର ଡାକ୍ତର ଦେଲେ ଇସ୍ତଫା

ଏହି ଡାକ୍ତରମାନେ ସେମାନଙ୍କ ଇସ୍ତଫାପତ୍ର ପ୍ରଦାନ କଲା ବେଳେ ବିଦ୍ୟାର୍ଥୀମାନେ ତାଳିମାରି ସେମାନଙ୍କୁ ସମର୍ଥନ ଜଣାଉଥିବାର ଭିଡିଓ ସୋଶାଲ ମିଡିଆରେ ଦେଖିବାକୁ ମିଳିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Doctors

Doctors

ଆନ୍ଦୋଳନରେ ବସିଥିବା ଜୁନିୟର ଡାକ୍ତରଙ୍କୁ ସମର୍ଥନ କରି ଆଜି କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସପିଟାଲର ୫୦ ଜଣ ସିନିୟର ଡାକ୍ତର ଇସ୍ତଫା ଦେଇଛନ୍ତି। ଏହି ଡାକ୍ତରମାନେ ସେମାନଙ୍କ ଇସ୍ତଫାପତ୍ର ପ୍ରଦାନ କଲା ବେଳେ ବିଦ୍ୟାର୍ଥୀମାନେ ତାଳିମାରି ସେମାନଙ୍କୁ ସମର୍ଥନ ଜଣାଉଥିବାର ଭିଡିଓ ସୋଶାଲ ମିଡିଆରେ ଦେଖିବାକୁ ମିଳିଛି।

Advertisment

ଗତ ଶନିବାରଠାରୁ ଜୁନିୟର ଡାକ୍ତରମାନେ ବିଭିନ୍ନ ଦାବି ନେଇ ଆମରଣ ଅନଶନରେ ବସିଛନ୍ତି। ସେମାନେ ସେମାନଙ୍କ ସହକର୍ମୀଙ୍କୁ ନ୍ୟାୟ ପ୍ରଦାନ, କ୍ୟାମ୍ପସରେ ଗଣତନ୍ତ୍ର ସ୍ଥାପନ ଓ ରୋଗୀ ଅନୁକୂଳ ବାତାବରଣ ବ୍ୟବସ୍ଥା ତିଆରି କରିବା ଦାବିରେ ଆନ୍ଦୋଳନ କରୁଛନ୍ତି। ସେମାନଙ୍କର ଆହୁରି କିଛି ଦାବି ରହିଛି। ରାଜ୍ୟର ସମସ୍ତ ହସ୍‌ପିଟାଲ ଓ ମେଡିକାଲ କଲେଜ ପାଇଁ ଏକ ସେଣ୍ଟ୍ରାଲାଇଜ୍‌ଡ ରେଫରାଲ ସିଷ୍ଟମ ବିକଶିତ କରିବାକୁ ସେମାନେ ଦାବି କରିଛନ୍ତି। ସେହିପରି କେତେ ବେଡ୍ ଖାଲି ପଡୁଛି, ତାହା ନିରୀକ୍ଷଣ କରିବା ପାଇଁ ଏକ ବ୍ୟବସ୍ଥା ଲାଗୁ କରିବାକୁ ସେମାନେ ଦାବି କରିଛନ୍ତି। ସମସ୍ତ ହସ୍‌ପିଟାଲ ଓ ମେଡିକାଲ କଲେଜରେ ସିସିଟିଭି ଲାଗିଛି ନା ନାହିଁ, ୱାଶ୍‌ରୁମ୍ ଅଛି ନା ନାହିଁ ଓ ଏହିଭଳି ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା ଅଛି ନା ନାହିଁ ଓ ଥିଲେ କାର୍ଯ୍ୟକ୍ଷମ ହେଉଛି ନା ନାହିଁ, ତାହା ସୁନିଶ୍ଚିତ କରିବାକୁ ଏକ ଟାସ୍କ ଫୋର୍ସ ଗଠନ କରିବାକୁ ଜୁନିୟର ଡାକ୍ତରମାନେ ଦାବି କରିଛନ୍ତି। ସେହିପରି ଡାକ୍ତରଖାନାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଅଧିକ ପୁଲିସ କର୍ମଚାରୀ ନିଯୁକ୍ତି କରିବାକୁ ସେମାନେ ଦାବି କରିଛନ୍ତି। ବିଶେଷ କରି ମହିଳା ପୁଲିସ ନିଯୁକ୍ତି ଉପରେ ଗୁରୁତ୍ୱ ଦେବାକୁ ସେମାନେ ଦାବି କରିଛନ୍ତି। ତା’ ସହିତ ଡାକ୍ତରଖାନାଗୁଡ଼ିକରେ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ପଦପଦବୀଗୁଡ଼ିକୁ ପୂରଣ କରିବାକୁ ସେମାନେ ଦାବି କରିଛନ୍ତି।

ଏହି ସବୁ ଦାବି ନେଇ ଜୁନିୟର ଡାକ୍ତରମାନେ ଶନିବାରଠାରୁ ଆମରଣ ଅନଶନରେ ବସିଥିବା ବେଳେ ଉପଯୁକ୍ତ କର୍ତ୍ତୃପକ୍ଷ ସେମାନଙ୍କ ସହିତ ଆଲୋଚନା କରିବାକୁ ଆସି ନାହାନ୍ତି। ସେମାନଙ୍କ ଦାବି ନେଇ ସରକାର ଓ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ନ ପାଇବା ପରେ ଆଜି ଆରଜି କର ମେଡିକାଲ କଲେଜ ଓ ହସ୍‌ପିଟାଲର ସିନିୟର ଡାକ୍ତରମାନେ ଏହି ଆନ୍ଦୋଳନକୁ ସମର୍ଥନ କରି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତା’ପୂର୍ବରୁ ୧୫ ଜଣ ସିନିୟର ଡାକ୍ତର ଯାଇ ଜୁନିୟର ଡାକ୍ତରଙ୍କ ସହିତ ଆନ୍ଦୋଳନରେ ବସିଥିଲେ।

Advertisment

ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ମନୋଜ ପନ୍ତ ସୋମବାର କହିଥିଲେ ଯେ ରାଜ୍ୟର ମେଡିକାଲ କଲେଜଗୁଡ଼ିକରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର କାମ ୯୦ ପ୍ରତିଶତ ଶେଷ ହୋଇଗଲାଣି। ଆସନ୍ତା ମାସରେ ସମସ୍ତ କାର୍ଯ୍ୟ ଶେଷ ହୋଇଯିବ। ଆମେ ମେଡିକାଲ କଲେଜ ଓ ହସ୍‌ପିଟାଲଗୁଡ଼ିକର ବାତାବରଣରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରୁଛୁ। ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ସେ ଦିଗରେ କାର୍ଯ୍ୟ କରୁଛନ୍ତି। ତେଣୁ ଜୁନିୟର ଡାକ୍ତରମାନେ ସେମାନଙ୍କ କାର୍ଯ୍ୟରେ ଯୋଗ ଦେବାକୁ ସେ ଅନୁରୋଧ କରିଥିଲେ।

ଆରଜି କର ମେଡିକାଲ କଲେଜ ଓ ହସପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଜୁନିୟର ଡାକ୍ତରମାନେ ତାଙ୍କୁ ନ୍ୟାୟ ପ୍ରଦାନ ସହିତ ଅନ୍ୟାନ୍ୟ ଦାବିରେ ଆନ୍ଦୋଳନରେ ବସିଥିଲେ। ଏହି ଆନ୍ଦୋଳନ ୪୨ ଦିନ ପରେ ସେପ୍ଟେମ୍ବର ୨୧ ତାରିଖରେ ପ୍ରତ୍ୟାହୃତ ହୋଇଥିଲା। ସରକାର ସେମାନଙ୍କ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। କିନ୍ତୁ ଅକ୍ଟୋବର ୧ ତାରିଖରେ ସେମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇଥିଲେ। ସରକାରଙ୍କ ଦ୍ୱାରା ପରିଚାଳିତ କଲେଜ ଅଫ ମେଡିସିନ୍ ଆଣ୍ଡ ସାଗର ଦତ୍ତ ହସ୍‌ପିଟାଲରେ ଜଣେ ରୋଗୀଙ୍କ ପରିବାର ଲୋକେ ଜଣେ ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ କରିବା ପରେ ଜୁନିୟର ଡାକ୍ତରମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇଥିଲେ। ଅକ୍ଟୋବର ୪ ତାରିଖରେ ସେମାନେ ଆନ୍ଦୋଳନରୁ ହଟି ଯାଇଥିଲେ। କିନ୍ତୁ ଅକ୍ଟୋବର ୫ ତାରିଖରୁ ଆମରଣ ଅନଶନରେ ବସିଛନ୍ତି ଜୁନିୟର ଡାକ୍ତର।

RG Kar Medical College