Advertisment

ପରିତ୍ୟକ୍ତ ଇନୋଭାରୁ ମିଳିଲା ୫୨ କେଜି ସୁନା ଓ ନଗଦ ୧୦ କୋଟି ଟଙ୍କା

ନାଟକୀୟ ଢଙ୍ଗରେ ଜବତ ହୋଇଛି ୫୨ କେଜି ଓଜନର ସୁନା ବିସ୍କୁଟ ଓ ନଗଦ ୧୦ କୋଟି ଟଙ୍କା।

author-image
Hemant Lenka
Car

Car

ଆୟକର ବିଭାଗ ଓ ଲୋକାୟୁତ ପୁଲିସ୍‌ ଭୋପାଲର ବିଭିନ୍ନ ସ୍ଥାନରେ ରେଡ କରି କୋଟି କୋଟି ଟଙ୍କାର ସୁନା ଓ ନଗଦ ଟଙ୍କା ଜବତ କରିଛି। ଏଥିସହ ରାଜନେତା, ସରକାରୀ ଅଧିକାରୀ ଓ ରିୟଲ ଇଷ୍ଟେଟ ବ୍ୟବସାୟୀଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାର ସୁରାକ ପାଇଛି।

Advertisment

ତେବେ ସୁବାଠାରୁ ନାଟକୀୟ ଢଙ୍ଗରେ ଜବତ ହୋଇଛି ୫୨ କେଜି ଓଜନର ସୁନା ବିସ୍କୁଟ ଓ ନଗଦ ୧୦ କୋଟି ଟଙ୍କା। ଅଧିକାରୀମାନେ ଗୋଟିଏ ପରିତ୍ୟକ୍ତ ଇନୋଭା କାରରୁ ଏତେ ପରିମାଣର ସୁନା ଓ ନଗଦ ଟଙ୍କା ଜବତ କରିଛନ୍ତି। ଜବତ ସୁନାର ମୂଲ୍ୟ ୪୦ କୋଟି ଟଙ୍କାରୁ ଅଧିକ ହେବ।

ଭୋପାଲ ଉପକଣ୍ଠରେ ଥିବା ମେନ୍ଦୋରି ଜଙ୍ଗଲରୁ କାରକୁ ଠାବ କରାଯାଇଛି। ଏହାପୂର୍ବରୁ ଜଙ୍ଗଲ ରାସ୍ତାରେ ସୁନା ଚୋରା ଚାଲାଣ କରାଯାଉଥିବା ପୁଲିସ୍‌କୁ ଖବର ମିଳିଥିଲା। ଖବର ମିଳିବା ପରେ ୧୦୦ରୁ ଅଧିକ ପୁଲିସ୍‌ ୩୦ଟି ଗାଡ଼ି ଧରି ଜଙ୍ଗଲ ରାସ୍ତାକୁ ଘେରାଉ କରିଥିଲେ। କାର ଯେମିତି ଜଙ୍ଗଲ ରାସ୍ତାରୁ ଖସି ନ ଯାଇପାରିବ, ସେଥିପାଇଁ ପୂରା ବ୍ୟବସ୍ଥା ହୋଇଥିଲା।

Advertisment

କିନ୍ତୁ ସର୍ଚ୍ଚ ଅପରେସନ ବେଳେ କାର ଭିତରୁ କୌଣସି ବ୍ୟକ୍ତିଙ୍କୁ ଠାବ କରାଯାଇ ପାରିନି। ଏହା ଭିତରୁ ୨ଟି ବ୍ୟାଗ ଜବତ କରାଯାଇଛି। ବ୍ୟାଗରୁ ୫୨ କେଜି ଓଜନର ସୁନା ବିସ୍କୁଟ ଓ ବଣ୍ଡଲ ବଣ୍ଡଲ ନଗଦ ଟଙ୍କା ମିଳିଛି।

କୁହାଯାଉଛି ଯେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଇନୋଭା କାରର ମାଲିକ ଗ୍ୱାଲିୟରର ଚେତନ ଗୌର। ସେ ପୂର୍ବତନ ଆରଟିଓ କନଷ୍ଟେବଲ ସୌରଭ ଶର୍ମାଙ୍କ ଅତ୍ୟନ୍ତ ଘନିଷ୍ଠ। ଶ୍ରୀ ଶର୍ମା ଓ ଅନେକ ବିଲିଡରଙ୍କ ବିରୋଧରେ ପୂର୍ବରୁ ହିଁ ଅର୍ଥ ହେରଫେରର ମାମଲା ଚାଲିଛି। ତେଣୁ ଏବେ ଜବତ ହୋଇଥିବା ସୁନା ଓ ନଗଦ ଟଙ୍କାର ଲିଙ୍କ ଉକ୍ତ ଠକେଇ ସହ ରହିଛି। ତେବେ ଏଯାଏ ଟଙ୍କା ଓ ସୁନାର ମାଲିକାନା ପାଇଁ କେହି ବି ଦାବି କରି ନାହାନ୍ତି। ପୁଲିସ୍‌ ଏତେ ଜିନିଷ କାର ମଧ୍ୟକୁ କେମିତି ଆସିଲା, ତା’ର ତଦନ୍ତ କରୁଛି।

ଅନ୍ୟପକ୍ଷରେ ଲୋକାୟୁକ୍ତ ଟିମ ଗୁରବାର ଶର୍ମାଙ୍କ ଘରେ ରେଡ କରିଛି। ଭୋପାଲର ପୋଶ ଏରେରା କଲୋନୀରେ ଥିବା ଶର୍ମାଙ୍କ ଘରେ ହୋଇଥିବା ରେଡ ବେଳେ କୋଟିଏରୁ ଅଧିକ ନଗଦ ଟଙ୍କା, ଅଧ କେଜି ସୁନା ଓ ହୀରା, ରୁପା ବାର ଓ ସମ୍ପତ୍ତି ସମ୍ପର୍କିତ କାଗଜପତ୍ର ମିଳିଛି।

ଗତ ୨ ଦିନ ଧରି ଟିକସ ଫାଙ୍କି ଅଭିଯୋଗରେ ଭୋପାଲରେ ବିଭିନ୍ନ ବିଲଡର ସଂସ୍ଥା ଓ ମାଲିକଙ୍କ ଠିକଣାରେ ରେଡ କରାଯାଉଛି। ଏହିକ୍ରମରେ ଶର୍ମାଙ୍କ ଘରେ ମଧ୍ୟ ଛାନଭିନ କରାଯାଇଥିଲା। ତଦନ୍ତ ପରିସରଭୁକ୍ତ ଥିବା ବିଲଡର୍ସମାନଙ୍କ ଲିଙ୍କ କିଛି ବରିଷ୍ଠ ରାଜନେତା ଓ ଅଧିକାରୀଙ୍କ ସହ ରହିଛି।

Madhya Pradesh Income Tax