ଚର୍ଚ୍ଚାରେ ସବୁଠାରୁ ସମ୍ବେଦନଶୀଳ ଦୁର୍ନୀତି ମାମଲା। ମଧ୍ୟପ୍ରଦେଶର ଭୋପାଲ ଏହି ଘଟଣାକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତଦନ୍ତକାରୀ ଅଧିକାରୀ କିଛି ମାସ ତଳେ ଜଙ୍ଗଲିଆ ଅଞ୍ଚଳରେ ରହିଥିବା ଗୋଟିଏ ପରିତ୍ୟକ୍ତ କାର ମଧ୍ୟରୁ ୫୨ କେଜି ସୁନା ବିସ୍କୁଟ ଓ ନଗଦ ୧୧ କୋଟି ଟଙ୍କା ଜବତ କରିଥିଲେ। କିନ୍ତୁ ଏଯାଏ ଜବତ ହୋଇଥିବା ଏତେ ପରିମାଣର ସୁନା ଓ ନଗଦ ଟଙ୍କାର ମାଲିକ କିଏ, ସେକଥା ଜଣାପଡ଼ି ନାହିଁ।
ମଧ୍ୟପ୍ରଦେଶ ପରିବହନ ବିଭାଗର ପୂର୍ବତନ କନଷ୍ଟେବଲ ସୌରଭ ଶର୍ମା ଏହି ମାମଲାର ଅଭିଯୁକ୍ତ ବୋଲି କୁହାଯାଉଛି। ତାଙ୍କ ବିରୋଧରେ ଆସିଥିବା ଠକେଇର ତଦନ୍ତ ଇଡି, ଆୟକର ବିଭାଗ, ଡିଆରଆଇ ଓ ପୁଲିସ୍ ଲୋକାୟୁକ୍ତ କରୁଛନ୍ତି। ତଥାପି ସେ ଯେ ସିଧାସଳଖ ଜବତ ହୋଇଥିବା ୫୨ କେଜି ସୁନା ଓ ନଗଦ ୧୧ କୋଟି ଟଙ୍କାର ମାଲିକ, ସେକଥା ପ୍ରମାଣିତ ହୋଇପାରିନି।
ମଧ୍ୟପ୍ରଦେଶର ଭୋପାଲରେ ସୌରଭ ଶର୍ମାଙ୍କ ଦବଦବା ରହିଥିଲା। କିନ୍ତୁ ୨୦୨୪ ଡିସେମ୍ବର ମାସରେ ବିଭିନ୍ନ ତଦନ୍ତକାରୀ ଏଜେନ୍ସି ତାଙ୍କର ବିଭିନ୍ନ ଠିକଣାରେ ରେଡ କରିବା ପରେ ସବୁ କିଛି ବଦଳି ଯାଇଥିଲା। ସେ ଜଣେ ମହାଠକ ବୋଲି ଅଭିଯୋଗ ଉଠିବାରେ ଲାଗିଛି। ରେଡ ବେଳେ ସୌରଭଙ୍କ ଠିକଣାରୁ ପ୍ରାୟ ୮ କୋଟିର ସମ୍ପତ୍ତି ମିଳିଥିଲା। ଏହା ମଧ୍ୟରେ ନଗଦ ଟଙ୍କା, ଅଳଙ୍କାର ଓ ବିଭିନ୍ନ ସମ୍ପତ୍ତିର କାଗଜପତ୍ର ରହିଛି।
ଏହାପରେ ଭୋପାଲ ନିକଟ ମେନ୍ଦୋରି ଜଙ୍ଗଲରୁ ଗୋଟିଏ ପରିତ୍ୟକ୍ତ ଇନୋଭା ମିଳିଥିଲା। ଯାଞ୍ଚ ବେଳେ ଉକ୍ତ କାରରୁ ୫୨ କେଜି ସୁନା ଓ ୧୧ କୋଟି ଟଙ୍କା ମିଳିଥିଲା। ପ୍ରଥମେ କେବଳ ସୌରଭ ଶର୍ମାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ମାମଲାର ତଦନ୍ତ ହୋଇଥିଲା। କିନ୍ତୁ ଏବେ ଏହି ମାମଲା ସହ ବରିଷ୍ଠ ସରକାରୀ ଅଧିକାରୀ ଓ ରିୟଲ ଇଷ୍ଟେଟ ବ୍ୟବସାୟୀ ସାମିଲ ଥିବା କୁହାଯାଉଛି।
ତଥ୍ୟରେ ରହୁନି ତାଳମେଳ
ଏହା ଏକ ହାଇପ୍ରୋଫାଇଲ ଦୁର୍ନୀତି ମାମଲା ହୋଇଥିବା ବେଳେ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଯାଞ୍ଚ କରୁଛନ୍ତି। କିନ୍ତୁ ତଦନ୍ତରୁ ଆସୁଥିବା ତଥ୍ୟରେ ତାଳମେଳ ରହୁନାହିଁ। ଲୋକାୟୁକ୍ତ ଜବତ ନେଇ ଦାଖଲ କରିଥିବା ତଥ୍ୟରେ ଅସଙ୍ଗତି ଦେଖାଯାଇଛି। ପୂର୍ବରୁ ତଦନ୍ତକାରୀ ସଂସ୍ଥା କହିଥିଲା ଯେ ନଗଦ ୭.୯୮ କୋଟି ଟଙ୍କା ଜବତ ହୋଇଛି। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଜଣେ ଡିସିପି ପାହ୍ୟାର ଅଧିକାରୀ କହିଥିଲେ ଯେ କେବଳ ୫୫ ଲକ୍ଷ ନଗଦ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ମିଳିଛି।
ତଥ୍ୟରେ ଏପରି ଅସଙ୍ଗତି ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ଅବହେଳା ନା ଜାଣିଶୁଣି ଘଟଣାକୁ ହାଲୁକା କରିବା ପାଇଁ ଚେଷ୍ଟା କରାଯାଉଛି? ଇଡି ଘଟଣାର ମନି ଲଣ୍ଡରିଂ ଦିଗର ତଦନ୍ତ କରୁଛି। କିନ୍ତୁ ଇଡି ଜବତ ସମ୍ପର୍କରେ କିଛି ବି କହୁ ନାହିଁ।
‘ସୁନା କାର’ ମାଲିକ ନିଖୋଜ!
ମହାଦୁର୍ନୀତିର ତଦନ୍ତ ଏକାଧିକ ଏଜେନ୍ସି କରୁଥିଲେ ହେଁ ଜଙ୍ଗଲରୁ ମିଳିଥିବା କାରର ମାଲିକ କିଏ, ସେକଥା ଜଣାପଡ଼ିନି। କାରରେ ନଥିବା ନମ୍ବର ପ୍ଲେଟ ଅନୁସାରେ ଏହା ଚେତନ ସିଂହ ଗୌର ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ପଞ୍ଜିକୃତ ହୋଇଛି। ଚେତନ ହେଉଛନ୍ତି ଅଭିଯୁକ୍ତ ସୌରଭଙ୍କ ଘନିଷ୍ଠ ସହଯୋଗୀ। କିନ୍ତୁ ଚେତନଙ୍କ କହିବା କଥା ‘ସୁନା କାର’ ସହ ତାଙ୍କର କୌଣସି ଲିଙ୍କ ନାହିଁ। ସେ ଜଣେ ଡ୍ରାଇଭରଙ୍କୁ କାର ଭଡ଼ାରେ ଦେଇଥିଲେ। ତଥାପି ପୁଲିସ୍ ଉକ୍ତ ଡ୍ରାଇଭରଙ୍କୁ ଚିହ୍ନଟ କରିପାରି ନାହିଁ।
ରେଡ ଦିନ ରାତିରେ ଜବତ କାରକୁ ସୌରଭଙ୍କ ଘର ପାଖରେ ଦେଖିବାକୁ ମିଳିଥିଲା। କିନ୍ତୁ ଲୋକାୟୁକ୍ତ କାରକୁ ଠିକଣା ସମୟରେ ଧରି ପାରି ନଥିଲା। ଏହା ପରବର୍ତ୍ତୀ ଅବସ୍ଥାରେ ଜଙ୍ଗଲ ମଧ୍ୟରୁ ପରିତ୍ୟକ୍ତ ଅବସ୍ଥାରେ ମିଳିଥିଲା। ଏପରି ଘଟଣା ପରେ ଆଶଙ୍କା କରାଯାଉଛି ଯେ ରେଡ ସମ୍ପର୍କରେ କୌଣସି ଅଧିକାରୀ ଅଭିଯୁକ୍ତଙ୍କୁ ଏ ସମ୍ପର୍କରେ ସୂଚନା ଦେଖିଥିଲେ। ଖାସ ଏହି ସୂଚନା ପରେ କାର ଦ୍ୱାରା ପ୍ରମାଣକୁ ନଷ୍ଟ କରିବା ପାଇଁ ଚେଷ୍ଟା କରାଯାଇଛି।
ଗୋଲ୍ଡେନ ନେଟୱର୍କ
ଏବେ ତଦନ୍ତର ପରିସର ବ୍ୟାପକ ହୋଇଛି। ଏହା କେବଳ ମଧ୍ୟପ୍ରଦେଶରେ ସୀମିତ ନାହିଁ। ବେଆଇନ ସୁନା ଚୋରା ଚାଲାଣର ଖୋଳତାଡ଼ କରାଯାଉଛି। ସୌରଭଙ୍କ ଆର୍ଥିକ ନେଣଦେଣକୁ ଦେଖିଲେ ଲାଗୁଛି ଏହା ଦୁବାଇ, ସୁଇଜରଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ସହ ଲିଙ୍କ ରହିଛି। ୧୦୦ କୋଟିର ନେଣଦେଣ ସାମ୍ନାକୁ ଆସିଥିବା ବେଳେ ଏଥିରେ ୫୨ ଜିଲ୍ଲାର ପରିବହନ ଅଧିକାରୀ ସାମିଲ ଥିବା ସଙ୍କେତ ମିଳିଛି।
ଘଟଣାର ପରିସର ବ୍ୟାପକ ଥିବାରୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ନ୍ୟାୟିକ ତଦନ୍ତ ପାଇଁ ଦାବି କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଘଟଣାର ତଦନ୍ତ ପ୍ରକ୍ରିୟାକୁ ବ୍ୟବସ୍ଥା କରିଛନ୍ତି। ଏଥିସହ ଇଡି ଓ ଆୟକର ବିଭାଗ ସ୍ୱତନ୍ତ୍ର ଭାବେ ଏହାର ତଦନ୍ତ କରନ୍ତୁ ବୋଲି କହିଛନ୍ତି।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ନିଜ ସରକାରର ତଦନ୍ତକାରୀ ସଂସ୍ଥାକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, “ଆମ ସରକାର ସବୁବେଳେ ଦୁର୍ନୀତି ବିରୋଧରେ ଲଢ଼େଇ କରିଚାଲିଛି। ଆମେ ସବୁ ସ୍ତରରେ ଦୁର୍ନୀତି ବିରୋଧରେ ଲଢ଼େଇ କରିବାକୁ ପ୍ରତିଶ୍ରୁତିବଦ୍ଧ।
ବର୍ତ୍ତମାନ ସୌରଭ ଶର୍ମା, ଚେତନ ଗୌର ଓ ଶାରଦା ଜୈସୱାଲ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ରହିଛନ୍ତି। କିନ୍ତୁ ୫୨ କେଜି ସୁନା ଓ ନଗଦ ୧୨ କୋଟି ଟଙ୍କାର ମାଲିକ କିଏ, ତା’ର ଉତ୍ତର ମିଳିନାହିଁ।
ଡିସେମ୍ବର ମାସରେ ଜବତ ହୋଇଥିଲା ଗୋଲ୍ଡେନ କାର୍
ଭୋପାଲ ଉପକଣ୍ଠରେ ଥିବା ମେନ୍ଦୋରି ଜଙ୍ଗଲରୁ କାରକୁ ଠାବ କରାଯାଇଥିଲା। ଏହାପୂର୍ବରୁ ଜଙ୍ଗଲ ରାସ୍ତାରେ ସୁନା ଚୋରା ଚାଲାଣ କରାଯାଉଥିବା ପୁଲିସ୍କୁ ଖବର ମିଳିଥିଲା। ଖବର ମିଳିବା ପରେ ୧୦୦ରୁ ଅଧିକ ପୁଲିସ୍ ୩୦ଟି ଗାଡ଼ି ଧରି ଜଙ୍ଗଲ ରାସ୍ତାକୁ ଘେରାଉ କରିଥିଲେ। କାର ଯେମିତି ଜଙ୍ଗଲ ରାସ୍ତାରୁ ଖସି ନ ଯାଇପାରିବ, ସେଥିପାଇଁ ପୂରା ବ୍ୟବସ୍ଥା ହୋଇଥିଲା। କିନ୍ତୁ ସର୍ଚ୍ଚ ଅପରେସନ ବେଳେ କାର ଭିତରୁ କୌଣସି ବ୍ୟକ୍ତିଙ୍କୁ ଠାବ କରାଯାଇ ପାରି ନଥିଲା। ଏହା ଭିତରୁ ୨ଟି ବ୍ୟାଗ ଜବତ କରାଯାଇଥିଲା ବ୍ୟାଗରୁ ୫୨ କେଜି ଓଜନର ସୁନା ବିସ୍କୁଟ ଓ ବଣ୍ଡଲ ବଣ୍ଡଲ ନଗଦ ଟଙ୍କା ମିଳିଥିଲା।
ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଇନୋଭା କାରର ମାଲିକ ଗ୍ୱାଲିୟରର ଚେତନ ଗୌର। ସେ ପୂର୍ବତନ ଆରଟିଓ କନଷ୍ଟେବଲ ସୌରଭ ଶର୍ମାଙ୍କ ଅତ୍ୟନ୍ତ ଘନିଷ୍ଠ। ଶ୍ରୀ ଶର୍ମା ଓ ଅନେକ ବିଲିଡରଙ୍କ ବିରୋଧରେ ପୂର୍ବରୁ ହିଁ ଅର୍ଥ ହେରଫେରର ମାମଲା ଚାଲିଛି। ତେଣୁ ଏବେ ଜବତ ହୋଇଥିବା ସୁନା ଓ ନଗଦ ଟଙ୍କାର ଲିଙ୍କ ଉକ୍ତ ଠକେଇ ସହ ରହିଛି। ତେବେ ଏଯାଏ ଟଙ୍କା ଓ ସୁନାର ମାଲିକାନା ପାଇଁ କେହି ବି ଦାବି କରି ନାହାନ୍ତି। ପୁଲିସ୍ ଏତେ ଜିନିଷ କାର ମଧ୍ୟକୁ କେମିତି ଆସିଲା, ତା’ର କାରଣ ମଧ୍ୟ ଜାଣିପାରିନି।
ଏହାପୂର୍ବରୁ ଲୋକାୟୁକ୍ତ ଟିମ ସୌରଭଙ୍କ ଘରେ ରେଡ କରିଥିଲା। ଭୋପାଲର ପୋଶ ଏରେରା କଲୋନୀରେ ଥିବା ଶର୍ମାଙ୍କ ଘରେ ହୋଇଥିବା ରେଡ ବେଳେ କୋଟିଏରୁ ଅଧିକ ନଗଦ ଟଙ୍କା, ଅଧ କେଜି ସୁନା ଓ ହୀରା, ରୁପା ବାର ଓ ସମ୍ପତ୍ତି ସମ୍ପର୍କିତ କାଗଜପତ୍ର ମିଳିଥିଲା।
ସୌରଭ ଶର୍ମା କିଏ?
ସୌରଭ କିଏ ଓ ସେ କେମିତି ଏତେ ସମ୍ପତ୍ତିର ମାଲିକ ହେଲେ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିବାରେ ଲାଗିଛି। ଗ୍ୱାଲିୟରର ମୂଳବାସିନ୍ଦା ହେଉଛନ୍ତି ସୌରଭ ଶର୍ମା ଓରଫ ଚିନୁ। କିଶୋର ଅବସ୍ଥାରେ ସେ ସରକାରୀ ଚାକିରି ଆଶାୟୀ ରହିଥିଲେ।
ହିନ୍ଦୀ ସିନେମା 12th Fail ଯେଉଁ ବ୍ୟକ୍ତିଙ୍କ ଉପରେ ପର୍ଯ୍ୟବେସିତ, ସେହି ଗ୍ରୁପରେ UPSC ପାଇଁ ଅଭ୍ୟାସ କରୁଥିବା ପିଲାଙ୍କ ମଧ୍ୟରୁ ସୌରଭ ଅନ୍ୟତମ। ଏପରି କି ରାଜ୍ୟସ୍ତରୀୟ ପ୍ରଶାସନିକ ସେବା ପରୀକ୍ଷାରେ ସୌରଭ ଇଣ୍ଟରଭ୍ୟୁ ଯାଏ ମଧ୍ୟ ଯୋଗ୍ୟତା ଅର୍ଜନ କରିଥିଲେ। ଏସବୁ ଭିତରେ ତାଙ୍କ ଜୀବନର ଗତି ପଥ ଫିଲ୍ମର କାହାଣୀ ଭଳି ବଦଳି ଯାଇଥିଲା।
ପ୍ରଶାସନିକ ସେବାରେ ଭର୍ତ୍ତି ହେବାକୁ ଚାହୁଁଥିବା ସୌରଭଙ୍କ ବାପା ହଠାତ୍ ସମସ୍ତଙ୍କୁ ଛାଡ଼ି ପର ପାରିକୁ ଚାଲି ଯାଇଥିଲେ। ବାପା ଜଣେ ସରକାରୀ ଚାକିରିଆ ହୋଇଥିବାରୁ ତାଙ୍କ ଦେହାନ୍ତ ପରେ ସୌରଭଙ୍କୁ ଉକ୍ତ ଚାକିରି ମିଳିଥିଲା। ସେ ପରିବହନ ବିଭାଗରେ କନଷ୍ଟେବଲ ଭାବେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ।
ଚାକିରି ଆରମ୍ଭର ମାତ୍ର କିଛି ମାସ ମଧ୍ୟରେ କେମିତି ଲାଞ୍ଚ କାରବାର ବିଭାଗରେ ହୋଇଥାଏ, ସେକଥା ଭଲ ଭାବେ ଶିଖି ଯାଇଥିଲେ। ସେହିପରି କ୍ଷତିପୂରଣ ଭାବେ ତାଙ୍କୁ ମିଳିଥିବା ଚାକିରିକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା। ତେଣୁ ଶର୍ମା ବାଧ୍ୟ ହୋଇ କିଛି ବର୍ଷ ପରେ ଇସ୍ତଫା ଦେଇଥିଲେ।
ଚାକିରି ଛାଡ଼ିବା ପରେ ସେ କନଷ୍ଟ୍ରକସନ ବ୍ୟବସାୟ ଆରମ୍ଭ କରିଥିଲେ। ହେଲେ ଏହା ପଛରେ ସେ ଅନେକ ବେଆଇନ କାମ ମଧ୍ୟ ଜାରି ରଖିଥିଲେ। ରାତାରାତି ତାଙ୍କ ସମ୍ପତ୍ତି ହୁହୁ ହୋଇ ବଢ଼ି ଚାଲିଥିଲା। ଡିସେମ୍ବର ୧୯ରେ ଲୋକାୟୁକ୍ତ ପକ୍ଷରୁ ଶର୍ମାଙ୍କ ସହ ଜଡ଼ିତ ଭୋପାଲର ଦୁଇଟି ସ୍ଥାନରେ ରେଡ କରିଥିଲା। ସେଠାରୁ ସୁନା ଓ ରୁପା ସହ ନଗଦ ୨.୧ କୋଟି ଟଙ୍କା ମିଳିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।