Advertisment

ମଣିପୁର ହିଂସାରେ ଗଲାଣି ୫୪ ଜଣଙ୍କ ଜୀବନ, ସ୍ଥିତି ନିୟନ୍ତ୍ରଣ କରିବାକୁ ସେନାର ଉଦ୍ୟମ

ହିଂସା ବେଳେ ଦଙ୍ଗାକାରୀଙ୍କ ଆକ୍ରମଣପରେ ଜଣେ ସିଆରପିଏଫ କମାଣ୍ଡୋ ମଧ୍ୟ ପ୍ରାଣ ହରାଇଛନ୍ତି। ପ୍ରାଣ ହରାଇଥିବା କମାଣ୍ଡୋ ଜଣଙ୍କ ହେଲେ ସି ହାଓକଇପ।

author-image
Hemant Lenka
ଅଦ୍ୟତନ ହୋଇଛି
Manipur Violence

Manipur Violence

ଆଦିବାସୀ ଓ ଅଣଆଦିବାସୀ ସଂଘର୍ଷକୁ ନେଇ ଅଶାନ୍ତ ହୋଇ ଉଠିଥିବା ମଣିପୁରରେ ୫୪ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି। ତେବେ ବୁଧବାର ଠାରୁ ଆରମ୍ଭ ହୋଇଥିବା ହିଂସା ଓ ପୋଡ଼ାଜଳାରେ ଆହୁରି ଅଧିକ ସଂଖ୍ୟକ ଲୋକ ପ୍ରାଣ ହରାଇଥିବା ବିଭିନ୍ନ ବେସକରାରୀ ସଂଗଠନ ଦାବି କରିଛନ୍ତି।

Advertisment

ବୁଧବାର ଠାରୁ ରାଜଧାନୀ ଇମ୍ଫାଲ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସା ଦେଖା ଯାଇଥିଲା। ସ୍ଥିତି ଦିନକୁ ଦିନ ବିଗୁଡ଼ୁଥିବାରୁ ସରକାର ଶୁଟ ଆଟ ସାଇଟର ଅର୍ଡର ଦେଇଥିଲେ। ଏଥିସହ ସେନା ଯବାନଙ୍କୁ ମୁତୟନ କରିଥିଲେ। ଏବେ ସେନା ପକ୍ଷରୁ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରାଯାଉଛି।

ହିଂସା ବେଳେ ଦଙ୍ଗାକାରୀଙ୍କ ଆକ୍ରମଣ ପରେ ଜଣେ ସିଆରପିଏଫ କମାଣ୍ଡୋ ମଧ୍ୟ ପ୍ରାଣ ହରାଇଛନ୍ତି। ପ୍ରାଣ ହରାଇଥିବା କମାଣ୍ଡୋ ଜଣଙ୍କ ହେଲେ ସି ହାଓକଇପ। ସେ ଛୁଟି ନେଇ ନିଜ ଗେଁ ବିଷ୍ଣୁପୁରରେ ରହିଥିଲେ। ତେବେ ମେ’ ୫ ତାରିଖ ଦିନ ୧୨ଟା ବେଳେ ଦଙ୍ଗାକାରୀମାନେ ତାଙ୍କ ଗାଁରେ ଆକ୍ରମଣ କରିଥିଲେ। ଏଥିରେ କମାଣ୍ଡୋ ହାଇକଇପଙ୍କ ମୃତ୍ୟୁ ଘଟିଛି।

Advertisment

ଅନ୍ୟପକ୍ଷରେ ଆଜି ଠାରୁ ଇମ୍ଫାଲ ଉପତ୍ୟକାରେ କିଛି ଦୋକାନ ଓ ମାର୍କେଟ ଖୋଲିବା ଆରମ୍ଭ କରିଛି। ରାସ୍ତାରେ ଗାଡ଼ି ମୋଟର ମଧ୍ୟ ଯାତାୟତ କରିଛି। ସ୍ଥିତି ଧୀରେଧୀରେ ସ୍ୱାଭାବିକ ହେଉଥିଲେ ହେଁ ବିଭିନ୍ନ ସ୍ଥାନରେ ଆର୍ମି, ରାପିଡ ଆକ୍ସନ ଫୋର୍ସ ଓ କେନ୍ଦ୍ରୀୟ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି।

ଆଜି ସକେଳେ ଇମ୍ଫାଲ ସହର ଓ ଆଉ କିଛି ସ୍ଥାନରେ ଦୋକାନ ବଜାର ଖୋଲିଥିଲା। ଏହାପରେ ଲୋକମାନେ ଘରୁ ବାହାରି ପରିବାପତ୍ର ଓ ଅନ୍ୟ ଜରୁରୀ ଜିନିଷ ସବୁ କିଣୁଥିବା ଦେଖିବାକୁ ମିଳିଛି। ସେଠାରେ ମଧ୍ୟ ସୁରକ୍ଷାକର୍ମୀମାନେ ମୁତୟନ ରହି ଲୋକଙ୍କ ଉପରେ ନଜର ରଖୁଛନ୍ତି।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ୫୪ ଜଣ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କ ମୃତଦେ ଚୁରାଚାନ୍ଦପୁର ଜିଲ୍ଲା ହସ୍ପିଟାଲର ଶବାଗାରରେ ରଖାଯାଇଛି। ସେହିପରି ଆଉ ୧୫ଟି ମୃତଦେହ ଇମ୍ଫାଲ ପୂର୍ବ ଜିଲ୍ଲାର ଜେଏନଆଇଏମଏସ୍‌ ହସ୍ପିଟାଲରେ ରହିଛି। ଇମ୍ଫାଲ ପଶ୍ଚିମ ଜିଲ୍ଲା ଲାମ୍ଫେଲ ଠାରେ ଥିବା ରିଜନାଲ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ମୋଟ ୨୩ ଜଣଙ୍କ ମୃତ୍ୟୁ ଘଟିଛି।

ହିଂସା ଭିତରେ ଚୁରାଚାନ୍ଦପୁର ଜିଲ୍ଲାର ଦୁଇଟି ସ୍ଥାନରେ ଉଗ୍ରବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୫ ଜଣ ଉଗ୍ରବାଦୀ ନିହତ ହୋଇଥିବା ବେଳେ ୨ ଜଣ ଆଇଆରବି ଯବାନ ଆହତ ହୋଇଛନ୍ତି।

ହିଂସା ଯୋଗୁ ପ୍ରଭାବିତ ହୋଇଥିବା ମୋଟ ୧୩ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଆଶ୍ରୟ ସ୍ଥଳରେ ରଖାଯାଇଛି। କିଛି ଲୋକ ଆର୍ମି କ୍ୟାମ୍ପରେ ମଧ୍ୟ ରହିଛନ୍ତି। ଚୁରାଚାନ୍ଦପୁର, ମୋରେହ, କାକିଙ୍ଗ ଓ କାଙ୍ଗପୋକପି ଜିଲ୍ଲାରୁ ଅଧିକାଂଶ ଲୋକଙ୍କୁ ଉଦ୍ଧାର କରାଯାଇଛି।

ହିଂସା ପରେ ମଣିପୁରରେ ପ୍ରାୟ ୧୦ ହଜାର ଯବାନଙ୍କୁ ମୁତୟନ କରାଯାଇଛି। ସେମାନେ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରି ଲୋକଙ୍କୁ ଶାନ୍ତିଶୃଙ୍ଖଳା ବଜାୟୀ ରଖିବାକୁ କହୁଛନ୍ତି।

Manipur