Advertisment

ଝଡ଼ ବର୍ଷା ସାଙ୍ଗକୁ ମାରିଲା ବିଜୁଳି: ହଠାତ୍‌ ଚାଲିଗଲା ୮୦ ଜଣଙ୍କ ଜୀବନ

କିଛି ମିନିଟରେ ଉଜୁଡ଼ି ଗଲା ସବୁ କିଛି। ହଠାତ୍‌ ଝଡ଼ ବର୍ଷା ହେଲା ଓ ଘନଘନ ବିଜୁଳି ମାରିଲା।

author-image
Hemant Lenka
Light

Light

ପ୍ରକୃତର ଭୟଙ୍କର ତାଣ୍ଡବ। କିଛି ମିନିଟରେ ଉଜୁଡ଼ି ଗଲା ସବୁ କିଛି। ହଠାତ୍‌ ଝଡ଼ ବର୍ଷା ହେଲା ଓ ଘନଘନ ବିଜୁଳି ମାରିଲା। ଏଥିଯୋଗୁ ୨ଟି ରାଜ୍ୟରେ ୮୦ ଜଣଙ୍କ ଜୀବନ ଚାଲି ଯାଇଛି। ସେହିପରି ବର୍ଷା ଜନିତ ଅଘଟଣରେ ଆଉ କିଛି ଲୋକ ଆହତ ହୋଇଛନ୍ତି। କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟି ହୋଇଛି। ଗ୍ରୀଷ୍ମ ଋତୁରେ ଏପରି ଝଡ଼ ବର୍ଷା ସବୁ କିଛି ଓଲଟପାଲଟ କରି ଦେଇଛି। ବିହାର, ଉତ୍ତର ପ୍ରଦେଶ ଓ ଝାରଖଣ୍ଡରେ ପ୍ରକୃତି ପ୍ରଳୟ କରିଛି।

Advertisment

ପ୍ରକୃତିର ଭୟଙ୍କର ତାଣ୍ଡବରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବିହାର। ଏଠାରେ ପ୍ରବଳ ଝଡ଼ ବର୍ଷା ଓ ବିଜୁଳି ମାଡ଼ ଯୋଗୁ ଦିନକରେ ୫୮ ଜଣଙ୍କ ମୃତ୍ୟୁ ହୋଇଛି। ବିଜୁଳି ମାରିବା ଯୋଗୁ ୨୩ ଜଣ ପ୍ରାଣ ହରାଇଥିବା ବେଳେ ଆଉ ୩୫ ଜଣ ବର୍ଷା ଜନିତ ଅଘଟଣରେ ଜୀବନ ହରାଇଛନ୍ତି। ଏହା ମଧ୍ୟରେ ଗଛ ପଡ଼ିବା ଓ କାନ୍ଥ ଭୁଶୁଡ଼ିବା ଭଳି ଦୁର୍ଘଟଣା ରହିଛି। ବିହାରରେ ଗୁରୁବାର ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିବାରୁ ଏପରି ସ୍ଥିତି ଦେଖିବାକୁ ମିଳିଛି।

ପ୍ରବଳ ବର୍ଷା ଓ ବିଜୁଳି ମାଡ଼ ଯୋଗୁ ନାଳନ୍ଦା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ୨୨ ଜଣ ଲୋକ ଜୀବନ ହରାଇଛନ୍ତି। ଏହାବାଦ ଭୋଜପୁରରେ ୫ ଜଣ, ଗୟାରେ ୩ ଜଣ, ଗୋପାଲଗଞ୍ଜ, ଜେହାନାବାଦ, ପାଟନା, ଅରୱଲ ଓ ମୁଜାଫରପୁରରେ ମଧ୍ୟ ଜଣେ ଲେଖାଏ ଲୋକଙ୍କ ଜୀବନ ପ୍ରବଳ ଝଡ଼ ତୋଫାନ ଯୋଗୁ ହୋଇଛି। ବିହାରରେ କେବଳ ବିଜୁଳି ମାରିବା ଯୋଗୁ ୨୩ ଜଣଙ୍କ ମୃତ୍ୟୁ ହୋଇଛି। ସିୱାନରେ ୪ ଜଣ, ଜାମୁଇରେ ୩ ଜଣ, ସହାର୍ସା, ଅରାରିଆ ଓ ସାରନରେ ୨ ଜଣ ଲେଖାଏ ଲୋକଙ୍କୁ ମାରିଛି ବିଜୁଳି।

Advertisment

ପାଟନା, ଜେହାନାବାଦ, ଭୋଜପୁର, ଦରଭଙ୍ଗା, ଅରୱାଲ, ଗୋପାଲଗଞ୍ଜ, ମୁଜାଫରପୁର, ମୁଙ୍ଗେର, କତିହାର ଓ ଭାଗଲପୁରରେ ମଧ୍ୟ ବିଜୁଳି ଜଣେ ଲେଖାଏ ଲୋକଙ୍କ ଜୀବନ ନେଇଛି। ଦିନକ ପୂର୍ବରୁ ବିହାରର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ମାରିବାରୁ ୨୫ ଜଣଙ୍କ ଜୀବନ ଯାଇଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ଚାଷୀ ଓ ଦିନ ମଜୁରିଆ ରହିଛନ୍ତି। ସେମାନେ କାମ କରିବା ବେଳେ ଆକାଶରୁ ଖସିଛି ମୃତ୍ୟୁ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଘଟଣାରେ ଶୋକ ପ୍ରକାଶ କରିବା ସହ ପ୍ରତି ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଏଥିସହ ବିପର୍ଯ୍ୟୟ ପରିଚାଳନା ବିଭାଗ ବିଜୁଳି ପାଇଁ ଜାରି କରୁଥିବା ସତର୍କ ସୂଚନାକୁ ସମସ୍ତେ ପାଳନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ଦୁଇ ଦିନ ହେଲା ବିହାରର ବିଭିନ୍ନ ଜିଲ୍ଲାରେ ଝଡ଼ ବର୍ଷା ହେଉଥିବା ବେଳେ ଆଜି ଓ ଆସନ୍ତାକାଲି ପାଇଁ ଭାରତୀୟ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି। ଦରଭଙ୍ଗା, ନାଳନ୍ଦା ଓ ପାଟନାରେ ଶୁକ୍ରବାର ଏବଂ ଶନିବାର ପ୍ରବଳ ବର୍ଷା ସହ ବିଜୁଳି ମାରିବାର ଆଶଙ୍କା ଥିବା ବିଭାଗ କହିଛି। ସେହିପରି ଗୁରୁବାର ସନ୍ଧ୍ୟା ୫.୩୦ ମଧ୍ୟରେ ପାଟନାରେ ୪୨.୬ ମିଲିଟର ବର୍ଷା ରେକର୍ଡ କରାଯାଇଥିଲା। ଏଥିଯୋଗୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଯାଇଛି।

ଉତ୍ତର ପ୍ରଦେଶରେ ଗଲା ୨୨ ଜଣଙ୍କ ଜୀବନ

ବର୍ଷା ଜନିତ ଅଘଟଣ ଯୋଗୁ ଉତ୍ତର ପ୍ରଦେଶର ୧୫ଟି ଜିଲ୍ଲାରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ଫତେପୁର ଓ ଆଜମଗଡ଼ରେ ୩ ଜଣ ଲେଖାଏ ଜୀବନ ହରାଇଥିବା ବେଳେ ଫିରୋଜାବାଦ, କାନପୁର ଦେହାତ ଓ ସୀତାପୁରରେ ୨ ଜଣ ଲେଖାଏ ପ୍ରାଣ ହରାଇଛନ୍ତି। ଗାଜିପୁର, ଗୋଣ୍ଡା, ଆମେଠି, ସନ୍ଥ କବିର ନଗର, ସିଦ୍ଧାର୍ଥ ନଗର, ବଲ୍ଲିଆ, କନୌଜ, ବାରବାଙ୍କୀ, ଜୌନପୁର ଓ ଉନ୍ନାଓରେ ଜଣେ ଲେଖାଏ ବର୍ଷା ଜନିତ ଅଘଟଣରେ ଜୀବନ ହରାଇଛନ୍ତି।

ଝାରଖଣ୍ଡରେ ୪ ଆହତ

ଝାରଖଣ୍ଡରେ ବର୍ଷା ଯୋଗୁ ଘନଘନ ବିଜୁଳି ମାରିବାରୁ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଥିବା ୩ ଜଣ ବରିଷ୍ଠ ନାଗରିକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଧାନବାଦ, ହଜାରିବାଗ ଓ କୋଡେରମାରେ ପ୍ରବଳ ବର୍ଷା ସହ ପବନ ବହିଛି। ଏଥିଯୋଗୁ ଫସଲ ନଷ୍ଟ ହୋଇଥିବା ବେଳେ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଛି। ଦୌଲତଗଞ୍ଜରେ ୩୧.୮ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ରାଞ୍ଚିରେ ୭.୬ ମିମି ବର୍ଷା ହୋଇଛି।

Uttar Pradesh Bihar Lightening Death