Advertisment

ବାପାମା’ଙ୍କ ମୃତଦେହ ମଝିରେ ୩ ଦିନ ରହିଥିଲା ୬ ଦିନର ଶିଶୁ

ବର୍ଷେ ତଳେ କାଶିଫ ଓ ଅନାମଙ୍କ ବିବାହ ହୋଇଥିଲା।

author-image
Jitendra Garnayak
Infant

Infant

ବନ୍ଦ ଘର ଭିତରୁ ଏକ ଦମ୍ପତିଙ୍କ ମୃତଦେହ ମିଳିଥିବା ବେଳେ ସେମାନଙ୍କର ନବଜାତ ଶିଶୁପୁତ୍ରକୁ ଜୀବିତ ଉଦ୍ଧାର କରାଯାଇଛି। ୬ ଦିନର ଶିଶୁଟି ୩ ଦିନ ଧରି ତା’ ବାପାମା’ଙ୍କ ମୃତଦେହ ମଝିରେ ରହିଥିଲା। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରୁ।

Advertisment

ମୃତ ଦମ୍ପତି ହେଲେ କାଶିଫ (୨୫) ଓ ଅନମ (୨୨)। ସେମାନେ ଉତ୍ତରପ୍ରଦେଶର ସହାରନପୁରର ବାସିନ୍ଦା ଥିଲେ। ତେବେ ସେମାନେ ଡେରାଡୁନରେ ରହୁଥିଲେ।

ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ଷେ ତଳେ କାଶିଫ ଓ ଅନାମଙ୍କ ବିବାହ ହୋଇଥିଲା। ମାତ୍ର ୪ ମାସ ତଳେ ସେମାନେ ଡେରାଡୁନ ଆସିଥିଲେ। ସେମାନେ ଟର୍ନର ରୋଡ୍ ପାଖରେ ଏକ ଭଡ଼ା ଘରେ ରହୁଥିଲେ। କାଶିଫ ଜଣେ କ୍ରେନ୍ ଅପରେଟର ଥିଲେ। ଜୁନ୍ ୮ ତାରିଖରେ ସେମାନଙ୍କର ଏକ ପୁଅ ହୋଇଥିଲା।

Advertisment

ଗତ ମଙ୍ଗଳବାର ପୁଲିସ ସୂଚନା ପାଇଲା ଯେ କାଶିଫଙ୍କ ଘର ଭିତରପଟୁ ବନ୍ଦ ଅଛି ଓ ସେଠାରୁ ଦୁର୍ଗନ୍ଧ ବାହାରୁଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି କାଶିଫ ଘରର କବାଟ ଭାଙ୍ଗି ଭିତରେ ପଶିଥିଲା। ଘର ଭିତରେ କାଶିଫ ଓ ତାଙ୍କ ପତ୍ନୀଙ୍କ ମୃତଦେହ ପଡ଼ିଥିଲା। ଦୁଇ ମୃତଦେହ ମଧ୍ୟରେ ଶିଶୁ ପୁତ୍ରଟି ଥିଲା। ସେ ଜୀବିତ ଥିଲା। ଛୁଆଟିକୁ ତୁରନ୍ତ ଡାକ୍ତରଖାନାକୁ ପଠାଯାଇଥିଲା। ଛୁଆଟିର ଶରୀରରୁ ଜଳୀୟ ଅଂଶ କମି ଯାଇଥିଲା। ଡାକ୍ତରଖାନାରେ ଆବଶ୍ୟକୀୟ ଚିକିତ୍ସା ପରେ ଶିଶୁଟି ସୁସ୍ଥ ଅଛି। ତଥାପି ତାକୁ ଆଇସିୟୁରେ ରଖାଯାଇଛି। ଛୁଆଟିର ଦେହରେ କୌଣସି କ୍ଷତ ନାହିଁ।

କାଶିଫ ଓ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। କାରଣ କାଶିଫ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ ବୋଲି ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଗତ ମଙ୍ଗଳବାର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସେମାନେ ତିନି ଦିନ ପୂର୍ବରୁ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏ ସଂପର୍କରେ ତଥା ସେମାନଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

Suicide Infant Death