Advertisment

୪ ନୁହେଁ, ସଂସଦ ଅନୁପ୍ରବେଶ ଘଟଣାରେ ୬ ସାମିଲ: ଗୁରୁଗ୍ରାମରେ ହୋଇଥିଲା ପୂରା ଯୋଜନା

କଡ଼ା ସୁରକ୍ଷାବଳୟ ସତ୍ତ୍ୱେ ଏମାନେ ସଂସଦ ପରିସରରେ ପ୍ରବେଶ କରିଥିବାରୁ, ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ସେହିପରି ଏହି ଘଟଣାରେ ୪ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି।

author-image
Hemant Lenka
Parliament

Parliament

ଗଣତନ୍ତ୍ରର ମନ୍ଦିର ସଂସଦର ସୁରକ୍ଷା ବ୍ୟବସ୍ଥାରେ ସାଂଘାତିକ ତ୍ରୁଟି ଦେଖିବାକୁ ମିଳିଛି। ୨ ଜଣ ଯୁବକ ଲୋକସଭା ଭିତରେ ଅନୁପ୍ରବେଶ କରି ହଙ୍ଗା କରିଥିବା ବେଳେ ଆଉ ଜଣେ ମହିଳା ଓ ଯୁବକ ବାହାରେ ବିକ୍ଷୋଭ କରିଥିଲେ।

Advertisment

କଡ଼ା ସୁରକ୍ଷାବଳୟ ସତ୍ତ୍ୱେ ଏମାନେ ସଂସଦ ପରିସରରେ ପ୍ରବେଶ କରିଥିବାରୁ, ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ସେହିପରି ଏହି ଘଟଣାରେ ୪ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି।

କିନ୍ତୁ ଏବେ ଏହି ସୁରକ୍ଷା ତ୍ରୁଟି ଘଟଣାକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ସଂସଦର ସୁରକ୍ଷାବଳୟ ଭେଦ କରିବା ଘଟଣାରେ ୪ ନୁହେଁ ମୋଟ ୬ ଜଣ ସାମିଲ ରହିଛନ୍ତି। ଅନୁପ୍ରବେଶ ପୂର୍ବରୁ ସମସ୍ତେ ଗୁରୁଗ୍ରାମର ଗୋଟିଏ ଘରେ ଏକାଠି ହୋଇଥିଲେ। ସେଠାରେ ଯୋଜନା ପ୍ରସ୍ତୁତ ହୋଇଥିଲା ବୋଲି ଜଣାପଡ଼ିଛି।

Advertisment

ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, ସଂସଦ ଭିତରେ ହଙ୍ଗାମା କରିଥିବା ଦୁଇ ଯୁବକ ହେଲେ ସାଗର ଶର୍ମା ଓ ମନୋରଞ୍ଜନ ଡି। ଏମାନଙ୍କ ଘର ମହୀଶୂରରେ। ସେହିପରି ସଂସଦ ବାହାରେ ବିକ୍ଷୋଭ କରି ଗିରଫ ହୋଇଥିବା ଅନମୋଲ ସିନ୍ଦେଙ୍କ ଘର ମହାରାଷ୍ଟ୍ରରେ।

ଅନମୋଲଙ୍କ ସହ ନୀଲମ ମଧ୍ୟ ସଂସଦ ବାହାରେ ବିକ୍ଷୋଭ କରିଥିଲେ। ସେ ହରିୟାଣାର ହିର୍ସାର ଗୋଟିଏ ପିଜିରେ ରୁହନ୍ତି। ସମ୍ବିଧାନ ବଞ୍ଚାଅ, ଏକଛତ୍ରବାଦ ଶାସନ ବନ୍ଦ କରିବାର ନାରା ଦେଇ ଏମାନେ ବିକ୍ଷୋଭ କରିଥିଲେ।

ତେବେ ଏମାନଙ୍କ ସହ ଆଉ ୨ ଜଣ ମଧ୍ୟ ସାମିଲ ରହିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସଂସଦ ଭିତରେ ଡିଆଁ ମାରିଥିବା ଯୁବକ ଜଣକ ହେଲା ସାଗର ଶର୍ମା। ତା’ ପାଖରୁ ବିଜେପି ସାଂସଦ ପ୍ରତାମ ସୀମାଙ୍କ ଅଫିସ ତରଫରୁ ପାସ୍‌ ଇସ୍ୟୁ ହୋଇଥିବା କାଗଜ ମିଳିଛି।

ସେହିପରି ୪ ଜଣ ଯାକ ପରସ୍ପରକୁ ଜାଣିଛନ୍ତି। ସେମାନେ ସୋଶାଲ ମିଡିଆରେ ଏକାଠି ହୋଇଥିଲେ। ଏହାପରେ ଯୋଜନା ମୁତାବକ ସଂସଦରେ ପ୍ରବେଶ କରିଥିଲେ ବୋଲି କୁହାଯାଉଛି।

ସଂସଦର ସୁରକ୍ଷା ଭେଦ କରିବା ଘଟଣାରେ ସାମିଲ ଥିବା ୬ ଜଣଙ୍କ ମଧ୍ୟରୁ ୪ ଜଣ ଧରାପଡ଼ିଛନ୍ତି। ଏବେ ଫେରାର ୨ ଜଣଙ୍କୁ ପୁଲି ଖୋଜୁଛି। ୬ ଜଣଙ୍କ ମଧ୍ୟରୁ ୫ ଜଣ ଦିଲ୍ଲୀ ବାହାରୁ ଆସିଥିଲେ। ସେମାନେ ଗୁରୁଗ୍ରାମରେ ଥିବା ଲଳିତ ଯାଦବଙ୍କ ଘରେ ରହିଥିଲେ। ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ପରିଚୟ ମିଳିଛି।

ହେଲେ ୬ଷ୍ଠ ଯୁବକ ଜଣଙ୍କ କିଏ, ସେକଥା ଏଯାଏ ଜଣାପଡ଼ିନି। ଏହି ୬ ଜଣ ଯାକ ମିଳିତ ଭାବେ ଗୁରୁଗ୍ରାମ ସ୍ଥିତ ରୁମରେ ଆଜିର ଘଟଣା ପାଇଁ ଯୋଜନା କରିଥିଲେ। ଯୋଜନା ମୁତାବକ ସଂସଦରେ ପ୍ରବେଶ ପାଇଁ ପାସ୍‌ ଯୋଗାଡ଼ କରାଯାଇଥିଲା। ଏହାପରେ ସେମାନେ ନିଜ ଯୋଜନା ଅନୁସାରେ ପରବର୍ତ୍ତୀ ପଦକ୍ଷପେ ନେଇଛନ୍ତି।

Parliament Lok Sabha Parliament Security Breach