କ୍ୟାନସରକୁ ମାତ ଦେଇ ଦୌଡ଼ିଲେ ବୃଦ୍ଧା, ଜାତୀୟସ୍ତରରେ ଜିତିଲେ ରୌପ୍ୟ ପଦକ

ତାଙ୍କୁ ବିବିସିଆଇ ଡାକ୍ତରମାନେ ଆର୍ଥିକ ସହାୟତା ପ୍ରଦାନ କରିବା ସହ କ୍ରୀଡ଼ା ଇଭେଣ୍ଟରେ ଭାଗ ନେବାକୁ ଉତ୍ସାହିତ କରିଥିଲେ। ଶେଷରେ ସେ ସଫଳତା ମଧ୍ୟ ହାସଲ କରିଛନ୍ତି।

ପଦକ ଜିତିଥିବା ମୋରଜିନା ବେଗମ

  • Published: Thursday, 23 February 2023
  • , Updated: 23 February 2023, 07:38 AM IST

ଦୃଢ଼ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ସବୁ ଅସମ୍ଭବକୁ ସମ୍ଭବ କରିପାରେ। ପୂର୍ବରୁ ମଧ୍ୟ ଆପଣ ଏପରି ଅନେକ ସଫଳ କାହାଣୀ ସମ୍ପର୍କରେ ନିଶ୍ଚିତ ଅବଗତ ରହିଥିବେ। ଏବେ ପୁଣିଥରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି।

କ୍ୟାନସର ଭଳି ମାରାତ୍ମକ ରୋଗ ସତ୍ତ୍ୱେ ହାର ନ ମାନି ଜାତୀୟ ସ୍ତର ଦୌଡ଼ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି ଜଣେ ୬୩ ବର୍ଷୀୟ ମହିଳା। ଏଥିସହ ସମସ୍ତଙ୍କ ପାଇଁ ସେ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି ଯୋଗୁ ଆଜି ସେ ସଫଳତା ହାସଲ କରିପାରିଛନ୍ତି।

୫ ବର୍ଷ ତଳେ ମାଷ୍ଟର୍ସ ଆଥଲେଟ ମୋରଜିନା ବେଗମ ଯେତେବେଳେ ସ୍ତନ କର୍କଟରେ ପୀଡ଼ିତ ହୋଇଥିଲେ ସେତେବେଳେ ସମସ୍ତେ କହିଥିଲେ ଯେ ତାଙ୍କ ପାଖରେ ବହୁତ କମ ସମୟ ରହିଛି। ଏକଥା ଶୁଣି ମୋରଜିନା ସାମାନ୍ୟ ଭାଙ୍ଗି ପଡ଼ିଥିଲେ। କାରଣ ସେ ଯଦି କ୍ୟାନସରରେ ଆଖିବୁଜିବେ, ତା’ହେଲେ ସେ ଦେଖିଥିବା ସ୍ୱପ୍ନ ସବୁ କେମିତି ପୂରଣ ହେବ?

ଏକଥା ଭାବିଭାବି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇ ଯାଇଥିଲା। ତେବେ ୨୦୧୮ରେ ସେ କ୍ୟାନସରର ଅପରେସନ କରିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଦୀର୍ଘ ଦୁଇ ବର୍ଷ ଅର୍ଥାତ ୨୦୨୦ ଯାଏ ତାଙ୍କୁ ହସ୍ପିଟାଲରେ ରହିବାକୁ ପଡ଼ିଥିଲେ। ଅପରେସନ ପରେ ମଧ୍ୟ ସେ ପ୍ରତିଦିନ ପୂରା ସୁସ୍ଥ ହେବାକୁ ସଂଘର୍ଷ କରୁଥିଲେ।

କିନ୍ତୁ ମହାମାରୀ କରୋନା ତାଙ୍କ ଜୀବନରେ ପରିବର୍ତ୍ତନ ଆଣିଥିଲା। ସେ କ୍ୟାନସର ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଥିବାରୁ ମହାମାରୀ କରୋନା ବେଳେ ଅଧିକ ସତର୍କତା ଅବଲମ୍ବନ କରିଥିଲେ। ତାଙ୍କୁ କଠୋର ମେଡିକେସନ ମଧ୍ୟରେ ରଖାଯାଇଥିଲା। ଏହା ତାଙ୍କ ଜୀବନର ଗତି ପଥ ବଦଳାଇ ଦେଇଥିଲା। ବର୍ଷକ ମଧ୍ୟରେ ସେ କ୍ୟାନସରକୁ ସଂପୂର୍ଣ୍ଣ ମାତ ଦେବାକୁ ସକ୍ଷମ ହୋଇଥିଲେ।

କ୍ୟାନସରରୁ ମୁକୁଳିବା ପରେ ଆସାମର ଗୋଲପରା ଜିଲ୍ଲା ଅନ୍ତର୍ଗତ ବାଲାଡମାରି ଗାଁରେ ରହୁଥିବା ମୋରଜିନା ସମସ୍ତଙ୍କ ପାଇଁ ଉଦହାରଣ ସୃଷ୍ଟି କରିଛନ୍ତି। ସେ ଫେବୃଆରୀ ୧୪ରୁ ୧୮ ଯାଏ କୋଲକାତାରେ ଆୟୋଜିତ ଜାତୀୟ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନଶିପ ୨୦୨୩ର ୪ ଗୁଣା ୧୦୦ ମିଟର ରିଲେରେ ରୌପ୍ୟ ପଦକ ଜିତିଛନ୍ତି। କ୍ୟାନସର ଭଳି ମାରାତ୍ମକ ରୋଗରେ ପଡ଼ି ଏକଦା ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ମୋରଜିନା ପଦକ ଜିତିବା କେବଳ ତାଙ୍କ ପାଇଁ ପୂରା କ୍ରୀଡ଼ା ଜଗତକୁ ଗୌରବାନ୍ୱିତ କରିଛି। ଏହି ଜାତୀୟସ୍ତରର କ୍ରୀଡ଼ା ମହାକୁମ୍ଭ ମାଷ୍ଟର୍ସ ଆଥଲେଟିକ ଫେଡରେସନ ଅଫ ଇଣ୍ଡିଆ ପକ୍ଷରୁ ଆୟୋଜନ କରାଯାଇଥିଲା।

ମୋରଜିନା ୩୫ ବର୍ଷ ବୟସ ଅତିକ୍ରମ କରିବା ପରେ ଆଥଲେଟ ବନିଥିଲେ। ୨୦୧୦ ପରଠାରୁ ସେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଇଭେଣ୍ଟରେ ଭାଗ ନେଇଛନ୍ତି। ଗୌହାଟୀ ହସ୍ପିଟାଲରେ ତାଙ୍କର କ୍ୟାନସର ରୋଗର ଅପରେସନ ହୋଇଥିଲା। ଅପରେସନ ପରେ ବିବିସିଆଇ ହସ୍ପିଟାଲରେ ସେ ଅଧିକ ଚିକିତ୍ସା କରିବା ସହ କେମୋଥେରାପି ଓ ରାଡିଏସନ ଥେରାପି ନେଇଥିଲେ।

ଅପରେସନ ଓ ଥେରାପି ନେବା ପରେ ମୋରଜିନାଙ୍କୁ ଡାକ୍ତରମାନେ କ୍ରୀଡ଼ା ଜଗତରେ ପ୍ରବେଶ ପାଇଁ ପୁଣି ଅନୁମତି ଦେଇଥିଲେ। ହେଲେ ମହାସଂଘ ତାଙ୍କ ସ୍ୱାସ୍ଥ୍ୟ ଓ ଫିଟନେସକୁ ନେଇ ଚିନ୍ତା ପ୍ରକଟ କରିଥିଲା। ମୋରଜିନା କହିଛନ୍ତି, “ଅନେକ ଚ୍ୟାଲେଞ୍ଜ ଓ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ମୁଁ ଆଗକୁ ବଢ଼ିଥିଲି। ଏଥିସହ ଜାତୀୟସ୍ତରର ପ୍ରତିଯୋଗିତାରେ ଭାଗ ନେବାକୁ ଫର୍ମ ପୂରଣ କରିଥିଲି।”

୨୦୧୮ ପୂର୍ବରୁ ମୋରଜିନାଙ୍କୁ ତାଙ୍କ ଝିଅ ସବୁ ପ୍ରକାରର ତାଲିମ ଦେଉଥିଲେ। ଝିଅ ମଧ୍ୟ ଜଣେ କ୍ରୀଡ଼ାବିତ୍। ସେ ଜାତୀୟ ଓ ରାଜ୍ୟସ୍ତରୀୟ ଇଭେଣ୍ଟରେ ଅନେକ ପୁରସ୍କାର ଜିତିଛନ୍ତି। କ୍ୟାନସର ପରେ ମୋରଜିନା ଟ୍ରାକ୍‌କୁ ଫେରିବେ ବୋଲି କାହାର ବି ଆଶା ନଥିଲା।

କିନ୍ତୁ ଚିକିତ୍ସା ପରେ ତାଙ୍କର ଇଚ୍ଛା ଶକ୍ତି ଦୁଇଗୁଣ ବଢ଼ି ଯାଇଥିଲା। ତାଙ୍କୁ ବିବିସିଆଇ ଡାକ୍ତରମାନେ ଆର୍ଥିକ ସହାୟତା ପ୍ରଦାନ କରିବା ସହ କ୍ରୀଡ଼ା ଇଭେଣ୍ଟରେ ଭାଗ ନେବାକୁ ଉତ୍ସାହିତ କରିଥିଲେ। ଶେଷରେ ସେ ସଫଳତା ମଧ୍ୟ ହାସଲ କରିଛନ୍ତି।

Related story