Advertisment

ଡିଭାଇଡର ଡେଇଁ ପିକ୍‌ ଅପ୍‌ ଭ୍ୟାନକୁ ଧକ୍କା ଦେଲା ସ୍କପ୍ରିଓ , ୭ ଇଞ୍ଜିନିୟରିଂ ଛାତ୍ର ମୃତ

ପୁଲିସ୍‌ କହିଛି ଯେ ସହରର ଜାଲୁକବାରି ଫ୍ଲାଏଓଭର ନିକଟରେ ଏହି ଦୁର୍ଘଟଣା ଘଟିଛି। ଦ୍ରୁତଗାମୀ ଏସ୍‌ୟୁଭିଟି ଡିଭାଇଡର ଡେଇଁଥିଲା ଓ ବିପରୀତ ଦିଗରୁ ଆସୁଥିବା ପିକଅପ ଭ୍ୟାନକୁ ଧକ୍କା ଦେଇଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
Accident

Accident

ଆସାମର ଗୌହାଟୀରେ ଅତ୍ୟନ୍ତ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଦ୍ରୁତଗାମୀ ସ୍କପ୍ରିଓ ଏସ୍‌ୟୁଭି ଡିଭାଇଡର ଡେଇଁ ବିପରୀତ ଦିଗରୁ ଆସୁଥିବା ପିକ୍‌ ଅପ୍‌ ଭ୍ୟାନ୍‌କୁ ଧକ୍କା ଦେଇଛି। ଦୁର୍ଘଟଣାରେ ଦୁଇଟି ଯାକ ଗାଡ଼ି ଚୂରମାର ହୋଇଯାଇଥିବା ବେଳେ ୭ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୬ ଜଣ ଏବେ ଜୀବନ ମୃତ୍ୟୁ ସହ ହସ୍ପିଟାଲରେ ସଂଘର୍ଷ କରୁଛନ୍ତି।

Advertisment

ପୁଲିସ୍‌ କହିଛି ଯେ ସହରର ଜାଲୁକବାରି ଫ୍ଲାଏଓଭର ନିକଟରେ ଏହି ଦୁର୍ଘଟଣା ଘଟିଛି। ଦ୍ରୁତଗାମୀ ଏସ୍‌ୟୁଭିଟି ଡିଭାଇଡର ଡେଇଁଥିଲା ଓ ବିପରୀତ ଦିଗରୁ ଆସୁଥିବା ପିକଅପ ଭ୍ୟାନକୁ ଧକ୍କା ଦେଇଥିଲା।

ସ୍କପ୍ରିଓ ଏସ୍‌ୟୁଭିରେ ୧୦ ଜଣ ଶିକ୍ଷାର୍ଥୀ ଥିଲେ। ଏମାନେ ସମସ୍ତେ ଆସାମ ଇଞ୍ଜିନିୟରିଂ କଲେଜର ଶିକ୍ଷାର୍ଥୀ ଓ ହଷ୍ଟେଲରେ ରହୁଥିଲେ। ୧୦ ଜଣ ଯାକ ଶିକ୍ଷାର୍ଥୀ ଆଜି ସକାଳୁ ସ୍କପ୍ରିଓରେ ଯାଉଥିଲେ। ତେବେ ଗାଡ଼ିର ବେଗ ଅଧିକ ଥିବାରୁ ଏହା ଭାରସାମ୍ୟ ହରାଇ ପ୍ରଥମେ ଡିଭାଇଡର ଅତିକ୍ରମ କରିଥିଲା।

Advertisment

ଏହାପରେ ବିପରୀତ ଦିଗରୁ ଆସିଥିବା ଗୋଟିଏ ବୋଲେର ପିକ ଅପ୍‌ ଟ୍ରକ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ଯାକ ଗାଡ଼ିର ପୂରା ଚୂରମାର ହୋଇ ଯାଇଛି। ଘଟଣା ସ୍ଥଳରେ ସ୍କପ୍ରିଓରେ ଥିବା ୧୦ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ମୃତ୍ୟୁ ଘଟିଥିଲା।

ବାକି ୩ ଶିକ୍ଷାର୍ଥୀ ଓ ପିକ ଅପ୍‌ ଟ୍ରକ୍‌ରେ ଥିବା ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଗୌହାଟୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପୁଲିସ୍‌ କହିଛି।

ଏହି ଘଟଣାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ଏଥିସହ ଆହତଙ୍କୁ ସବୁ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ବିଶ୍ୱଶର୍ମା ଦୁର୍ଘଟଣା ସ୍ଥଳକୁ ମଧ୍ୟ ଯାଇ ସ୍ଥିତି ପରଖିଛନ୍ତି।

Accident Assam Road Accident