Advertisment

ବେହାଲ କଲାଣି ଅବିଶ୍ରାନ୍ତ ବର୍ଷା, କାନ୍ଥ ଭୁଶୁଡ଼ି ୭ ଜଣଙ୍କ ଜୀବନ ଗଲା

ଟ୍ରେନ ଠାରୁ ଆରମ୍ଭ କରି ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପ୍ରମୁଖ ସ୍ଥାନ ଗୁଡ଼ିକରେ ବର୍ଷା ପାଣି ଜମି ରହିଥିବାରୁ ଟ୍ରାଫିକ ସମସ୍ୟା ସ୍ଥିତିକୁ ଆହୁରି ଜଟିଳ କରିଛି।

author-image
Hemant Lenka
Rain

Rain

ଦେଶର ରାଜଧାନୀ ଦିଲ୍ଲୀରେ ଅବିଶ୍ରାନ୍ତ ବର୍ଷା ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ପ୍ରବଳ ବର୍ଷା ଯୋଗୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ଟ୍ରେନ ଠାରୁ ଆରମ୍ଭ କରି ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପ୍ରମୁଖ ସ୍ଥାନ ଗୁଡ଼ିକରେ ବର୍ଷା ପାଣି ଜମି ରହିଥିବାରୁ ଟ୍ରାଫିକ ସମସ୍ୟା ସ୍ଥିତିକୁ ଆହୁରି ଜଟିଳ କରିଛି।

Advertisment

ଏପରି ସ୍ଥିତିରେ ଦିଲ୍ଲୀର ହରି ନଗରରେ ବଡ଼ ଅଘଟଣ ଘଟିଛି। ଏଠାରେ ଲଗାଣ ବର୍ଷା ଯୋଗୁ ଗୋଟିଏ ବିରାଟ କାନ୍ଥ ଭୁଶୁଡ଼ି ପଡ଼ିଛି। ଫଳରେ ଏହା ତଳେ ଚାପି ହୋଇ ୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ, ୨ ଜଣ ମହିଳା ଓ ୨ ଜଣ ଝିଅ ରହିଛନ୍ତି। ଏମାନେ ସମସ୍ତେ କାନ୍ଥ ସାଇଡରେ ଜରି ପାଲ ପକାଇ ରହୁଥିଲେ। କିନ୍ତୁ ଅବିଶ୍ରାନ୍ତ ବର୍ଷା ସେମାନଙ୍କ ଜୀବନ ନେଇ ଯାଇଛି।

ମୃତକମାନେ ହେଲେ ୩୦ ବର୍ଷୀୟ ଶାବିବୁଲ, ୩୦ ବର୍ଷୀୟ ରବିବୁଲ, ୪୫ ବର୍ଷୀୟ ମୁତ୍ତୁ ଅଲୀ, ୨୫ ବର୍ଷୀୟ ରୁବିନା, ୨୫ ବର୍ଷୀୟ ଡଲୀ, ୬ ବର୍ଷୀୟ ରୁକଶାନା ଓ ୭ ବର୍ଷୀୟ ହସୀନା। ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ସେମାନଙ୍କ ମୃତଦେହକୁ ଧ୍ୱଂସାବଶେଷ ତଳୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

Advertisment

ଅନ୍ୟପକ୍ଷରେ ଶୁକ୍ରବାର ଠାରୁ ଦିଲ୍ଲୀରେ ପ୍ରବଳ ବର୍ଷା ଜାରି ରହିଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଯାଇଛି। ଶନିବାର ସକାଳ ୮.୩୦ ସୁଦ୍ଧା ସଫଦର୍ଜଙ୍ଗରେ ୭୮.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ପ୍ରଗତୀ ମୈଦାନାରେ ୧୦୦ ମିମି, ଲୋଧି ରୋଡରେ ୮୦ ମିମି, ପୁସାରେ ୬୯ ମିମି ଓ ପାଲମା ଅଞ୍ଚଳରେ ୩୧.୮ ମିମି ବର୍ଷା ରେକର୍ଡ ହୋଇଛି।

ବର୍ଷା ଯୋଗୁ ପଞ୍ଚକୁଆନ ମାର୍ଗ, ମଥୁରେ ରୋଡ ଓ ଭାରତ ମଣ୍ଡପମ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ୧୮୨ଟି ବିମାନର ଉଡ଼ାଣ ବଳିମ୍ବିତ ହୋଇଥିବା ବେଳେ ଦିଲ୍ଲୀ ଆସୁଥିବା ୩୦ଟି ବିମାନ ଡେରିରେ ପହଞ୍ଚିଛନ୍ତି।

ଦିଲ୍ଲୀ ଏୟାରପୋର୍ଟ ପକ୍ଷରୁ ମଧ୍ୟ ଯାତ୍ରୀମାନଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି। ବର୍ଷା ଯୋଗୁ ଏୟାରପୋର୍ଟ ଅଞ୍ଚଳରେ ପାଣି ଜମି ରହିଛି। ଏହାକୁ ଦୃଷ୍ଟିରେ ରଖି ଯାତ୍ରୀମାନେ ସେମାନଙ୍କ ଯାତ୍ରା ସମୟ ଧାର୍ଯ୍ୟ କରନ୍ତୁ। ସମୟ ବଞ୍ଚାଇବା ପାଇଁ ଯାତ୍ରୀମାନେ ଦିଲ୍ଲୀ ମେଟ୍ରୋର ବ୍ୟବହାର କରିପାରିବେ। ଏୟାରପୋର୍ଟ ଆସିବା ପୂର୍ବରୁ ଯାତ୍ରା ସମୟର ଅପଡେଟକୁ ଯାଞ୍ଚ କରନ୍ତୁ ବୋଲି ବିଭିନ୍ନ ସେବା ପ୍ରଦାନକାରୀ ସଂସ୍ଥା ପକ୍ଷରୁ ପରାମର୍ଶ ଦିଆଯାଇଛି।

Heavy Rain Delhi