ଅଗ୍ନିକାଣ୍ଡ ପରର ଦୃଶ୍ୟ
ରାଜସ୍ଥାନର ଜୟପୁରରେ ଥିବା ସୱାଇ ମାନ ସିଂହ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ। ହସ୍ପିଟାଲର ଟ୍ରମା ସେଣ୍ଟରର ଆଇସିୟୁରେ ନିଆଁ ଲାଗି ୭ ଜଣଙ୍କ ମୃତ୍ୟୁ ହୋଇଛି। ଆଇସିୟୁରେ ନିଆଁ ଲାଗିବା କ୍ଷଣି ରୋଗୀଙ୍କୁ ସହାୟତା କରିବା ବଦଳରେ ହସ୍ପିଟାଲର କର୍ମଚାରୀମାନେ ସେଠାରୁ ଚାଲି ଯାଇଥିବା ଅଭିଯୋଗ ହୋଇଛି। ହସ୍ପିଟାଲ ବିଲଡିଂର ଦ୍ୱିତୀୟ ମହଲାରେ ଶର୍ଟ ସର୍କିଟରୁ ଏତେ ବଡ଼ ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଅଗ୍ନିକାଣ୍ଡ ପୂରା ଫ୍ଲୋରରେ ଧୂଆଁ ଭର୍ତ୍ତି ହୋଇଯାଇଥିଲା। ଏଥିରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଆତଙ୍କିତ ହୋଇପଡ଼ିଥିଲେ। ଅଣନିଃଶ୍ୱାସୀ ହୋଇ ୭ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଅନେକ କାଗଜପତ୍ର, ଆଇସିୟୁ ସରଞ୍ଜାମ, ରକ୍ତ ନମୁନା ଟ୍ୟୁବ୍ସ ଓ ଅନ୍ୟାନ୍ୟ ଜିନିଷପତ୍ର ନିଆଁରେ ପୋଡ଼ି ହୋଇ ପାଉଁଶ ହୋଇଯାଇଛି।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଉଦ୍ଧାର କରିବା ସହ ନିଆଁକୁ ଆୟତ୍ତ କରିଥିଲେ। ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥିଲା।
ଟ୍ରମା ସେଣ୍ଟର ଇନ ଚାର୍ଜ ଅନୁରାଗ ଧାକଡ କହିଛନ୍ତି ଯେ ଦ୍ୱିତୀୟ ମହଲାରେ ମୋଟ ଦୁଇଟି ଆଇସିୟୁ ରହିଛି। ଗୋଟିଏ ଟ୍ରମା ଆଇସିୟୁ ଓ ଆଉ ଗୋଟିଏ ହେଉଛି ସେମି ଆଇସିୟୁ। ଟ୍ରମା ଆଇସିୟୁରେ ୧୧ ଜଣ ଓ ସେମି ଆଇସିୟୁରେ ୧୩ ଜଣ ରୋଗୀ ରହିଥିଲେ। ଟ୍ରମା ଆଇସିୟୁରେ ଶର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା। ଏହାପରେ ଏହା ଦ୍ରୁତଗତିରେ ବ୍ୟାପିବା ସହ ବିଷାକ୍ତ ଗ୍ୟାସ ପୂରା ଫ୍ଲୋରକୁ କବଜା କରି ନେଇଥିଲା।
ଟ୍ରମା ସେଣ୍ଟରରେ ଥିବା ଅଧିକାଂଶ ରୋଗୀ ଏହାର ସଂସ୍ପର୍ଶରେ ଆସି ଗୁରୁତର ହୋଇଯାଇଥିଲେ। ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଥିଲା। ଶତ ଚେଷ୍ଟା ସତ୍ତ୍ୱେ ସେମାନଙ୍କ ଜୀବନ ବଞ୍ଚା ଯାଇପାରିନି। ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ୨ ଜଣ ମହିଳା ରହିଛନ୍ତି। ଏବେ ଆଉ ୫ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସେ ସୂଚନା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପରିବାର ଲୋକଙ୍କ ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମେଡିକାଲ ଶିକ୍ଷା ବିଭାଗର କମିଶନର ଇକବାଲ ଖାନଙ୍କ ନେତୃତ୍ୱାଧୀନ କମିଟି ପୂରା ଘଟଣାର ତଦନ୍ତ କରିବ।
ଅଗ୍ନିକାଣ୍ଡର କାରଣ, ନିଆଁ ଲାଗିବା ପରେ ହସ୍ପିଟାଲ ମ୍ୟାନେଜମେଣ୍ଟ କ’ଣ ସବୁ ପଦକ୍ଷେପ ନେଇଥିଲେ, ଟ୍ରମା ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଅଗ୍ନିକାଣ୍ଡ ପରେ ରୋଗୀଙ୍କ ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟକୁ କେମିତି ତ୍ୱରାନ୍ୱିତ, ସେସବୁର ତଦନ୍ତ କମିଟି ପକ୍ଷରୁ କରାଯିବ। ଅଗ୍ନିକାଣ୍ଡ ପରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ନିଜର ଦିଲ୍ଲୀ ଗସ୍ତକୁ ବାତିଲ କରିଛନ୍ତି।
ରୋଗୀଙ୍କ ପରିବାର ଲୋକ କହିଛନ୍ତି ଯେ “ଆମେ ଧୂଆଁକୁ ଦେଖିବା ମାତ୍ରେ ହସ୍ପିଟାଲ(Hospital) କର୍ମଚାରୀଙ୍କୁ ସୂଚିତ କରିଥିଲୁ। କିନ୍ତୁ ସେମାନେ ଏହାକୁ ଧ୍ୟାନ ଦେଇ ନଥିଲେ। ନିଆଁ ଲାଗିବା ପରେ ସେମାନେ ପ୍ରଥମେ ବିଲଡିଂରୁ ଚାଲି ଯାଇଥିଲେ। ଏବେ ଆମ ରୋଗୀଙ୍କ ଅବସ୍ଥା ସମ୍ପର୍କରେ ଆମକୁ କେହି କିଛି କହୁ ନାହାନ୍ତି।”
ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି, “ଆଇସିୟୁରେ ନିଆଁ ଲାଗିଥିଲା। କିନ୍ତୁ ଏହାକୁ ଲିଭାଇବା ପାଇଁ କୌଣସି ପ୍ରକାରର ଇକ୍ୟୁପମେଣ୍ଟ ସେଠାରେ ନଥିଲା। ମୋ ମା’ ସେଥିରେ ପ୍ରାଣ ହରାଇଛନ୍ତି। ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଆଦୌ ନାହିଁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/06/fire-2025-10-06-13-18-21.jpg)