Advertisment

Unique Marriage: ୩୫ ବର୍ଷୀୟ ମହିଳାଙ୍କୁ ବାହା ହେଲେ ୭୫ ବର୍ଷୀୟ ବୃଦ୍ଧ, କିନ୍ତୁ ବାହାଘରର ଦିନକ ପରେ ଆଖି ବୁଜିଲେ

୫ ବର୍ଷ ବୟସରେ ବି ସଙ୍ଗ୍ରୁରାମ ଦ୍ୱିତୀୟ ବିବାହ ପାଇଁ ମନ ବଳାଇଥିଲେ। ଏହାକୁ ସମସ୍ତେ ବିରୋଧ କରିଥିଲେ ହେଁ ସେ କାହା କଥା ଶୁଣି ନଥିଲେ। ସୋମବାର ଅର୍ଥାତ ସେପ୍ଟେମ୍ବର ୩୦ରେ ସେ ୩୫ ବର୍ଷୀୟ ମନଭବତୀଙ୍କୁ ବିବାହ କରିଥିଲେ।

author-image
Hemant Lenka
Marries

ବାହାଘର ବେଳର ଦୃଶ୍ୟ

ଶୀର୍ଷ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ହେଲେ କଥାଟି ପୂରା ସତ। ସଙ୍ଗ୍ରୁରାମ ନାମକ ଜଣେ ୭୫ ବର୍ଷୀୟ ବୃଦ୍ଧ ତାଙ୍କ ଠାରୁ ଅଧା ସାନ ମହିଳାଙ୍କୁ ବିବାହ କରିଥିଲେ। ମହିଳାଙ୍କ ବୟସ ୩୫ ବର୍ଷ। ଗୋଟିଏ ବର୍ଷ ଧରି ଏକାନ୍ତ ଜୀବନ ବିତାଇଥିବା ସଙ୍ଗ୍ରୁରାମ ଭାବିଥିଲେ ଯେ ନିଜ ଜୀବନର ବାକି ସମୟ ୩୫ ବର୍ଷୀୟ ପତ୍ନୀଙ୍କ ସହ କାଟି ଦେବେ। ହେଲେ ବାହାଘରର ପରଦିନ ସକାଳୁ ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କର ସବୁ ଆଶା ଅଧା ରହି ଯାଇଛି। 

Advertisment

ପୂରା ଘଟଣା ଉତ୍ତର ପ୍ରଦେଶ(Uttar Pradesh)ର ଜୌନପୁର ଜିଲା କୁଚ୍ଚମୁଚ୍ଚ ଗାଁରେ ଘଟିଛି। ବର୍ଷକ ତଳେ ସଙ୍ଗ୍ରୁରାମ ନିଜର ପ୍ରଥମ ପତ୍ନୀଙ୍କୁ ହରାଇଥିଲେ। ପତ୍ନୀଙ୍କୁ ହରାଇବା ପରେ ସେ ଗୋଟିଏ ବର୍ଷ ହେଲା ଏକାକୀ ଜୀବନ ବିତାଉଥିଲେ। କାରଣ ତାଙ୍କର କୌଣସି ପିଲାପିଲି ନଥିଲେ। ସଙ୍ଗ୍ରୁରାମ ଚାଷ କାମ କରି ଚଳୁଥିଲେ। 

ସମ୍ପର୍କୀୟଙ୍କ କହିବା କଥା ଯେ ୭୫ ବର୍ଷ ବୟସରେ ବି ସଙ୍ଗ୍ରୁରାମ ଦ୍ୱିତୀୟ ବିବାହ(Marriage) ପାଇଁ ମନ ବଳାଇଥିଲେ। ଏହାକୁ ସମସ୍ତେ ବିରୋଧ କରିଥିଲେ ହେଁ ସେ କାହା କଥା ଶୁଣି ନଥିଲେ। ସୋମବାର ଅର୍ଥାତ ସେପ୍ଟେମ୍ବର ୩୦ରେ ସେ ଜଲାଲପୁର ଅଞ୍ଚଳର ୩୫ ବର୍ଷୀୟ ମନଭବତୀଙ୍କୁ ବିବାହ କରିଥିଲେ। ପ୍ରଥମେ ଉଭୟ କୋର୍ଟରେ ବିବାହ ପଞ୍ଜିକରଣ କରିଥିଲେ ଓ ପରେ ସ୍ଥାନୀୟ ମନ୍ଦିରରେ ପାରମ୍ପରିକ ନୀତିରେ ସେମାନଙ୍କ ବାହଘର ହୋଇଥିଲା।

Advertisment

ଏହାପରେ ମନଭବତୀଙ୍କୁ ଧରି ସଙ୍ଗ୍ରୁରାମ ନିଜ ଘରକୁ ଆସିଥିଲେ। ବାହାଘର ଦିନ ସବୁ କିଛି ଠିକ ଠାକ ରହିଥିଲା। ଦୁଇ ଜଣ ରାତି ତମାମ ପରସ୍ପର ସହ କଥା ହୋଇଥିଲା। କଥାବାର୍ତ୍ତାରେ ରାତି ପାହି ଯାଇଥିଲା ବୋଲି ମନଭବତୀ କହିଛନ୍ତି।

ତାଙ୍କ କହିବା କଥା ଯେ ବାହାଘରର ପରଦିନ ସକାଳେ ସଙ୍ଗ୍ରୁରାମଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍‌ ବିଗିଡ଼ି ଯାଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସଙ୍ଗ୍ରୁରାମଙ୍କ ହଠାତ୍‌ ମୃତ୍ୟୁକୁ ନେଇ ପୂରା ଗାଁରେ ବିଭିନ୍ନ ପ୍ରକାରର ଆକଳନ କରାଯାଉଛି। କିଛି ଲୋକ ଏହାକୁ ବୟସଜନିତ ସ୍ୱାଭାବିକ ମୃତ୍ୟୁ କହୁଥିବା ବେଳେ ଆଉ କିଛି ଏହା ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି। 

ସଙ୍ଗ୍ରୁରାମଙ୍କ ପୁତୁରା ଓ ଅନ୍ୟ ସମ୍ପର୍କୀୟମାନେ ଦିଲ୍ଲୀରେ ରୁହନ୍ତି। ସେମାନେ ଗାଁ ଲୋକଙ୍କ ତରଫରୁ କରାଯାଉଥିବା ସଂସ୍କାରକୁ ବନ୍ଦ କରିଛନ୍ତି। ସେମାନେ ଆସିବା ପରେ ସଙ୍ଗ୍ରୁରାମଙ୍କ ଅନ୍ତିମ ସଂସ୍କାର କରାଯିବ। ସେହିପରି ସଙ୍ଗ୍ରୁରାମଙ୍କ ମୃତ୍ୟୁର ଯାଞ୍ଚ ହେବ କି ନାହିଁ, ସେକଥା ମଧ୍ୟ ଏବେ ବିଚାର କରାଯାଉଛି। 

Uttar Pradesh Marriage