Advertisment

ଡାକ୍ତର ମା’ର ହିଟଲରୀ ଶାସନ; କେତେବେଳେ ପିଲା ଛାତିରେ ବସିଯାଏ, ତ କେତେବେଳେ ତଳେ କଚାଡ଼ି ଦିଏ

୧୧ ବର୍ଷୀୟ ନାବାଳକ ଦିଲ୍ଲୀର ଏକ ପ୍ରତିଷ୍ଠିତ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କ ମା’ ଜଣେ ଡାକ୍ତର ଓ ବାପା ବ୍ୟବସାୟୀ। ଛୋଟ ଛୋଟ କଥାରେ ସେ ନିଜ ଛୁଆକୁ ଆଖିବୁଜା ମାଡ଼ ମାରୁଥିଲେ ।

author-image
Niharika Rout
ଅଦ୍ୟତନ ହୋଇଛି
Mother & Son

Mother & Son

କେବଳ ଜନ୍ମ ଦେଇଦେଲେ, ମା’ର କର୍ତ୍ତବ୍ୟ ଶେଷ ହୋଇଯାଏନି। ମା’ ସବୁବେଳେ ନିଜ ପିଲା ପାଖରେ ଛାଇ ପରି ରହିଥାଏ। ଯିଏ ନିଜ ପିଲାକୁ ସ୍ନେହ, ମମତା ଡୋରିରେ ବାନ୍ଧି ରଖେ, ବିପଦଆପଦରେ ପିଲା ପାଇଁ ସୁରକ୍ଷା କବଚ ସାଜେ ସିଏ ହେଉଛି ମା’ । ହେଲେ ଆଜି ଏପରି ଏକ ଉଚ୍ଚଶିକ୍ଷିତା ମା’ ଘଟଣା ସାମନାକୁ ଆସିଛି ଯାହା ନାଁ ଶୁଣିଲେ ପିଲା ଛାତିରେ ଛନକା ପଶି ଯାଉଛି। ନିଜ ମା’ କଥା ଭାବି ପିଲାଟି ଭୟରେ ଥରହର ହେଉଛି। କାରଣ ମହିଳାଜଣକ ପିଲାଟିକୁ ବର୍ଷ ବର୍ଷ ହେଲା ଅତି ନିର୍ମମ ଭାବେ ପିଟି ଚାଲିଛନ୍ତି। ଏଥିରୁ ବାହାରିବାର ଅନ୍ୟ କୌଣସି ବାଟ ନ ଥିବାରୁ ପିଲାଟି ବି ମୁଣ୍ଡ ପାତି ମା’ର ନିର୍ଯାତନା ସହି ଚାଲିଛି। ଏପରି ଏକ ଲୋମଟାଙ୍କୁରା ଘଟଣା ରାଜଧାନୀ ଦିଲ୍ଲୀର ଫରିଦାବାଦରେ ଘଟିଛି।

Advertisment

୧୧ ବର୍ଷୀୟ ନାବାଳକ ଦିଲ୍ଲୀର ଏକ ପ୍ରତିଷ୍ଠିତ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କ ମା’ ଜଣେ ଡାକ୍ତର ଓ ବାପା ବ୍ୟବସାୟୀ। ଉଭୟ ପତିପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ଚାଲିଥିବାରୁ ପିଲାଟି ନିଜ ମା’ଙ୍କ ପାଖରେ ରହୁଥିଲେ। କିନ୍ତୁ ମହିଳାଜଣକ ହିଟଲରଠୁ କୌଣସି ଗୁଣରେ କମ୍‌ ନୁହନ୍ତି।

ପିଲାଟି ସବୁବେଳେ ନିଜ କ୍ଲାସ୍‌ରେ ଫାଷ୍ଟ ହେଉଥିବା ବେଳେ ମହିଳାଜଣକ କିନ୍ତୁ ଏଥିରେ ଖୁସି ନ ଥିଲେ। ଛୋଟ ଛୋଟ କଥାରେ ସେ ନିଜ ଛୁଆକୁ ଆଖିବୁଜା ମାଡ଼ ମାରୁଥିବା ବେଳେ ପିଲାଟି ସବୁ କଷ୍ଟ ସହି ଯାଉଥିଲା। ପତିଙ୍କ ସହ ମନୋମାଳିନ୍ୟର ସମସ୍ତ ରାଗ ମହିଳାଜଣକ ନିଜ ପିଲା ଉପରେ ଶୁଝାନ୍ତି। କେତେବେଳେ ବିଧା, ଗୋଇଠା, ଲାତ ମାରନ୍ତି । କେତେବେଳେ ସେ ନିଜ ଛୁଆର ଛାତି ଉପରେ ଚଢ଼ି ଯାଆନ୍ତି, ତ କେତେବେଳେ ତାକୁ ତଳେ କଚାଡ଼ି ଦିଅନ୍ତି। ପିଲାଟି କଷ୍ଟରେ ବିଳିବିଳେଇ ଉଠିଲେବି ମା’ ମନ କେବେ ତରଳେନି। ଏହାର ଭିଡିଓ ଏତେ ଭୟଙ୍କର ଯେ, ଏହାକୁ ପୋଷ୍ଟ କରିବା ବି ସମ୍ଭବପର ନୁହେଁ।

Advertisment

ମହିଳାଜଣକ ଘରେ, ବାହାରେ ସବୁବେଳେ ଟିକିଟିକ କଥାରେ ପିଲାଟିକୁ ପିଟିବା ଆରମ୍ଭ କରି ଦିଅନ୍ତି। ଏପରିକି ବନ୍ଧୁବାନ୍ଧବକଙ୍କ ଘରେ, ବିଦେଶ ବୁଲିବାକୁ ଗଲେ ବି ସେ ପିଲାଟିକୁ ପଶୁ ପରି ପିଟୁଥିବାର ତାଙ୍କ ପିତା କହିଛନ୍ତି।

ନିର୍ଯାତନାର ସବୁ ସୀମା ଲଘିଂବା ପରେ ପିଲାଟିର ପିତା ଫରିଦାବାଦର ଶିଶୁ ମଙ୍ଗଳ ସୁରକ୍ଷା ସମିତି ନିକଟରେ ଅଭିଯୋଗ କରିଥିଲେ। ଏପରିକି ନିଜ ପତ୍ନୀଙ୍କ କ୍ରୂରତାର ଭିଡିଓ ବି ସେ ସୁରକ୍ଷା ସମିତିକୁ ହସ୍ତାନ୍ତର କରିଛନ୍ତି। ଏହାପରେ ଗତ ୧୯ ତାରିଖରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା। ଏନେଇ ସୂରଜକୁଣ୍ଡ ଥାନାରେ ବି ଏକ ମାମଲା ରୁଜୁ ହୋଇଥିବା ବେଳେ ମାମଲାର ଯାଞ୍ଚ ଚାଲିଛି।

ପିଲାଟିର ପିତା ସବୁ ଜାଣିଥିବା ବେଳେ ବିରୋଧ କରିବାକୁ ଚେଷ୍ଟା କଲେ ମହିଳାଜଣକ ଆତ୍ମହତ୍ୟା କରିବାର ତଥା ନିଜ ଛୁଆକୁ ମାରିଦେବାର ଧମକ ଦିଅନ୍ତି। ତେଣୁ ସେ ବାଧ୍ୟ ହୋଇ ଚୁପ୍‌ ରହିଥାନ୍ତି ବୋଲି କହିଛନ୍ତି।

ଏହି ଘଟଣାରେ ନାବାଳକକୁ CWC ସମ୍ମୁଖରେ ହାଜର କରାଯାଇଥିବା ବେଳେ ତାଙ୍କ ବୟାନ ରେକର୍ଡ କରାଯାଇଛି। ପିଲାଟି ନିଜ ଛାତିର କୋହକୁ ବଖାଣି କହିଛି, ମୋତେ ପିଟିବାର କୌଣସି ବି ସୁଯୋଗକୁ ମା’ ହାତଛଡ଼ା କରେନି। ମା’ଙ୍କ କ୍ରୂରତା ଦେଖି ପିଲାଟି ସବୁ ନିର୍ଯାତନା ସହି ଯାଉଥିଲେ ବି ଏନେଇ କେବେ ବାହାରେ ପାଟି ଫିଟାଇ ନାହିଁ। ଏପରିକି ନିଜ ପିତାଙ୍କ ସହ କଥା ହେବାକୁ ବି ପିଲାଟିକୁ ମହିଳାଜଣକ ବାରଣ କରିଥିବା ଜଣାଯାଇଛି। ପିତାଙ୍କ ସହ କଥା ହେଲେ ହଷ୍ଟେଲ ପଠାଇଦେବାର ଧମକ ଦେବାକୁ ସେ ପଛାଉ ନାହାନ୍ତି। ଏପରିକି ବାହାରେ ଅନ୍ୟମାନଙ୍କ ସମ୍ମୁଖରେ ମା’ ଆଦର କରୁଥିବା ବେଳେ ପିତା ମାରପିଟ କରୁଥିବା କହିବାକୁ ବାଧ୍ୟ କରୁଥିଲେ।

ଏନେଇ ନାବାଳକଙ୍କ ମା’ ତଥା ଅଭିଯୁକ୍ତା ମହିଳାଙ୍କୁ ପଚାରିବାରୁ ବୈବାହିକ ଜୀବନରେ ଦେଖାଦେଇଥିବା ଝଡ଼ରେ ସେ ଅତିଷ୍ଠ ହୋଇ ପଡ଼ିଛନ୍ତି। ତେଣୁ ସେ ପିଲାଟିକୁ ମାରଧର କରୁଥିବା ସ୍ୱୀକାର କରିବା ସହ ତାକୁ ଭଲ ବି ପାଉଥିବା ତା’ ର ସମସ୍ତ ଖର୍ଚ୍ଚ ବହନ କରୁଥିବା କହିଛନ୍ତି।

ମାତ୍ର ପିଲାଟି ପ୍ରତି ଜଣେ ମା’ର ଏପରି ବ୍ୟବହାର କଦାପି ଗ୍ରହଣୀୟ ନୁହେଁ। ତେଣୁ ପିଲାଟିର ସୁରକ୍ଷା ନେଇ କଥା ଥାନାରେ ପହଞ୍ଚିଥିବା ବେଳେ ପିଲାଟି ପୂର୍ବ ପରି ନିଜ ମା’ ସହ ରହିବ ନା ଚାଇଲଡ କେୟାର ୟୁନିଟ୍‌ରେ ରହିବ ତାହା ସ୍ଥିର ହୋଇନି।

Delhi Mother Torture;