Advertisment

ସତ୍‌ସଙ୍ଗରେ ଦଳାଚକଟା, ୧୧୬ ମୃତ

ପ୍ରଥମେ ଏହି ଘଟଣାରେ ୨୩ ମହିଳାଙ୍କ ସମେତ ମୋଟ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଖବର ଆସିଥିଲା।

ଅଦ୍ୟତନ ହୋଇଛି
Crowd

Crowd

Advertisment

ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାର ସିକନ୍ଦରା ରାଓ ଥାନା ପୁଲରାଇ ଗାଁରେ ମଙ୍ଗଳବାର ଏକ ସତ୍‌ସଙ୍ଗରେ ହୋଇଥିବା ଦଳାଚକଟାରେ ୧୧୬ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ତିନି ଜଣ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି।  

Advertisment

ଅଲୀଗଡ଼ ଆଇଜି ଶଲଭ ମାଥୁର କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୧୬ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇସାରିଛି। ୨୭ଟି ମୃତଦେହ ଏଟାରେ ଥିବା ବେଳେ ବାକିଗୁଡ଼ିକ ହାଥରସରେ ଅଛି। ବ୍ୟବଚ୍ଛେଦ ପାଇଁ ସେଗୁଡ଼ିକୁ ବିଭିନ୍ନ ଡାକ୍ତରଖାନାକୁ ପଠାଯାଇଛି। ଆହତମାନେ ଯେପରି ଉତ୍ତର ଚିକିତ୍ସା ପାଇପାରିବେ, ସେ ଦିଗରେ ମଧ୍ୟ ଦୃଷ୍ଟି ଦିଆଯାଉଛି। ଏହି ଘଟଣାରେ ମାମଲା ରୁଜୁ ହୋଇଛି। ଏହି କାର୍ଯ୍ୟକ୍ରମ ପାଇଁ ଯେଉଁମାନେ ଅନୁମତି ଲୋଡିଥିଲେ, ସେମାନଙ୍କ ନାଁ ଏଥିରେ ଯୋଡ଼ା ଯିବ। ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ଯେତିକି ଲୋକଙ୍କ ପାଇଁ ଅନୁମତି ଦିଆଯାଇଥିଲା, ତା’ଠାରୁ ଢେର ଅଧିକ ଏଥିରେ ସାମିଲ ହୋଇଥିଲେ।  

ମାନବ ମଙ୍ଗଳ ମିଳନ ସଦଭାବନା ସଙ୍ଗମ କମିଟି ପକ୍ଷରୁ ଏହି ସତ୍‌ସଙ୍ଗର ଆୟୋଜନ କରାଯାଇଥିଲା। ସ୍ଥାନୀୟ ଆତ୍ମଘୋଷିତ ଧାର୍ମିକ ଗୁରୁ ଭୋଲା ବାବା ଓରଫ ନାରାୟଣ ସାକର ହରିଙ୍କ ସମ୍ମାନାର୍ଥେ ଏହି ସତ୍‌ସଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷ ହେବା ପରେ  ଦଳାଚକଟା ହୋଇଥିଲା। 

Advertisment

କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଏଠାରେ ବହୁତ ଭିଡ଼ ଜମି ଥିଲା। କାର୍ଯ୍ୟକ୍ରମ ଶେଷ ହେବା ପରେ ଆମେ ସମସ୍ତେ ଘରକୁ ଫେରିଯିବାକୁ ବାହାରିଥିଲୁ। ତେବେ ବାହାରିବା ସ୍ଥାନଟି ଖୁବ୍ ଛୋଟ ଥିଲା। ଆମେ ସେଠାରୁ ବାହାରିବାକୁ ଉଦ୍ୟମ କରୁଥିବା ବେଳେ ଠେଲାପେଲା ଆରମ୍ଭ ହୋଇଗଲା। ପରେ ଏହା ଦଳାଚକଟାର ରୂପ ନେଇଥିଲା। ଦଳାଚକଟା ବେଳେ କିଛି ଲୋକ ସେଥିରୁ ବର୍ତ୍ତିବାକୁ ଉଦ୍ୟମ କରି ରାସ୍ତାକଡ଼ରେ ଥିବା ଡ୍ରେନ୍‌ରେ ପଡ଼ି ଯାଇଥିଲେ। ରାସ୍ତା ଉଚ୍ଚରେ ଥିଲା ଓ ତା’ ତଳେ ଡ୍ରେନ୍ ଥିଲା। ସେତେବେଳେ ଆମେ ଜାଣିପାରିଲୁନି କ’ଣ କରିବୁ। ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ୨୦-୨୫ ଲୋକଙ୍କ ମୃତ୍ୟୁ ଘଟିଛି। 

ଅନ୍ୟପକ୍ଷରେ ସିକନ୍ଦରା ରାଓ ଉପଜିଲ୍ଲାପାଳ କହିଛନ୍ତି, ସତ୍‌ସଙ୍ଗ ଶେଷ ହେବା ପରେ ଭୋଲେ ବାବାଙ୍କୁ ନିକଟରୁ ଦେଖିବା ପାଇଁ ଭକ୍ତମାନେ ଉଦ୍ୟମ କରିବାରୁ ଦଳଚକଟା ହୋଇଥିଲା। ସେମାନେ କେବଳ ଭୋଲେ ବାବାଙ୍କୁ ନିକଟରୁ ଦେଖିବା ପାଇଁ ଚାହୁଁ ନଥିଲେ, ତାଙ୍କ ପାଦଧୂଳି ସଂଗ୍ରହ କରିବା ପାଇଁ ପ୍ରୟାସ କରିଥିଲେ।  

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ। ସ୍ଥାନୀୟ ଆୟୋଜକମାନେ ଭୋଲେ ବାବାଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ଭୋଲେ ବାବା ମଞ୍ଚ ତଳକୁ ଆସିବା ପରେ ହଠାତ୍ ଏକା ସାଙ୍ଗରେ ଅନେକ ସଂଖ୍ୟକ ଲୋକ ତାଙ୍କ ଆଡ଼କୁ ମାଡ଼ି ଯାଇଥିଲେ। ସେମାନେ ତାଙ୍କ ଚରଣ ସ୍ପର୍ଶ କରି ଆଶୀର୍ବାଦ ନେବା ପାଇଁ ଚାହୁଁଥିଲେ। ତେବେ ସେମାନଙ୍କୁ ସେବକମାନେ ଅଟକାଇଥିଲେ। ଆଉ ତା’ପରେ ସେଠାରେ ଦଳାଚକଟା ହୋଇଥିଲା। ପୂରା ଘଟଣାର ତଦନ୍ତ କରିବା ପାଇଁ ଆମେ ଆଗ୍ରା ଏଡିଜିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରିଛୁ। ସବିଶେଷ ରିପୋର୍ଟ ଦେବା ପାଇଁ ସେମାନଙ୍କୁ କୁହାଯାଇଛି। ଘଟଣାସ୍ଥଳରେ ମୁଖ୍ୟ ଶାସନ ସଚିବ ଓ ଡିଜିପି କ୍ୟାମ୍ପ କରିଛନ୍ତି। ସେହିଭଳି ରାଜ୍ୟ ସରକାରଙ୍କ ତିନି ଜଣ ମନ୍ତ୍ରୀ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି।  

ହାଥରସ ଜିଲ୍ଲାପାଳ କହିଛନ୍ତି ଯେ ଏହା ଏକ ଘରୋଇ କାର୍ଯ୍ୟକ୍ରମ ଥିଲା। ଏଥିପାଇଁ ସବ୍‌-ଡିଭିଜିନାଲ ମାଜିଷ୍ଟ୍ରେଟ୍ ଅନୁମତି ପ୍ରଦାନ କରିଥିଲେ। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଅନ୍ୟାନ୍ୟ ବ୍ୟବସ୍ଥା ଆୟୋଜକମାନଙ୍କ ଦ୍ୱାରା କରାଯାଇଥିଲା। 

ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଏକ୍ସରେ ଲେଖିଛନ୍ତି, ଏହା ଏକ ହୃଦୟ ବିଦାରକ ଘଟଣା। ନିଜ ପରିବାରଜନଙ୍କୁ ହରାଇଥିବା ଲୋକଙ୍କୁ ମୁଁ ସମବେଦନା ଜଣାଉଛି ତଥା ଆହତମାନଙ୍କର ଦ୍ରୁତ ଆରୋଗ୍ୟ କାମନା କରୁଛି। 

ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe