/odisha-reporter/media/media_files/2026/03/08/stop-rape-2026-03-08-17-00-08.jpg)
representational image
ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ ତଥା ଲଜ୍ଜାଜନକ ଘଟଣା। ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘଟାଇଛନ୍ତି ଜଘନ୍ୟକାଣ୍ଡ। ସେମାନେ ଜଣେ ୯୦ ବର୍ଷୀୟ ବୃଦ୍ଧାଙ୍କୁ କରିଛନ୍ତି ଗଣଦୁଷ୍କର୍ମ। ମଧ୍ୟପ୍ରଦେଶର ଖାଣ୍ଡୱା ଜିଲ୍ଲାରେ ଏପରି ଭୟଙ୍କର ଘଟଣା ଘଟିଥିବା ବେଳେ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପୁଲିସ୍ ପକ୍ଷରୁ ଏସ୍ଆଇଟି ଗଠନ କରାଯାଇଛି।
ଗଣଦୁଷ୍କର୍ମ(Stop Rape) ପରେ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଏଥିପାଇଁ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ସେ ବିପଦ ମୁକ୍ତ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।
ବୃଦ୍ଧା ଜଣଙ୍କ ଜିଲ୍ଲା ମୁଖ୍ୟାଳୟ ଠାରୁ ୫୫ କିମି ଦୂରରେ ଥିବା ଗୋଟିଏ ଗାଁରେ ରୁହନ୍ତି। ଗାଁରେ ଥିବା ଚାଷ ଜମି ନିକଟରେ ସେ କୁଡ଼ିଆ କରି ଏକାକୀ ସେଠାରେ ରହୁଥିଲେ। କିନ୍ତୁ ଗୁରୁବାର ସେ କୁଡ଼ିଆରେ ଥିବା ବେଳେ ୪ ଜଣ ମୁଖାପିନ୍ଧା ବ୍ୟକ୍ତି ସେଠାରେ ପହଞ୍ଚିଥିଲେ।
ବୃଦ୍ଧାଙ୍କ ଅସହାୟତାର ଫାଇଦା ଉଠାଇ ସେମାନେ ତାଙ୍କୁ କୁଡ଼ିଆ ଭିତରେ ହିଁ ଗଣଦୁଷ୍କର୍ମ କରିଥିଲେ। ପୂରା ଘଟଣା ରାତିରେ ଘଟିଥିବା ବେଳେ ବୃଦ୍ଧା ଜଣଙ୍କ ରାତି ତମାମ ଯନ୍ତ୍ରଣାର ସାମ୍ନା କରିଥିଲେ। ପରଦିନ ସକାଳେ ସେ ଆଉ ଗୋଟିଏ ଗାଁରେ ରହୁଥିବା ନିଜ ଝିଅଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ସେ ତୁରନ୍ତ ମା’ଙ୍କ ପାଖକୁ ଆସିଥିଲେ। ମା’ଙ୍କ ଠାରୁ ସବୁ କଥା ବୁଝିବା ପରେ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ।
ହସ୍ପିଟାଲରେ ଡାକ୍ତରମାନେ ବୃଦ୍ଧାଙ୍କ ଚିକିତ୍ସା କରିବା ପରେ ପୁଲିସର ଦ୍ୱାରସ୍ଥ ହେବାକୁ କହିଥିଲେ। ଏହାପରେ ପୀଡ଼ିତାଙ୍କ ଝିଅ ଖାଣ୍ଡୱା ପୁଲିସ୍ରେ ଗଣଦୁଷ୍କର୍ମର ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ୍ ଭାରତୀୟ ନ୍ୟାୟ ସଂହିତାର ଧାରା ୭୦ ଅନୁସାରେ ଗୋଟିଏ ଗଣଦୁଷ୍କର୍ମ ମାମଲା ରୁଜୁ କରିଛି।
ଏଥିସହ ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ ହୋଇଛି। ଅପରାଧରେ ସାମିଲ ଥିବା ୪ ଜଣଙ୍କୁ ଠାବ କରିବା ପାଇଁ ୩ଟି ଟିମ ନିୟୋଜିତ ହୋଇଥିବା ବେଳେ ସୂଚନା ପାଇଁ ୧୦ ହଜାର ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
