/odisha-reporter/media/post_attachments/uploadimage/library/16_9/16_9_0/Train_1685873179.jpg)
Train
ଶୁକ୍ରବାର ଓଡ଼ିଶାର ବାଲେଶ୍ୱର ଅନ୍ତର୍ଗତ ବାହାନଗାରେ ଟ୍ରିପଲ ଟ୍ରେନ ଟ୍ରାଜେଡି ଘଟଣାକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଦୁଇଟି ଯାତ୍ରୀବାହୀ ଟ୍ରେନ ଓ ଗୋଟିଏ ମାଲବାହୀ ଟ୍ରେନ ମଧ୍ୟରେ ହୋଇଥିବା ଦୁର୍ଘଟଣା ୨୭୫ ଜଣଙ୍କ ଜୀବନ ନେଇଛି। ଏଥିରେ ୧ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାରେ ପୂରା ଦେଶ ସମେତ ବିଶ୍ୱସ୍ତବ୍ଧ ହୋଇଯାଇଛି।
ଶୁକ୍ରବାର ସନ୍ଧ୍ୟା ୬.୫୦ ବେଳେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଲୋପ ଲାଇନରେ ଥିବା ମାଲବାହୀ ଟ୍ରେନର ବାମ ପଟେ ଥିବା ମୁଖ୍ୟ ଟ୍ରାକ୍ରେ ପାସ୍ କରିବାର ଥିଲା। କିନ୍ତୁ ଟ୍ରାକ ବଦଳାଉଥିବା ଇଣ୍ଟରଲକିଂ ବ୍ୟବସ୍ଥାରେ ତ୍ରୁଟି ଯୋଗୁ କରମଣ୍ଡଳ ଏକ୍ସପ୍ରେସ ଟ୍ରାକ ପରିବର୍ତ୍ତନ କରି ପାରି ନଥିଲା। କରମଣ୍ଡଳ ବାମ ପଟ ଟ୍ରାକ୍କୁ ଯିବା ପରିବର୍ତ୍ତେ ଦ୍ରୁତଗତିରେ ମାଲବାହୀ ଟ୍ରେନ୍କୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଯାଇଥିଲା।
କରମଣ୍ଡଳ ଏକ୍ସପ୍ରେସର ଗୋଟିଏ ବଗି ଡାହାଣ ପଟ ଟ୍ରାକ୍କୁ ଖସି ଯାଇଥିଲା। ଏହି ଟ୍ରାକ୍ରେ ବେଙ୍ଗାଲୁରୁ- ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ଆସୁଥିଲା। ବେଙ୍ଗାଲୁରୁ-ହାୱାଡା ଏକ୍ସପ୍ରେସର ଶେଷ ଦୁଇଟି ବଗିକୁ କରମଣ୍ଡଳ ଏକ୍ସପ୍ରେସର ଗୋଟିଏ ବଗି ଧକ୍କା ଦେଇଥିଲା। ଫଳରେ ୩ଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ତେବେ ବେଙ୍ଗାଲୁରୁରୁ ବାହାରିଥିବା ସୁପରଫାଷ୍ଟ ଏକ୍ସପ୍ରେସ ଅଢ଼େଇ ଘଣ୍ଟା ପୂର୍ବରୁ ଉକ୍ତ ସ୍ଥାନ ଅତିକ୍ରମ କରିବାର ଥିଲା। କିନ୍ତୁ ଏହା ବିଳମ୍ବରେ ଚାଲୁଥିଲା। ତେଣୁ ଅଢ଼େଇ ଘଣ୍ଟା ବିଳମ୍ବ ଯୋଗୁ ମୃତାହତଙ୍କ ସଂଖ୍ୟା ଅଧିକ ହୋଇଛି।
ଦକ୍ଷିଣପୂର୍ବ ରେଳବାଇ ସିପିଆରଓ ଆଦିତ୍ୟ କୁମାର ଚୌଧୁରୀ କହିଛନ୍ତି, “କରମଣ୍ଡଳ ଏକ୍ସପ୍ରେସ ଠିକ ସମୟରେ ଚାଲୁଥିଲା। କିନ୍ତୁ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ଅଢ଼େଇ ଘଣ୍ଟା ବିଳମ୍ବରେ ଚାଲୁଥିଲା। ଏହା ଏକ ଭୟଙ୍କର ସଂଯୋଗ।”
ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜର ମନୋଜ ଯୋଶୀ କହିଛନ୍ତି, ବେଙ୍ଗାଲୁରୁ-ହାୱାଡା ଟ୍ରେନ ଠିକ ସମୟରେ ଯାଇଥିଲେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ପୂର୍ବରୁ ଉକ୍ତ ସ୍ଥାନକୁ ପାସ୍ କରି ଯାଇଥାଆନ୍ତା। କେବଳ କରମଣ୍ଡଳ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ମୃତାହତଙ୍କ ସଂଖ୍ୟା ମଧ୍ୟ କମ ରହିଥାଆନ୍ତା।
ଦୁଇ ଟ୍ରେନ ପରସ୍ପରକୁ କ୍ରସ କରିବାର ଥିଲା ଓ ରେଳ ବ୍ୟବସ୍ଥା ସେହି ଅନୁସାରେ ହୋଇଛି। ଯଦି ଦୁଇଟି ଟ୍ରେନ ଠିକ ସମୟରେ ଯାତ୍ରା କରନ୍ତି, ତା’ହେଲେ ସେମାନେ ପରସ୍ପରକୁ ଫୁଲ ସ୍ପିଡରେ ଅତିକ୍ରମ କରନ୍ତି। ରିଲେ ଇଣ୍ଟରଲକିଂ ବ୍ୟବସ୍ଥା ଫେଲ ମାରିବାରୁ ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା ହୋଇଛି।
ଯଦି ବ୍ୟବସ୍ଥା ଠିକ୍ ଠାକ ରହିଥାଆନ୍ତା, ତା’ହେଲେ ଡ୍ରାଇଭର ବ୍ରେକ ଲଗାଇବାକୁ ସମୟ ପାଇଥାଆନ୍ତେ। ଏପରି କି ଫ୍ଲାଶ ଲାଇଟ ଲଗାଇ ବିପଦ ସଙ୍କେତ ଜାରି କରି ପାରିଥାଆନ୍ତେ। ମିନିଟ କିମ୍ବା କିଛି ସେକେଣ୍ଡ ସମୟ ମିଳିଥିଲେ ଦ୍ୱିତୀୟ ଟ୍ରେନ ଦୁର୍ଘଟଣାରୁ ବର୍ତ୍ତି ଯାଇଥାଆନ୍ତା ବୋଲି ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
