Advertisment

ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ସରକାରୀ କର୍ମଚାରୀ ଅଟକ

ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ବ୍ୟକ୍ତିଗତ ସହାୟକ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ ଅଟକ ଥିବା ବ୍ୟକ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Sakur Khan Mangaliya

Sakur Khan Mangaliya

ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଜଣେ ସରକାରୀ ଚାକିରିଆ ତଥା ଜଣେ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ବ୍ୟକ୍ତିଗତ ସହାୟକଙ୍କୁ ବୁଧବାରଠାରୁ ଅଟକ ରଖିଛି ରାଜସ୍ଥାନ ପୁଲିସ।

Advertisment

ଅଟକ ଥିବା ଏହି ବ୍ୟକ୍ତିଙ୍କ ନାଁ ଶକୁର ଖାନ ମଙ୍ଗଲିୟା। ସେ ରାଜସ୍ଥାନର ଜୈସଲମେର ଜିଲ୍ଲାର ବାସିନ୍ଦା। ସେ ଜୈସଲମେର ସ୍ଥିତ ରାଜ୍ୟ ସରକାରଙ୍କ ନିଯୁକ୍ତି କାର୍ଯ୍ୟାଳୟରେ ଚାକିରି କରନ୍ତି। ଅପରେସନ ସିନ୍ଦୂର ସମୟରେ ଜିଲ୍ଲା ପ୍ରଶାସନର କଣ୍ଟ୍ରୋଲ ରୁମ୍‌ରେ ତାଙ୍କର ଡ୍ୟୁଟି ପଡ଼ିଥିଲା। ତେବେ ତାଙ୍କ କାର୍ଯ୍ୟକଳାପକୁ ନେଇ ଅଧିକାରୀମାନେ ସନ୍ଦେହ ପ୍ରକାଶ କରିଥିଲେ। ସେହିଭଳି ଶକୁର ଖାନ ମଙ୍ଗଲିୟା ପାକିସ୍ତାନ ଦୂତାବାସର ଜଣେ ଅଧିକାରୀଙ୍କ ସହିତ ଯୋଗାଯୋଗରେ ରହିଥିବା ନେଇ ଅଭିଯୋଗ ହେବା ପରେ ତଥା ଆଇଏସ୍‌ଆଇ ସହିତ ତାଙ୍କର ସଂପର୍କ ଥାଇପାରେ ବୋଲି ସନ୍ଦେହ ହେବା ପରେ ଗୁଇନ୍ଦା ସଂସ୍ଥାଗୁଡ଼ିକ ତାଙ୍କ ଉପରେ ନଜର ରଖିଥିଲେ।

ଜୈସଲମେର ଏସ୍‌ପି ସୁଧୀର ଚୌଧୁରୀ କହିଛନ୍ତି, ଶକୁର ଖାନ ମଙ୍ଗଲିୟାଙ୍କ ସନ୍ଦିଗ୍ଧ ଗତିବିଧି ନେଇ ଉପର ସ୍ତରରୁ ରିପୋର୍ଟ ଆସିବା ପରେ ଆମେ ତାଙ୍କୁ ଅଟକ ରଖିଛୁ ଓ ପଚରାପଚରି କରୁଛୁ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଠିକ୍‌ ନା ନୁହେଁ, ତାହା ସ୍ପଷ୍ଟ କରିବା ପାଇଁ ପ୍ରୟାସ କରୁଛୁ।

Advertisment

ଶକୁର ଖାନ ମଙ୍ଗଲିୟା ପୂର୍ବରୁ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶାଲେ ମହମ୍ମଦଙ୍କ ବ୍ୟକ୍ତିଗତ ସହାୟକ ଭାବେ କାର୍ଯ୍ୟ କରୁଥିଲେ। ଶାଲେ ମହମ୍ମଦ ଓ ଶକୁର ଖାନ ମଙ୍ଗଲିୟା ଗୋଟିଏ ଗାଁର ବାସିନ୍ଦା।

ଗୁଇନ୍ଦା ବିଭାଗ ଶକୁର ଖାନ ମଙ୍ଗଲିୟାଙ୍କ ଫୋନ୍‌ରୁ ଅନେକ ଅଜ୍ଞାତ ପାକିସ୍ତାନୀ ନମ୍ବର ପାଇଛି ବୋଲି ସୂଚନା ମିଳିଛି। ସେହି ନମ୍ବରଗୁଡ଼ିକ ତାଙ୍କ ମୋବାଇଲକୁ କିପରି ଆସିଲା, ସେ ନେଇ ସ୍ପଷ୍ଟ ଭାବେ କିଛି କହିପାରିନି ଶକୁର ଖାନ ମଙ୍ଗଲିୟା। ତେବେ ଅତୀତରେ ସେ ୬-୭ ଥର ପାକିସ୍ତାନ ଯାଇଥିବା ସ୍ୱୀକାର କରିଛନ୍ତି।

ପୁଲିସ ଅଧିକାରୀମାନଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଶକୁର ଖାନ ମଙ୍ଗଲିୟାଙ୍କ ମୋବାଇଲ ଫୋନ୍‌ରୁ ଏଯାବତ୍‌ ଭାରତୀୟ ସେନା ସହିତ ଜଡ଼ିତ କୌଣସି ଭିଡିଓ ବା ସମ୍ବେଦନଶୀଳ ତଥ୍ୟ ମିଳିନାହିଁ। ତାଙ୍କର ଆର୍ଥିକ ସ୍ଥିତି ସଂପର୍କରେ ମଧ୍ୟ ଖୋଳତାଡ଼ କରାଯାଉଛି। ତାଙ୍କର ଦୁଇଟି ବ୍ୟାଙ୍କ ଏକାଉଣ୍ଟର ଯାଞ୍ଚ କରାଯାଉଛି।

ଶକୁର ଖାନ ମଙ୍ଗଲିୟାଙ୍କୁ ଜୟପୁର ସ୍ଥିତ ସେଣ୍ଟ୍ରାଲ ଇଭେଷ୍ଟିଗେସନ ସେଣ୍ଟରକୁ ନେଇ ପଚରାଉଚରା କରାଯାଇପାରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଅପରେସନ ସିନ୍ଦୂର ପରଠାରୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ଓ ଗୁଜରାଟ ଆଦି ସ୍ଥାନରୁ ୧୨ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ନେଇ ଅଧିକ ଚର୍ଚ୍ଚା ହୋଇଛି।   

Pakistan ISI Spying