/odisha-reporter/media/post_attachments/uploadimage/library/16_9/16_9_0/Doctor_1757851544.jpg)
Doctor
ଗର୍ଲଫ୍ରେଣ୍ଡଙ୍କୁ ହତ୍ୟା କରିବା ଅଭିଯୋଗରେ ପଶ୍ଚିମବଙ୍ଗର ମାଲଦାର ଜଣେ ଜୁନିୟର ଡାକ୍ତରଙ୍କୁ ଗିରଫ କରିଛି ପୁଲିସ। ତାଙ୍କ ନାଁ ଉଜ୍ଜ୍ୱଳ ସୋରେନ୍। ସେ ମାଲଦା ମେଡିକାଲ କଲେଜ ଓ ହସ୍ପିଟାଲର ଜୁନିୟର ଡାକ୍ତର। ତାଙ୍କ ନିଜ ଘର ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ।
ଉଜ୍ଜ୍ୱଳ ସୋରେନ୍ଙ୍କ ଗର୍ଲଫ୍ରେଣ୍ଡ ଜଣେ ଡାକ୍ତରୀ ଛାତ୍ରୀ ଥିଲେ। ସେ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ପଢୁଥିଲେ।
ଉଭୟେ ବର୍ଷେ ହେଲା ରିଲେସନଶିପ୍ରେ ଥିଲେ। ଡକ୍ତରୀ ଛାତ୍ରୀଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଉଜ୍ଜ୍ୱଳ ସୋରେନ ତାଙ୍କୁ ହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ତାଙ୍କୁ ଗିରଫ କରି ଅଧିକ ଖୋଳତାଡ଼ ଜାରି ରଖିଛି।
ମୃତ ଡାକ୍ତରୀ ଛାତ୍ରୀଙ୍କ ମା’ କହିଛନ୍ତି ଯେ ତାଙ୍କ ଝିଅ ଜୁନିୟର ଡାକ୍ତର ଉଜ୍ଜ୍ୱଲ ସୋରେନଙ୍କ ସହିତ ବର୍ଷେ ହେବ ରିଲେସନଶିପରେ ଥିଲେ। ତା’ ମଧ୍ୟରେ ତାଙ୍କ ଝିଅ ଗର୍ଭବତୀ ହୋଇଥିଲେ। ସେ ଗର୍ଭପାତ ମଧ୍ୟ କରିଥିଲେ। ସେ ନିଜେ ଏହି କଥା କହିଥିଲା। ତିନି ମାସ ତଳେ ତାଙ୍କ ଝିଅ ଓ ଉଜ୍ଜ୍ୱଳ ସୋରେନ୍ ମନ୍ଦିରରେ ବାହା ହୋଇଥିଲେ। ସେମାନେ ଲୁଚି ଲୁଚି ବାହା ହୋଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ଝିଅ କୋର୍ଟରେ ବାହା ହେବାକୁ ଉଜ୍ଜ୍ୱଳ ସୋରେନ୍ଙ୍କୁ କହିଥିଲେ। କିନ୍ତୁ ସେ ରାଜି ହୋଇ ନଥିଲେ। ତା’ପରଠାରୁ ଉଜ୍ଜ୍ୱଳ ସୋରେନ୍ ତାଙ୍କ ଝିଅକୁ ଏଡ଼ାଇ ଚାଲିଥିଲା।
ସେ ଆହୁରି କହିଛନ୍ତି, ଗତ ଶୁକ୍ରବାର ଉଜ୍ଜ୍ୱଳ ସୋରେନ୍ ଫୋନ୍ କରି ଝିଅକୁ ମାଲଦା ଆସିବାକୁ କହିଥିଲା। ଗତ ସୋମବାର ମୋ ଝିଅ ଏଠାକୁ ଆସିଥିଲେ। ସେ ଉଜ୍ଜ୍ୱଳ ସୋରେନ୍ ସହିତ ରହୁଥିଲେ। ସେମାନଙ୍କ ମଧ୍ୟରେ ବୋଧହୁଏ ଝଗଡ଼ା ହୋଇଥିଲା। ତା’ପରେ ଝିଅ ବୋଧହୁଏ କିଛି ଖାଇ ଦେଇଥିଲା। ତାଙ୍କୁ ଏମିତି କିଛି ଖାଇବାକୁ ବାଧ୍ୟ କରାଯାଇଥିଲା, ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ଉଜ୍ଜ୍ୱଳ ସୋରେନ୍ ଆମକୁ କହି ନଥିଲା ଯେ ଆମ ଝିଅର ଅବସ୍ଥା ଗୁରୁତର ରହିଛି। ମୁଁ ଯେତେବେଳେ ଡାକ୍ତରଖାନାରେ ପହଞ୍ଚିଲି ଝିଅର ପାଟିରୁ ଫେଣ ବାହାରୁଥିବା ଦେଖିଥିଲି। ସେ ରାତିରେ ମରିଥିଲେ।
ଡାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ଚିକିତ୍ସାରେ ଅବହେଳା କରିଥିବା ମୃତ ଡାକ୍ତରୀ ଛାତ୍ରୀଙ୍କ ମା’ ଅଭିଯୋଗ କରିଛନ୍ତି।
ପୁଲିସ କହିଛି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଡାକ୍ତରୀ ଛାତ୍ରୀ ଜଣଙ୍କ କୌଣସି ଔଷଧକୁ ମାତ୍ରାଧିକ ପରିମାଣରେ ଖାଇ ଦେଇଥିଲେ। ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି। ସବୁ ରିପୋର୍ଟ ଆସିଗଲେ, ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
