Advertisment

ଚାଞ୍ଚଲ୍ୟକର ଘଟଣା: ସ୍କୁଲର ଉନ୍ନତି ପାଇଁ ଛାତ୍ରଙ୍କୁ ବଳି, ୩ ଶିକ୍ଷକ ସମେତ ୫ ଗିରଫ

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସ୍କୁଲର ମାଲିକ ଓ ନିର୍ଦ୍ଦେଶକ ମଧ୍ୟ ଅଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Dead Student

Dead Student

ସ୍କୁଲର ଉନ୍ନତି ପାଇଁ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ଦିଆଯାଇଛି ବଳି। ଘଟଣାଟି ଘଟିଛି ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାର ରସଗାଓଁରେ। ମୃତ ଛାତ୍ରଙ୍କ ନାଁ କୃତାର୍ଥ କୁଶୱାହା। ସେ ରସଗାଓଁର ଡିଏଲ ପବ୍ଳିକ ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିଲେ। 

Advertisment

ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଡିଏଲ ପବ୍ଳିକ ସ୍କୁଲର ମାଲିକ ଯଶୋଧନ ସିଂହ ଓ ତାଙ୍କ ପୁଅ ତଥା ସ୍କୁଲର ନିର୍ଦ୍ଦେଶକ ଦୀନେଶ ସିଂହ। ଗିରଫ ଅନ୍ୟ ତିନି ଅଭିଯୁକ୍ତ ହେଉଛନ୍ତି ସ୍କୁଲର ଶିକ୍ଷକ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯଶୋଧନ ସିଂହ ଗୁଣିଗାରେଡ଼ି ଉପରେ ବିଶ୍ୱାସ କରନ୍ତି। ତେଣୁ ସ୍କୁଲର ଉନ୍ନତି ପାଇଁ ସେ ଶିଶୁ ବଳି ଦେବା ପାଇଁ ଚାହୁଁଥିଲେ। ଯୋଜନା ମୁତାବକ ଅଭିଯୁକ୍ତମାନେ ସ୍କୁଲ ବାହାରେ ଏକ ନଳକୂଅ ନିକଟରେ କୃତାର୍ଥଙ୍କୁ ମାରିଥା’ନ୍ତେ। କିନ୍ତୁ ସେମାନେ ତାଙ୍କୁ ହଷ୍ଟେଲରୁ ଉଠାଇ ନେଉଥିବା ବେଳେ ସେ ଚିତ୍କାର କରିଥିଲେ। ସେଥିପାଇଁ ଅଭିଯୁକ୍ତମାନେ ସେହିଠାରେ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। 

Advertisment

ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ସ୍କୁଲ ପାଖରୁ ଗଣିଗାରେଡିରେ ବ୍ୟବହୃତ କିଛି ଜିନିଷ ପାଇଥିଲା। ପୁଲିସ ସେଗୁଡ଼ିକୁ ଜବତ କରିଛି। 

କୃତାର୍ଥଙ୍କ ବାପା କୃଷ୍ଣ କୁଶୱାହା କହିଛନ୍ତି ଯେ ସୋମବାର ସକାଳେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଫୋନ୍ କରିଥିଲେ। ତାଙ୍କ ପୁଅ ଅସୁସ୍ଥ ହୋଇପଡ଼ିଥିବା ସେମାନେ କହିଥିଲେ। ଖବର ପାଇବା ପରେ ସେ ହଷ୍ଟେଲରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ କର୍ମଚାରୀମାନେ କହିଥିଲେ ଯେ ତାଙ୍କ ପୁଅଙ୍କୁ ସ୍କୁଲର ନିର୍ଦ୍ଦେଶକ ନିଜ କାରରେ ଡାକ୍ତରଖାନା ନେଇ ଯାଇଛନ୍ତି। ପୁଅକୁ ସାଦାବାଦ ନିଆଯାଇଥିବା ଜାଣିବା ପରେ ସେ ସେଠାକୁ ଯାଇଥିଲେ। ସେଠାରେ ସ୍କୁଲ ନିର୍ଦ୍ଦେଶକଙ୍କ କାରରେ ତାଙ୍କ ପୁଅ କୃତାର୍ଥର ମୃତଦେହ ପଡ଼ିଥିଲା ବୋଲି ସେ କହିଛନ୍ତି।     

କୃତାର୍ଥଙ୍କୁ ସେପ୍ଟେମ୍ବର ୨୨ ତାରିଖ (ରବିବାର) ରାତିରେ ହତ୍ୟା କରାଯାଇଥିଲା। ତେବେ ଅଭିଯୁକ୍ତମାନେ ସେପ୍ଟେମ୍ବର ୬ ତାରିଖରେ ଆଉ ଜଣେ ଛାତ୍ରଙ୍କୁ ବଳି ଦେବାକୁ ପ୍ରୟାସ କରିଥିଲେ। କିନ୍ତୁ ସେମାନେ ବିଫଳ ହୋଇଥିଲେ ବୋଲି ପୁଲିସକୁ କହିଥିବା ଜଣାପଡ଼ିଛି। 

Human Sacrifice