Advertisment

ବିଶ୍ୱ ଚେସ୍ ଚାମ୍ପିୟନ ଡି ଗୁକେଶ ତେଲୁଗୁ ନା ତାମିଲ? ସୋଶାଲ ମିଡିଆରେ ଟଣାଓଟରା

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ କହୁଛନ୍ତି ଗୁକେଶ ତେଲୁଗୁ। ସେପଟେ ତାମିଲ ବୋଲି କହି ୫ କୋଟି ଟଙ୍କା ପୁରସ୍କାର ଘୋଷଣା କରିସାରିଲେଣି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ।

author-image
Debadatta Aryashrestha
D Gukesh Telugu or Tamil?

D Gukesh Telugu or Tamil?

କେବଳ ୧୮ ବର୍ଷ ବୟସରେ ସର୍ବକନିଷ୍ଠ ବିଶ୍ୱ ଚେସ୍ ଚାମ୍ପିୟନ ହୋଇ ଇତିହାସ ରଚିଥିବା ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ଏବେ ସୋଶାଲ ମିଡିଆରେ ସବୁଠାରୁ ବଡ଼ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛନ୍ତି। ତାଙ୍କ ଉଲ୍ଲେଖନୀୟ ସଫଳତାକୁ ନେଇ ତାଙ୍କ ବିଷୟରେ ଯେତିକି ଚର୍ଚ୍ଚା ହେଉଛି, ତା'ଠାରୁ ବେଶୀ ଆଲୋଚନା ହେଉଛି ଯେ ସେ ତେଲୁଗୁ ନା ତାମିଲ। ବାସ୍ତବରେ ତାଙ୍କ ସଫଳତାର ଶ୍ରେୟ ନେବା ପାଇଁ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି।

Advertisment

ଉଭୟ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଗୁକେଶଙ୍କୁ ନିଜ ରାଜ୍ୟର ବୋଲି ଦାବି କରିଛନ୍ତି। ଗୁକେଶଙ୍କ ଐତିହାସିକ ବିଜୟ ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ପ୍ରଥମେ ଗୁରୁବାର ସନ୍ଧ୍ୟା ୭ଟା ୨୫ ମିନିଟରେ ଏକ୍ସରେ ଏକ ପୋଷ୍ଟ କରିଥିଲେ। ଷ୍ଟାଲିନ ଯୁବ ଚାମ୍ପିୟନଙ୍କୁ ଏକ ସ୍ୱର୍ଣ୍ଣ ପଦକ ଦେଉଥିବାର ଏକ ଫଟୋ ସେୟାର କରି ନିଜ ପୋଷ୍ଟରେ ଲେଖିଛନ୍ତି, 'ଉଲ୍ଲେଖନୀୟ ସଫଳତା... ଚେନ୍ନାଇରୁ ଆଉ ଜଣେ ବିଶ୍ୱ ଚାମ୍ପିଅନ୍ ବାହାରି ଆମ ସହରକୁ ବିଶ୍ୱ ଚେସ୍ ରାଜଧାନୀ ଭାବରେ ସ୍ଥାନ ଦେବାରେ ସାହାଯ୍ୟ କଲେ। ତାମିଲନାଡୁ ତୁମ ପାଇଁ ଗର୍ବିତ।'

Advertisment

ଏତିକି ନୁହେଁ, ଆଜି ମଧ୍ୟ ଗୁକେଶଙ୍କ ପାଇଁ ୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ। ଆଜି ଏକ ପୋଷ୍ଟ ଶେୟାର କରି ସେ ଏହି ଘୋଷଣା କରିଛନ୍ତି। ଏଥିରେ ସେ ଲେଖଛନ୍ତି ଯେ ତାଙ୍କର ଐତିହାସିକ ବିଜୟ ଦେଶ ପାଇଁ ଗର୍ବ ଏବଂ ଆନନ୍ଦ ଆଣିଦେଇଛି। ମୁଁ ଇଚ୍ଛା କରେ ଯେ ତାଙ୍କ ଭବିଷ୍ୟତ ଆହୁରି ଉଜ୍ଜ୍ୱଳ ହେଉ ଓ ସେ ନୂଆ ଉଚ୍ଚତାରେ ପହଞ୍ଚନ୍ତୁ। ତାମିଲନାଡ଼ୁ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ମଧ୍ୟ ଏକ୍ସ ପୋଷ୍ଟରେ ଗୁକେଶଙ୍କୁ ତାମିଲନାଡ଼ୁର ବୋଲି ଦର୍ଶାଇଛନ୍ତି।

ଅନ୍ୟପଟେ ଗୁରୁବାର ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ପୋଷ୍ଟ କରିବାର ଠିକ ଦୁଇ ମିନିଟ୍ ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ଏକ ଏକ୍ସ ପୋଷ୍ଟ ସାମ୍ନାକୁ ଆସିଥିଲା। ଗୁକେଶଙ୍କ ଏକ ଫଟୋ ଶେୟାର କରି ଟିଡିପି ନେତା ଲେଖିଛନ୍ତି, 'ଆମ ଅତି ନିଜର ତେଲୁଗୁ ପୁଅକୁ ହାର୍ଦ୍ଦିକ ଅଭିନନ୍ଦନ। ସମଗ୍ର ଦେଶ ତୁମର ଅବିଶ୍ୱସନୀୟ ସଫଳତାକୁ ପାଳନ କରୁଛି। ଆଗାମୀ ଦଶନ୍ଧିରେ ତୁମକୁ ଆହୁରି ଅଧିକ ବିଜୟ ଏବଂ ପ୍ରଶଂସା ମିଳୁ। ଏଥିପାଇଁ ଶୁଭେଚ୍ଛା।'

ତେବେ କେବଳ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସୀମିତ ରହିନି ଏହି ବିତର୍କ। ଏହା ଏବେ ସୋଶାଲ ମିଡିଆ ୟୁଜର୍ସଙ୍କ ସବୁଠାରୁ ବଡ଼ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ତେଲୁଗୁ ଭାଷୀ ୟୁଜର୍ସମାନେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ରିପ୍ଲାଇ ଦେଇ ଗୁକେଶ ଆନ୍ଧ୍ରର ବୋଲି ଦାବି କରିଛନ୍ତି। ଅନ୍ୟପଟେ ତାମିଲନାଡ଼ୁ ଓ ଏହାର ମୁଖ୍ୟମନ୍ତ୍ରୀ ଗୁକେଶଙ୍କ ପାଇଁ କଣ କରିଛନ୍ତି, ତାର ହିସାବ ଦେଇଛନ୍ତି ତାମିଲ ୟୁଜର୍ସ। 

Andhra Pradesh MK Stalin Tamil Nadu D Gukesh Chess World Champion N Chandrababu Naidu D Gukesh Heritage