Advertisment

ଦିବ୍ୟାଙ୍ଗ ପୁଅ ସହିତ ୧୩ ମହଲାରୁ ଡେଇଁ ପଡ଼ିଲେ ମହିଳା

ପୁଅର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସବୁବେଳେ ଚିନ୍ତିତ ରହୁଥିଲେ ସାକ୍ଷୀ।

author-image
Jitendra Garnayak
Mother and Son

Mother and Son

ଜଣେ ୩୭ ବର୍ଷୀୟା ମହିଳା ଓ ତାଙ୍କ ୧୧ ବର୍ଷର ଦିବ୍ୟାଙ୍ଗ ପୁଅ ୧୩ତମ ମହଲାରେ ଥିବା ସେମାନଙ୍କ ଫ୍ଲାଟରୁ ଡେଇଁ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ଦିବ୍ୟାଙ୍ଗ ପୁଅ ମାନସିକ ସ୍ତରରେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବାବେଳେ ମହିଳା ଜଣଙ୍କ ଏଥିଯୋଗୁ ସବୁବେଳେ ଚିନ୍ତିତ ରହୁଥିଲେ। ସେଥିପାଇଁ ସେ ଏମିତି ଏକ ପଦକ୍ଷେପ ନେଇଛନ୍ତି। ଗତକାଲି ଏହି ଘଟଣାଟି ଘଟିଛି ଗ୍ରେଟର ନୋଏଡାରେ।

Advertisment

ମୃତ ମହିଳାଙ୍କ ନାଁ ସାକ୍ଷୀ ଚାୱଲା। ତାଙ୍କ ପୁଅ ନାଁ ଦକ୍ଷ। ସାକ୍ଷୀ ତାଙ୍କ ସ୍ୱାମୀ ଦର୍ପଣ ଚାୱଲା ଓ ପୁଅ ଦକ୍ଷ ସହିତ ଗ୍ରେଟର ନୋଏଡାର ଏସ୍‌ ସିଟୀରେ ରହୁଥିଲେ। ସୂଚନା ଅନୁଯାୟୀ, ଦିବ୍ୟାଙ୍ଗ ଦକ୍ଷଙ୍କ ମାନସିକ ଅବସ୍ଥା ଭଲ ନଥିଲା। ୧୦ ବର୍ଷ ହେଲାଣି ତାଙ୍କ ଚିକିତ୍ସା ଚାଲିଥିଲା। ପୁଅର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାକ୍ଷୀ ଚାୱଲା ଖୁବ୍ ଚିନ୍ତିତ ରହୁଥିଲେ। 

ସାକ୍ଷୀଙ୍କ ସ୍ୱାମୀ ଦର୍ପଣ ଚାୱଲା ଜଣେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ। ଗତକାଲି ଏହି ଦୁଃଖଦ ଘଟଣା ଘଟିବା ବେଳେ ସେ ଘରେ ଉପସ୍ଥିତ ଥିଲେ। ଦର୍ପଣ ପୁଲିସକୁ କହିଛନ୍ତି ଯେ ସେ ଅନ୍ୟ ଏକ ରୁମ୍‌ରେ ଥିବା ବେଳେ ସାକ୍ଷୀ ଓ ଦକ୍ଷଙ୍କ ଚିତ୍କାର ଶୁଣିଥିଲେ। ସେ ବାଲକୋନୀକୁ ଧାଇଁ ଆସିଲା ବେଳକୁ ସାକ୍ଷୀ ଓ ଦକ୍ଷ ତଳେ ପଡ଼ିଥିବା ଦେଖିଥିଲେ।

Advertisment

ପୁଲିସ୍‌ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସାକ୍ଷୀ ଓ ଦକ୍ଷଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ତେବେ ପୁଲିସ୍‌କୁ ଏକ ହାତଲେଖା କାଗଜ ମିଳିଛି। ସେଇଟିକୁ ସାକ୍ଷୀ ଲେଖିଛନ୍ତି ବୋଲି କୁହାଯାଉଛି। ସୁଇସାଇଡ୍‌ ନୋଟ୍‌ରେ ସାକ୍ଷୀ ତାଙ୍କ ସ୍ୱାମୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ଆମେ ଏହି ଦୁନିଆ ଛାଡ଼ି ଯାଉଛୁ। ଆମେ ଖୁବ୍ ଦୁଃଖିତ। ଆମେ ଆଉ ତୁମକୁ ଅସୁବିଧାରେ ପକାଇବାକୁ ଚାହୁଁନାହୁଁ। ଆମ ପାଇଁ ତୁମ ଜୀବନ ନଷ୍ଟ ହେବା ଉଚିତ ନୁହେଁ। ଆମ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି।

ପୁଲିସ କହିଛି ଯେ ଏହି ଘଟଣା ଦର୍ପଣଙ୍କ ପଡ଼ୋଶୀମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ମାନସିକ ଚାପରେ ସାକ୍ଷୀ ଏଭଳି ଏକ ପଦକ୍ଷେପ ନେଇଥିବା ସେମାନେ ସନ୍ଦେହ କରୁଥିବା ବେଳେ ବିଭିନ୍ନ ଦିଗକୁ ନେଇ ଘଟଣାର ତଦନ୍ତ କରାଯାଉଛି।        

Suicide