Advertisment

Youngest Organ Donor: ଅଙ୍ଗଦାନ କରି ଅମର ହୋଇଗଲେ ୧୦ ମାସର ଶିଶୁ, ବଞ୍ଚିଗଲା ୫ ଜୀବନ: ପୂରା ଦେଶ କଲା ସଲାମ

ଆଲିନ ଶେରିନ ହେଉଛନ୍ତି ପଥନାମଥିଟ୍ଟା ଜିଲ୍ଲାର ଅରୁଣ ଅବ୍ରାହମ ଓ ଶେରିନଦ ଆନ୍ନ ଜନଙ୍କ ୧୦ ମାସର ଝିଅ। ଫେବୃଆରୀ ୫ ତାରିଖରେ ଘଟିଥିବା ଗୋଟିଏ ସଡ଼କ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ।

author-image
Hemant Lenka
aalina

ବାପା ମା’ଙ୍କ ସହ ଆଲିନା

ରବିବାର ୧୦ ମାସର ଆଲିନ ଶେରିନ ଅବ୍ରାହମନଙ୍କୁ କେରଳ(Kerala) ଜଣାଇଛି ଦୁଃଖଦ ବିଦାୟ। ହେଲେ ସେ ବନି ଯାଇଛନ୍ତି ରାଜ୍ୟର ସର୍ବକନିଷ୍ଠ ଅଙ୍ଗ ଦାତା। ରବିବାର ତାଙ୍କୁ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କବର ଦିଆଯାଇଛି। ହେଲେ ଏହା ପୂର୍ବରୁ ତାଙ୍କ ଅଙ୍ଗ ଦାନ ଯୋଗୁ ବଞ୍ଚି ଯାଇଛି ୫ ଗୁରୁତର ରୋଗୀଙ୍କ ଜୀବନ। ଆଲିନା ସିନା ଆଉ ଏକ ଦୁନିଆରେ ନାହାନ୍ତି, କିନ୍ତୁ ତାଙ୍କ ପାଇଁ ଏବେ ଦୁନିଆକୁ ଦେଖିବାକୁ ସକ୍ଷମ ହୋଇଛନ୍ତି।

Advertisment

ଆଲିନଙ୍କ ବାପା ନେଇଥିବା ନିଷ୍ପତ୍ତିକୁ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ଠାରୁ ଆରମ୍ଭ କରି ସାଂସଦ କମଲ ହାସନ ପ୍ରମୁଖ ପ୍ରଶଂସା କରିଛନ୍ତି। ପୁଲିସ ପକ୍ଷରୁ ଆଲିନଙ୍କ ଅନ୍ତିମ ସଂସ୍କାର ପାଇଁ ପଥନାମଥିଟ୍ଟା ସ୍ଥିତ ଗୋଟିଏ ଚର୍ଚ୍ଚ ନିକଟରେ ଗାର୍ଡ ଅଫ ଅନର ବ୍ୟବସ୍ଥା କରାଯାଇଥିଲା। କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଓ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ଅନ୍ତିମ ବିଦାୟ ବେଳେ ଉପସ୍ଥିତ ରହି ଆଲିନଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ସମବେଦନା ଜଣାଇଛନ୍ତି।

ଆଲିନ ଶେରିନ ହେଉଛନ୍ତି ପଥନାମଥିଟ୍ଟା ଜିଲ୍ଲାର ଅରୁଣ ଅବ୍ରାହମ ଓ ଶେରିନଦ ଆନ୍ନ ଜନଙ୍କ ୧୦ ମାସର ଝିଅ। ଫେବୃଆରୀ ୫ ତାରିଖରେ ଘଟିଥିବା ଗୋଟିଏ ସଡ଼କ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ସେ ନିଜର ମା’ ଓ ଅଜାଆଈଙ୍କ ସହ ଯାଉଥିବା ବେଳେ ଗୋଟିଏ ଦ୍ରୁତଗାମୀ ଗାଡ଼ି ବିପରୀତ ଦିଗରୁ ଆସି ଗୋଟିଏ ଜଙ୍କସନ ନିକଟରେ ସେମାନଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଏଥିରେ ଆଲିନଙ୍କ ସମେତ ତାଙ୍କ ମା’ ଓ ଅଜାଆଈ ଗୁରୁତର ହୋଇଥିଲେ।

Advertisment

ପ୍ରଥମେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଅଧିକ ଚିକିତ୍ସା ପାଇଁ ସମସ୍ତଙ୍କୁ କୋଚିକୁ ସ୍ଥାନାନ୍ତର କରାଯାଇଥିଲା। ସବୁ ପ୍ରକାରର ମେଡିକାଲ ସୁବିଧା ଯୋଗାଇ ଦେବା ସତ୍ତ୍ୱେ ଫେବୃଆରୀ ୧୨ରେ ଆଲିନଙ୍କ ବ୍ରେନଡେଡ ହୋଇଯାଇଥିଲା। ଏପରି ଏକ ଦୁଃଖଦ ମୁହୂର୍ତ୍ତରେ ଆଲିନଙ୍କ ଅଙ୍ଗଦାନ ପାଇଁ ତାଙ୍କ ବାପା ମା’ ନିଷ୍ପତ୍ତି ନେଇଥିଲେ। 

ଏହି ନିଷ୍ପତ୍ତି ପରେ ସ୍ୱାସ୍ଥ୍ୟ, ପୁଲିସ୍ ଓ ଅନ୍ୟ ସରକାରୀ ବିଭାଗ ନେଇଥିଲେ ଅସାଧାରଣ ପଦକ୍ଷେପ। ଆଲିନଙ୍କ ଅଙ୍ଗକୁ କୋଚିରୁ ଥିରୁଅନନ୍ତପୁରମ ପହଞ୍ଚାଇଥିବାକୁ ତିଆରି କରାଯାଇଥିଲା ଗ୍ରୀନ କରିଡର। ରାତି ସମୟରେ ହେଲିକପ୍ଟର ବ୍ୟବସ୍ଥା ନାହିଁ। ତେଣୁ କେରଳ ସରକାର ଓ ପୁଲିସ୍‌ ଆମ୍ବୁଲାନ୍ସରେ ଅଙ୍ଗକୁ ସ୍ଥାନାନ୍ତର କରିବାକୁ ବ୍ୟବସ୍ଥା କରିଥିଲେ।

ଅଙ୍ଗ ଆସିବାକୁ ଥିବା ରାସ୍ତାରେ କଠୋର ଟ୍ରାଫିକ କଟକଣା ସହ ମାନୁଆଲ ସିଗ୍ନାଲ ବ୍ୟବସ୍ଥା କରାଯାଇଥିଲା। ଏଥିଯୋଗୁ ଆମ୍ବୁଲାନ୍ସ ଯୋଗେ ୨୩୦ କିମି ରାସ୍ତାକୁ ଡ୍ରାଇଭର ୩ ଘଣ୍ଟା ୨୦ ମିନିଟରେ ଅତିକ୍ରମ କରି ଅଙ୍ଗଗୁଡ଼ିକୁ ସୁରକ୍ଷିତ ପହଞ୍ଚାଇବାକୁ ସକ୍ଷମ ହୋଇଥିଲେ। 

ଦ୍ରୁତଗତିରେ କୋଚିରୁ ଥିରୁଅନନ୍ତପୁରମକୁ ଅଙ୍ଗଗୁଡ଼ିକ ଆସିବାରୁ ଏହାକୁ ସୁରକ୍ଷିତ ଭାବେ ରଖାଯାଇ ପାରିଥିଲା। ଆଲିନଙ୍କ ଲିଭର, କିଡନୀ ଓ ହାର୍ଟ ଭାଲବଗୁଡ଼ିକୁ ସଫଳତାର ସହ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଲିଭର ଜଣେ ୬ ମାସର ଶିଶୁ ଦେହରେ ଲାଗିଛି। ସେହିପରି କିଡନୀକୁ ସରକାରୀ ମେଡିକାଲ କଲେଜରେ ଚିକିତ୍ସିତ ଜଣେ ୧୦ ବର୍ଷର ପିଲାକୁ ଦିଆଯାଇଛି।

ହାର୍ଟ ଭାଲବ ଥିରୁଅନନ୍ତପୁରମ ମେଡିକାଲ କଲେଜ କ୍ୟାମ୍ପସ ପରିସରରେ ଥିବା ଗୋଟିଏ ହସ୍ପିଟାଲକୁ ପଠାଯାଇଛି। ଆଖିର ବାହାର ପରସ୍ତକୁ ଗୋଟିଏ ଘରୋଇ ହସ୍ପିଟାଲର ଚକ୍ଷୁ ବିଭାଗକୁ ଦାନ କରାଯାଇଛି। 

Kerala