Delhi Mayor
ଦେଶର ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ମେୟର ନିର୍ବାଚନ ପୁଣିଥରେ ସ୍ଥଗିତ ହୋଇଯାଇଛି। ଦିଲ୍ଲା ମହାନଗର ନିଗମ(ଏମସିଡି) ନିର୍ବାଚନକୁ ଦେଢ଼ ମାସ ବିତି ଯାଇଥିଲେ ମଧ୍ୟ ଏଯାଏ ମେୟର ପାଇଁ ଭୋଟିଂ ହୋଇପାରୁନି। ଆଜି ଏମସିଡିରେ ମେୟର ନିର୍ବାଚନ ପାଇଁ ଆପ୍ ଓ ବିଜେପିର ନବ ନିର୍ବାଚିତ କର୍ପୋରେଟରମାନେ ଉପସ୍ଥିତ ଥିଲେ। ହେଲେ ଉଭୟ ପକ୍ଷ ନାରାବାଜୀ କରିବାରୁ ଗୃହ କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରିଦିଆଯାଇଛି। ଗୃହ ଠିକ ଭାବେ ଚାଲିବାକୁ କର୍ପୋରେଟମାନେ ନ ଦେବାରୁ ମେୟର କିମ୍ବା ଡେପୁଟି ମେୟର ପଦ ପାଇଁ ନିର୍ବାଚନ ହୋଇପାରିନି।
ହଟ୍ଟଗୋଳ ପୂର୍ବରୁ ପ୍ରିଜାଇଡିଂ ଅଫିସର ସତ୍ୟ ଶର୍ମା ପ୍ରଥମେ ରାଜ୍ୟପାଳଙ୍କ ଦ୍ୱାରା ଏମସିଡିକୁ ମନୋନୀତ ହୋଇଥିବା ୧୦ ଜଣ ସଦସ୍ୟମାନଙ୍କୁ ଶପଥପାଠ କରାଥିଲେ। ଏହାପରେ ନିର୍ବାଚିତ କର୍ପୋରେଟରମାନେ ଶପଥ ନେଇଥିଲେ। ଏହାକୁ ଆପ୍ର ସଦସ୍ୟମାନେ ବିରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା।
ଶପଥ ପାଠ କାର୍ଯ୍ୟକ୍ରମ ପରେ ମେୟର ଓ ଡେପୁଟି ମେୟର ପଦ ପାଇଁ ନିର୍ବାଚନ ଆରମ୍ଭ କରିବାକୁ ପ୍ରିକ୍ରିୟା ଆରମ୍ଭ କରାଯାଇଥିଲା। ଏତିକି ବେଳେ ଆପ୍ କର୍ପୋରେଟର ମୁକେଶ ଗୋଏଲ ଆପତ୍ତି ଉଠାଇବା ସହ ମନୋନୀତ ସଦସ୍ୟମାନେ ମେୟର ନିର୍ବାଚନରେ ଭୋଟ ଦେବାର କୌଣସି ଅଧିକାର ପାଇ ନଥିବା କହିଥିଲେ। ଏଥିସହ ମନୋନୀତ ସଦସ୍ୟମାନେ ଗୃହ ବାହାରକୁ ଯିବା ଦରକାର ବୋଲି ଦାବି କରିଥିଲେ।
ଏହାକୁ ବିଜେପି କର୍ପୋରେଟରମାନେ ବିରୋଧ କରିବାକୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ଦଳର ସଦସ୍ୟମାନେ ପରସ୍ପର ବିରୋଧରେ ନାରାବାଜୀ କରିଥିଲେ। ଗୃହରେ ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ ମଧ୍ୟ ସେମାନେ ସ୍ଥିତିକୁ ନିୟନ୍ତ୍ରଣ କରିପାରି ନଥିଲେ। ଶେଷରେ ପ୍ରିଜାଇଡିଂ ଅଫିସର ସତ୍ୟ ଶର୍ମା ଗୃହ କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ।
ଆପ୍ ପକ୍ଷରୁ ଶେଲୀ ଓବରୟ ଓ ଆଶୁ ଠାକୁରଙ୍କୁ ମେୟର ପଦ ପାଇଁ ପ୍ରାର୍ଥୀ କରାଯାଇଛି। ସେହିପରି ବିଜେପି ରେଖା ଗୁପ୍ତାଙ୍କୁ ମେୟର ପ୍ରାର୍ଥୀ କରିଛି।
ଏମସିଡିର ଆସନ ସଂଖ୍ୟା ୨୫୦। ବିଜେପିର ୭ ଲୋକସଭା ସାଂସଦ, ଆପ୍ର ୩ ଜଣ ରାଜ୍ୟ ସଭା ସାଂସଦ ଓ ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କ ଦ୍ୱାରା ମନୋନୀତ ୧୪ ଜଣ ବିଧାୟକ ମିଳିତ ଭାବେ ମେୟର ଓ ଡେପୁଟି ମେୟର ନିର୍ବାଚନରେ ଅଂଶଗ୍ରହଣ କରିବେ।
୨୫୦ ଆସନରୁ ଆପ୍ ୧୩୪ରେ ଜିତିଛି। ବିଜେପି ୧୦୪ ଆସନ ଦଖଲ କରିଥିବା ବେଳେ କଂଗ୍ରେସ ୯ଟି ଓ ୨ ଜଣ ସ୍ୱାଧୀନ ପ୍ରାର୍ଥୀ ବାଜିମାତ କରିଛନ୍ତି। କଂଗ୍ରେସର ୯ ଜଣ କର୍ପୋରେଟର ଭୋଟିଂ ପ୍ରକ୍ରିୟାରେ ସାମିଲ ହେବେନି ବୋଲି କହି ସାରିଛନ୍ତି। ସିକ୍ରେଟ ବାଲାଟରେ କର୍ପୋରେଟରମାନେ ଭୋଟ ଦେବେ। ଏହି ନିର୍ବାଚନରେ ଦଳବଦଳ ନିରୋଧ ଆଇନ ମଧ୍ୟ ଲାଗୁ ହେବନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1674556970.jpg)