/odisha-reporter/media/post_attachments/uploadimage/library/16_9/16_9_0/IMAGE_1676539894.jpg)
Kausar Jahan
ଆମ୍ ଆଦମୀ ପାର୍ଟି(ଆପକୁ) ଦିଲ୍ଲୀରେ ଶକ୍ତ ଝଟକା ଲାଗିଛି। ବିଜେପିର କୌଶର ଜାହାଁ ଗୁରୁବାର ଦିଲ୍ଲୀ ହଜ କମିଟିର ନୂତନ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। କ୍ଷମତାକୁ ଆସିବା ପରେ ପ୍ରଥମଥର ପାଇଁ ଆପ୍ ଦିଲ୍ଲୀ ହଜ୍ କମିଟିରୁ କର୍ତ୍ତୃତ୍ୱ ହରାଇଛି। ଦିଲ୍ଲୀ ଇତିହାସରେ କୌଶର ଦ୍ୱିତୀୟ ମହିଳା ଭାବେ ହଜ କମିଟିର ଅଧ୍ୟକ୍ଷ ପଦ ଅକ୍ତିଆର କରି ଇତିହାସ ରଚିଛନ୍ତି। ଦିଲ୍ଲୀର ପୂର୍ବତନ କଂଗ୍ରେସ ମୁଖ୍ୟ ତାଜଦାର ବାବର ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପଦ ସମ୍ଭାଳିବାରେ ଏକମାତ୍ର ମହିଳା ଥିଲେ। କମିଟିର ସଦସ୍ୟମାନେ ନୂତନ ଅଧ୍ୟକ୍ଷ ଚୟନ ପାଇଁ ଭୋଟ୍ ପ୍ରକ୍ରିୟାରେ ଭାଗ ନେଇଥିଲେ।
ସେମାନଙ୍କ ମଧ୍ୟରେ ମହମ୍ମଦ ସାଦ ଏବଂ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କୌଶରଙ୍କୁ ସମର୍ଥନ କରିଥିଲେ। କୌଶର ଦିଲ୍ଲୀ ହଜ୍ କମିଟିର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିବାରୁ ତାଙ୍କ ପ୍ରତି ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି। ଦିଲ୍ଲୀ ହଜ୍ କମିଟିରେ ବିଜେପି ପ୍ରାର୍ଥୀଙ୍କ ବିଜୟ ହିଁ ମୁସଲମାନ ସମ୍ପ୍ରଦାୟ ମଧ୍ୟ ଦେଶର ବିକାଶକୁ ସମର୍ଥନ କରୁଥିବା ବିଜେପି ନେତା ବିରେନ୍ଦ୍ର ସଚ୍ଚଦେବ ଟ୍ୱିଟ୍ କରି ଲେଖିଛନ୍ତି। ଭାରତୀୟ ମୁସଲମାନମାନେ ପ୍ରତିବର୍ଷ ତୀର୍ଥଯାତ୍ରା ଲାଗି ପବିତ୍ର ସ୍ଥାନ ମକ୍କା ଯାତ୍ରା କରିଥାନ୍ତି । ଯାହା ହଜ୍ କମିଟି ଦ୍ୱାରା ସଂଯୋଜିତ ହୋଇଥାଏ।
ଗତ ମାସରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦିଲ୍ଲୀ ସରକାର ଏବଂ ଏଲ-ଜି ମଧ୍ୟରେ ହଜ୍ କମିଟିକୁ ନେଇ ତୀବ୍ର ମତଭେଦ ଉପୁଜିଥିଲା। ଦିଲ୍ଲୀ ହଜକମିଟି ଜଣେ କଂଗ୍ରେସ କାଉନସିଲରଙ୍କୁ ସାମିଲ କରିଥିବାରୁ ଆପ ବିରୋଧ କରିଥିଲା। ଦିଲ୍ଲୀ ମେୟର ନିର୍ବାଚନ ପୂର୍ବରୁ ବିଜେପି-କଂଗ୍ରେସ ମଧ୍ୟରେ ସଲାସୁତରା ହୋଇଥିବା ଆପ ଅଭିଯୋଗ କରିଥିଲା।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ବିଜ୍ଞପ୍ତିକୁ ବେଆଇନ ବୋଲି କହିଥିଲେ। ଏଥିପାଇଁ ସରକାରଙ୍କ ପରାମର୍ଶ ନିଆଯାଇ ନାହିଁ କିମ୍ବା ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରାଯାଇ ନଥିବା କହିଥିଲେ । ହଜ୍ କମିଟି ବିଜେପି ସାଂସଦ ଗୌତମ ଗମ୍ଭୀର, ଆମ୍ ଆଦମୀ ପାର୍ଟିର ୨ ବିଧାୟକଅବଦୁଲ ରେହମାନ ଏବଂ ହାଜି ୟୁନୁସ, କଂଗ୍ରେସ କାଉନସିଲର ନାଜିଆ ଡାନିଶ, ମୁସଲିମ ଧର୍ମଶାସ୍ତ୍ର ବିଶେଷଜ୍ଞ ମହମ୍ମଦ ସାଦ ଏବଂ କୌଶର ଜାହାଁଙ୍କୁ ସଦସ୍ୟ ଭାବେ ଅନ୍ତର୍ଭୁକ୍ତ କରିଥିଲା `
ଗତ ଜାନୁଆରୀ ମାସରେ ହଜ ଯାତ୍ରା ପାଇଁ ଥିବା ୫୦୦ଟି ଭିଆଇପି କୋଟାକୁ ରଦ୍ଦ କରିଛନ୍ତି କେନ୍ଦ୍ର ସରକାର। ଏହି ଆସନ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି। ଏହି ହଜ କୋଟା ସୁବିଧା ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀଙ୍କ ପାଇଁ ଉପଲବ୍ଧ ଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
