ଦିଲ୍ଲୀ ଓ ପଞ୍ଜାବର କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍) ୨୦୧୪ରୁ ୨୦୨୨ ମଧ୍ୟରେ ବିଦେଶରୁ ୭.୦୮ କୋଟି ଟଙ୍କାର ପାଣ୍ଠି ପାଇଛି। ବିଦେଶୀ ଅନୁଦାନ ଗ୍ରହଣ କରିବା ବେଳେ ଆପ୍ Foreign Contribution Regulation Act (FCRA), ଜନ ପ୍ରତିନିଧି ଆଇନ ଓ ଆଇପିସିର ବିଭିନ୍ନ ନିୟମକୁ ଉଲ୍ଲଙ୍ଘନ କରିଥିବା ଇଡି ଦାବି କରିଛନ୍ତି। ଏ ସମ୍ପର୍କରେ ତଦନ୍ତକାରୀ ସଂସ୍ଥା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଅବଗତ କରାଇଛି।
ଇଡି ପକ୍ଷରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଯାଇଥିବା ଦସ୍ତାବିଜରେ ଦାବି କରାଯାଇଛି ଯେ ଆମେରିକା, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ସାଉଦି ଆରବ, ୟୁଏଇ, କୁଏତ ଓ ଓମାନରୁ ଆପ ପାଖକୁ ଅନୁଦାନ ଆସିଛି।
ଆପ୍ ଓ ଏହାର ନେତାମାନେ ବିଦେଶୀ ଅନୁଦାନ ଗ୍ରହଣ କରିବା ବେଳେ ଏକାଧିକ ଥର ନିୟମ ଉଲ୍ଲଙ୍ଘନ କରିଛନ୍ତି। ଆପ ବିଧାୟକ ଦୁର୍ଗେଶ ପାଠକ ୨୦୧୬ରେ କାନାଡାରେ ପାଣ୍ଠି ସଂଗ୍ରହ ପାଇଁ ଗୋଟିଏ ଅଭିଯାନ କରିଥିଲେ। ସେ ଦଳ ନାଁ କହି ପାଣ୍ଠି ସଂଗ୍ରହ କରିଥିଲେ ମଧ୍ୟ ନିଜର ବ୍ୟକ୍ତିଗତ କାମରେ ଏହାକୁ ବ୍ୟବହାର କରିଥିଲେ।
ଏ ସଂକ୍ରାନ୍ତରେ ଇଡି ଏକାଧିକ ଇ-ମେଲ ମଧ୍ୟ ପାଇଛି। ଆପ ସ୍ୱେଚ୍ଛାସେବୀ ଓ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଇ-ମେଲ ଯୋଗେ ପାଣ୍ଠି ସଂଗ୍ରହ ସମ୍ପର୍କରେ ଆଲୋଚନା ହୋଇଥିଲା। ଅଙ୍କିତ ସକ୍ସେସନା(ଆପ୍ର ବିଦେଶୀ ସଂଜଯୋଗ), କୁମାର ବିଶ୍ୱାସ(ତତ୍କାଳୀନ ଆପର ବିଦେଶୀ ଆବାହକ), କପିଲ ଭରଦ୍ୱାଜ(ତତ୍କାଳୀନ ଆପ ନେତା) ଓ ଦୁର୍ଗେଶ ପାଠକଙ୍କ ଇ-ମେଲ ଆଦାନ ପ୍ରଦାନକୁ ଦେଖି ଇଡି ଏପରି ଅଭିଯୋଗ ଆଣିଛି।
ଇଡି କହିଛି ଯେ ଏକାଧିକ ଦାତା ସମାନ ପାସପୋର୍ଟ ନମ୍ବର, ଇ-ମେଲ ଆଇଡି, ମୋବାଇଲ ନମ୍ବର ଓ କ୍ରେଡିଟ କାର୍ଡ ବ୍ୟବହାର କରି ଆପକୁ ପାଣ୍ଠି ଦେଇଛନ୍ତି। ଇଡିର ଦସ୍ତାବିଜରେ ଦାତାଙ୍କ ନାଁ, ଦାତାଙ୍କ ଦେଶ, ପାସପୋର୍ଟ ନମ୍ବର, ଦାନ ପରିମାଣ, ଦାନର ମାଧ୍ୟମ, ପାଣ୍ଠି ଗ୍ରହଣ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବର, ବିଲିଂ ନାଁ, ବିଲିଂ ଠିକଣା, ବିଲିଂ ଫୋନ ନମ୍ବର, ବିଲିଂ ଇ-ମେଲ, ସମୟ, ତାରିଖ, ପେମେଣ୍ଟ କରିବାର ମାଧ୍ୟମ ଓ ଅନ୍ୟାନ୍ୟ ତଥ୍ୟ ସବୁ ତଦନ୍ତ ବେଳେ ସଂଗ୍ରହ କରାଯାଇଛି। ପ୍ରିଭେନସନ ମନି ଲଣ୍ତରିଂ ଆକ୍ଟ ୨୦୦୨ ଅଧୀନରେ ତଦନ୍ତ କରାଯିବା ବେଳେ ଏସବୁ ତଥ୍ୟ ମିଳିଛି।
ଇଡି ଆହୁରି କହିଛି ଯେ ବିଦେଶରେ ରହୁଥିବା ୧୧୫ ଜଣ ଲୋକ ୪୦୪ ଥରରେ ୫୫ଟି ପାସପୋର୍ଟ ନମ୍ବର ବ୍ୟବହାର କରି ମୋଟ ୧.୦୨ କୋଟି ଟଙ୍କା ଦେଇଛନ୍ତି। ୭୧ ଜଣ ଦାତା ୨୧ଟି ମୋବାଇଲ ନମ୍ବର ବ୍ୟବହାର ୨୫୬ ଥରରେ ୯୯.୯୦ ଲକ୍ଷ ଟଙ୍କା ଓ ୭୫ ଜଣ ଲୋକ ୧୫ଟି କ୍ରେଡିଟ କାର୍ଡ ବ୍ୟବହାର କରି ୧୪୮ ଥରରେ ମୋଟ ୧୯.୯୨ ଲକ୍ଷ ଟଙ୍କା ଆପକୁ ଦେଇଛନ୍ତି।
କାନାଡାରୁ ଦଳକୁ ୫୧.୧୫ ଲକ୍ଷ ଟଙ୍କା ମିଳିଛି। କାନାଡାର ୧୯ ଜଣ ବ୍ୟକ୍ତି ଇ-ମେଲ ଆଇଡି ଓ ମୋବାଇଲ ନମ୍ବରରେ ଏପରି ପେମେଣ୍ଟ କରିଛନ୍ତି। ତେବେ କାନାଡାର ବ୍ୟକ୍ତିଙ୍କ ନାମ ଓ ସେମାନଙ୍କ ପ୍ରକୃତ ନାଗରିକତା ଏଯାଏ ଜଣାପଡ଼ିନି।
ଦୁର୍ଗେଶ ପାଠକ ଓ କପିଲ ଭରଦ୍ୱାଜ ମିଳିତ ଭାବେ ଅନିକେତ ନାମକ ଜଣେ ବ୍ୟକ୍ତିଙ୍କୁ ୨୯ ହଜାର କାନାଡିଆନ ଡଲାର ଦେବାକୁ କହିଥିଲେ। ଭଗୱନ୍ତ ତୁର ନାମକ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ଦୁର୍ଗେଶ ଓ କପିଲ ସିଧାସଳଖ ଟଙ୍କା ସଂଗ୍ରହ କରିଥିଲେ।
୨୦୧୫ ନଭେମ୍ବର ୨୨ରେ ଟରୋଣ୍ଟୋରେ ଆପ ପକ୍ଷରୁ ଗୋଟିଏ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ଦୁର୍ଗେଶ ପାଠକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୧୫ ହଜାର କାନାଡା ଡଲାର ସଂଗ୍ରହ ହୋଇଥିଲା। ଦାତାଙ୍କ ସମ୍ପର୍କରେ ଇ-ମେଲ ଯୋଗେ ତଥ୍ୟ ଦିଆଯାଇଥିଲା।
୨୦୧୬ ଜାନୁଆରୀ ୩୦ରେ ମଧ୍ୟ ଟରୋଣ୍ଟୋରେ ଆଉ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ସମୟରେ ୧୧,୭୮୬ କାନାଡିଆନ ଡଲାର ମିଳିଥିଲା। ଏହା ମଧ୍ୟରୁ ୩,୮୨୧ ଡଲାର କାର୍ଯ୍ୟକ୍ରମ ଆୟୋଜନ ପାଇଁ ଖର୍ଚ୍ଚ ହୋଇଥିଲା।
୭,୯୫୫ କାନାଡିଆନ ଡଲାର ଆପ୍ର ଆଇଡିବିଆଇ ବ୍ୟାଙ୍କ ଆକାଉଣ୍ଟକୁ ପଠା ଯାଇଥିଲା। ଏଥିପାଇଁ ୧୧ ଜଣ ଆପ ସ୍ୱେଚ୍ଛାସେବୀଙ୍କ ପାସପୋର୍ଟ ନମ୍ବର ବ୍ୟବହାର କରାଯାଇଥିଲା ବୋଲି ଇଡି କହିଛି।
ଅନ୍ୟପକ୍ଷରେ ଇଡିର ଏପରି ଅଭିଯୋଗକୁ ଆପ ପକ୍ଷରୁ ଖଣ୍ଡନ କରାଯାଇଛି। ଏହା ଇଡିର ନୁହେଁ, ବରଂ ବିଜେପିର ପଦକ୍ଷେପ। ଏହି ମାମଲା ବହୁ ପୁରୁଣା ଓ ଆମେ ଇଡିକୁ ଏହାର ଜବାବ ଦେଇ ସାରିଛୁ। ସିବିଆଇ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ନିର୍ବାଚନ କମିଶନଙ୍କୁ ମଧ୍ୟ ସବୁ ଅବଗତ କରାଯାଇଥିଲା।
ଏବେ ଆପ୍କୁ ବଦନାମ କରିବାକୁ ମୋଦିଜୀ ଆଉ ଏକ ଭେଳିକି ଆରମ୍ଭ କରିଛନ୍ତି। ବିଜେପି ପ୍ରତିଟି ନିର୍ବାଚନ ପୂର୍ବରୁ ଏମିତି ସବୁ କରିଥାଏ। ଆଗାମୀ ୪ ଦିନ ମଧ୍ୟରେ ଆହୁରି ଅନେକ ମିଛ ଆରୋପ ଲଗାଯିବ ବୋଲି ଆପ୍ ନେତ୍ରୀ ଆତିଶୀ କହିଛନ୍ତି।