Advertisment

ବିରୋଧୀଙ୍କ ବଡ଼ ବୈଠକ ପୂର୍ବରୁ କଂଗ୍ରେସକୁ ଚରମବାଣୀ ଶୁଣାଇଲା ଆପ୍‌

ଯଦି କଂଗ୍ରେସ ଦିଲ୍ଲୀ ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ବିରୋଧ ନ କରିବ, ତା’ହେଲେ ଆପ୍‌ ଆସନ୍ତାକାଲି ବିରୋଧୀଙ୍କ ବଡ଼ ବୈଠକରେ ଯୋଗ ଦେବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିବା ଜଣାପଡ଼ିଛି।

author-image
Hemant Lenka
Arvind Kejriwal

Arvind Kejriwal

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକ ଆସନ୍ତାକାଲି ବିହାରରେ ପାଟନାରେ ବଡ଼ ବୈଠକ କରିବାକୁ ଯାଉଛନ୍ତି। ଏହି ବୈଠକ ଜରିଆରେ ବିରୋଧୀ ଦଳଗୁଡ଼ିକ ନିଜର ଶକ୍ତିପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ଏହା ପୂର୍ବରୁ ଦିଲ୍ଲୀ ଓ ପଞ୍ଜାବର କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍‌) କଂଗ୍ରେସକୁ ଚମରବାଣୀ ଶୁଣାଇଛି।

Advertisment

ଯଦି କଂଗ୍ରେସ ଦିଲ୍ଲୀ ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ବିରୋଧ ନ କରିବ, ତା’ହେଲେ ଆପ୍‌ ଆସନ୍ତାକାଲି ବିରୋଧୀଙ୍କ ବଡ଼ ବୈଠକରେ ଯୋଗ ଦେବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିବା ଜଣାପଡ଼ିଛି।

ଏହାକୁ ନେଇ ଏବେ ବିରୋଧୀଙ୍କୁ ଏକାଠି କରିବାକୁ ମଙ୍ଗ ଧରିଥିବା କଂଗ୍ରେସ ସହଯୋଗୀ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଚିନ୍ତା ବଢ଼ିଛି। ସେ ହିଁ କଂଗ୍ରେସ ଓ ଆପ୍‌କୁ ଗୋଟିଏ ମଞ୍ଚରେ ଏକାଠି କରିବାକୁ ଉଦ୍ୟମ କରୁଛନ୍ତି। ହେଲେ ଆପରର ଏପରି ସର୍ତ୍ତ ବିରୋଧୀ ଦଳଗୁଡ଼ିକର ଚିନ୍ତା ବଢ଼ାଇ ଦେଇଛି।

Advertisment

ଆପ୍‌ ପକ୍ଷରୁ କୁହାଯାଇଛି ଯେ “ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ କଂଗ୍ରେସ ଆମକୁ ଯେମିତି ହେଲେ ସମର୍ଥନ କରିବା ଦରକାର। ଯଦି କଂଗ୍ରେସ ଆମକୁ ସମର୍ଥନ ନ କରିବ, ତା’ହେଲେ ଆମେ ବିରୋଧୀଙ୍କ ବୈଠକକୁ ବୟକଟ କରିବୁ। କେବଳ ସେତିକି ନୁହେଁ, ଭବିଷ୍ୟତରେ ବିରୋଧୀଙ୍କ କୌଣସି ବୈଠକରେ ମଧ୍ୟ ଆପ୍‌ ଯୋଗ ଦେବନାହିଁ।”

ଦିଲ୍ଲୀ ପ୍ରଶାସନିକ କ୍ଷମତାକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଗତମାସରେ ଅଧ୍ୟାଦେଶ ଜାରି କରିଛନ୍ତି। ପ୍ରଥମେ ସୁପ୍ରିମକୋର୍ଟ ଦିଲ୍ଲୀରେ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ନିର୍ବାଚିତ ଆପ୍‌ ସରକାରଙ୍କ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହାକୁ ମାତ୍‌ ଦେବା ପାଇଁ କେନ୍ଦ୍ର ସରକାର ଏପରି ଅଧ୍ୟାଦେଶ ଆଣିଥିବା ଆପ୍‌ କହିଛି।

ଆସନ୍ତା ମୌସୁମୀ ଅଧିବେଶନ ବେଳେ ଉଭୟ ଲୋକସଭା ଓ ରାଜ୍ୟରେ ଏହି ଅଧ୍ୟାଦେଶକୁ ବିଲ୍‌ ଆକାରରେ ଉପସ୍ଥାପନ କରାଯିବ। ଏହା ରାଜ୍ୟସଭାରେ ଯେମିତି ପାସ୍‌ ନ ହେବ, ସେଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସବୁ ବିରୋଧୀ ଦଳର ମୁଖିଆମାନଙ୍କୁ ଭେଟି ସମର୍ଥନ ଯୋଗାଡ଼ କରୁଛନ୍ତି।

ହେଲେ କଂଗ୍ରେସ ଏଯାଏ ଅଧ୍ୟାଦେଶ ପ୍ରସଙ୍ଗରେ ଆପ୍‌କୁ ସମର୍ଥନ କରି ନାହିଁ। ରାଜ୍ୟସଭାରେ କଂଗ୍ରେସର ସମର୍ଥନ ବିନା ଆପ୍‌ କେବେ ହେଲେ କେନ୍ଦ୍ରର ବିଲକୁ ଅଟକାଇ ପାରିବ ନାହିଁ। ତେଣୁ ଆପ୍‌ ପକ୍ଷରୁ ବିରୋଧୀଙ୍କ ବୈଠକ ପୂର୍ବରୁ ଏପରି ସର୍ତ୍ତ ଉପସ୍ଥାପନ କରାଯାଇଛି।

Congress Arvind Kejriwal Opposition AAP