Advertisment

ପୁଞ୍ଚ ଆତଙ୍କୀ ହମଲା ପଛରେ କୁଖ୍ୟାତ ଆତଙ୍କୀ ଅବୁ ହମଜା

ଆତଙ୍କୀ ହମଲା ପରେ ରବିବାର ଠାରୁ ସେନା, ଅର୍ଦ୍ଧ ସାମରିକ ବାହିନୀ ଓ ଜମ୍ମୁ-କଶ୍ମୀର ପୁଲିସ୍‌ ମିଳିତ ଭାବେ ପୁଞ୍ଚର ଜଙ୍ଗଲ ଏବଂ ପାହାଡ଼ିଆ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି।

author-image
Hemant Lenka
Terrorist

Terrorist

ଠିକ ନିର୍ବାଚନ ପୂର୍ବରୁ ଜମ୍ମୁ-କଶ୍ମୀରର ପୁଞ୍ଚରେ ଶନିବାର ଆତଙ୍କବାଦୀମାନେ ଯୋଜନାବଦ୍ଧ ଭାବେ ଆକ୍ରମଣ କରିଥିଲେ। ବାୟୁସେନାର କନଭୟକୁ ଟାର୍ଗେଟ କରି ହୋଇଥିବା ଗୁଳିମାଡ଼ରେ ୫ ଜଣ ଆହତ ହୋଇଥିଲେ। 

Advertisment

ଚିକିତ୍ସାଧୀନ ଅବସ୍ଥାରେ ୩୩ ବର୍ଷୀୟ କୋର୍ପୋରାଲ ଭିକ୍କି ପାଡାଡେ ସହିଦ ହୋଇଛନ୍ତି। ଭିକ୍କି ଏପ୍ରିଲ ୧୮ରେ ଘରୁ ଫେରି କାର୍ଯ୍ୟରେ ଯୋଗ ଦେଇଥିଲା। ମେ’ ୭ ତାରିଖରେ ପୁଅର ଜନ୍ମ ଦିନ ପାଇଁ ମଧ୍ୟ ସେ ଆଉ ଥରେ ମଧ୍ୟପ୍ରଦେଶର ନୋନିଆ-କାର୍ବଲ ଗାଁକୁ ଆସିଥାଆନ୍ତେ। ହେଲେ ଆତଙ୍କୀ ହମଲା ସବୁ କିଛି ଓଲଟପାଲଟ କରି ଦେଇଛି।

ଆତଙ୍କୀ ହମଲା ପରେ ରବିବାର ଠାରୁ ସେନା, ଅର୍ଦ୍ଧ ସାମରିକ ବାହିନୀ ଓ ଜମ୍ମୁ-କଶ୍ମୀର ପୁଲିସ୍‌ ମିଳିତ ଭାବେ ପୁଞ୍ଚର ଜଙ୍ଗଲ ଏବଂ ପାହାଡ଼ିଆ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି। ସେମାନେ ଶନିବାର ହମଲା ପଛରେ ଥିବା ଆତଙ୍କବାଦୀଙ୍କୁ ଧରିବାକୁ ଉଦ୍ୟମ କରୁଛନ୍ତି।

Advertisment

ଏସବୁ ଭିତରେ ବଡ଼ ଖବର ସାମ୍ନାକୁ ଆସିଛି। ଲସ୍କର ସହିତ ମିଶି ଭାରତରେ କାମ କରୁଥିବା ଅବୁ ହମଜା ହେଉଛି ଆକ୍ରମଣର ମୁଖ୍ୟ କାର୍ପଟଦାର। ତା’ରି ନେତୃତ୍ୱରେ ଆତଙ୍କବାଦୀମାନେ ଶନିବାର ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିଲେ। ଏପ୍ରିଲ ୨୨ରେ ରଜୌରୀ ଠାରେ ସରକାରୀ କର୍ମଚାରୀ ମହମ୍ମଦ ରଜାକଙ୍କୁ ହତ୍ୟା କରାଯାଇଥିଲା। ଏହା ପଛରେ ମଧ୍ୟ ହମଜାର ହାତ ରହିଥିଲା।

ସୁରକ୍ଷାକର୍ମୀମାନେ ହମଜାକୁ ଖୋଜୁଇଥିବା ବେଳେ ପୁଲିସ୍‌ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି। ଯଦି କେହି ହମଜାକୁ ଧରାଇବାରେ ସହାୟକ ହୁଅନ୍ତି, ତା’ହେଲେ ତାଙ୍କୁ ପୁଲିସ୍‌ ପକ୍ଷରୁ ୧୦ ଲକ୍ଷ ଟଙ୍କା ଦିଆଯିବ।

କୁହାଯାଉଛି ଯେ ପୁଞ୍ଚ ଓ ରଜୌରୀରେ ଥିବା ଜଙ୍ଗଲ ମଧ୍ୟରେ ଲୁଚି ରହି ସେ ତା’ର ନେଟୱର୍କ ଚଳାଇଛି। ତେଣୁ ତାକୁ ଧରିବା ପୁଲିସ୍‌ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ତଥାପି ପୁଲିସ୍‌ ଓ ସେନା ପକ୍ଷରୁ ହମଜାକୁ ଧରିବା ପାଇଁ ଉଦ୍ୟମ ଜାଲିଛି। ବରିଷ୍ଠ ସେନା ଓ ପୁଲିସ୍‌ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନର ଅନୁଧ୍ୟାନ କରିଛନ୍ତି। ଜାରା ୱାଲି ଗଲି ଅଞ୍ଚଳକୁ ଅଧିକ ସଂଖ୍ୟକ ଯବାନଙ୍କୁ ପଠାଯାଇଛି। ଅପରେସନରେ ପାରା କମାଣ୍ଡୋ ନିୟୋଜିତ ହୋଇଛନ୍ତି।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ବ୍ୟାରିକେଡ୍‌ ଲଗା ଯିବା ସହ ପୂରା ଅଞ୍ଚଳରେ ଆକାଶ ମାର୍ଗରୁ ନଜର ରଖାଯାଇଛି। ଆତଙ୍କବାଦୀମାନେ ଏବେ ବି ଜଙ୍ଗଲ ଭିତରେ ରହିଥିବା ଆଶଙ୍କା କରାଯାଉଛି। କାଳେ ସେମାନେ ଖସି ଯିବେ, ସେଥିପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Terror Attack Jammu Kashmir