/odisha-reporter/media/post_attachments/uploadimage/library/16_9/16_9_0/LS_1702462117.jpg)
LS
ସଂସଦ ସୁରକ୍ଷାରେ ସାଂଘାତିକ ତ୍ରୁଟିକୁ ନେଇ ପୂରା ଦେଶରେ ଆତଙ୍କ ଖେଳି ଯାଇଛି। ସଂସଦର ନୂଆ ଲୋକସଭା ବିଲଡିଂରେ ଅନୁପ୍ରବେଶ ଦେଖିବାକୁ ମିଳିଛି। ଲୋକସଭାର କାର୍ଯ୍ୟ ଚାଲିଥିବା ବେଳେ ଆଜି ହଠାତ୍ ଦୁଇ ଜଣ ଯୁବକ ଏହା ଭିତରେ ପଶି ହଙ୍ଗାମା କରିଛନ୍ତି।
ଦର୍ଶକ ଗ୍ୟାଲେରୀରୁ ଡିଆଁ ମାରି ଜଣେ ଯୁବକ ଗୃହରେ ମଧ୍ୟରେ ଭାଗରେ ପ୍ରବେଶ କରିବା ସହ ହଳଦିଆ ରଙ୍ଗର ଗ୍ୟାସ ସ୍ପ୍ରେ କରିଛି। ଆଉ ଜଣେ ଦର୍ଶକ ଗ୍ୟାଲେରୀରେ ଝୁଲି ରହି ହଳଦିଆ ଗ୍ୟାସ୍ ମାଡ଼ କରିଛି।
ସାଂସଦମାନେ ଉପସ୍ଥିତ ଥିବା ବେଳେ ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି। ଯୁବକ ଜଣଙ୍କ ସାଂସଦଙ୍କ ଆସନ ଡେଇଁ ଆଗକୁ ବଢ଼ୁଥିବା ବେଳେ ତାକୁ ସୁରକ୍ଷାକର୍ମୀ ଓ କଂଗ୍ରେସର ଜଣେ ସାଂସଦ କାବୁ କରିଛନ୍ତି। ସେହିପରି ତା’ ସହଯୋଗୀ ମଧ୍ୟ ଗ୍ୟାସ ସ୍ପ୍ରେ କରି ଧରା ପଡ଼ିଛି। ଉଭୟଙ୍କୁ ପୁଲିସ୍ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
୨୨ ବର୍ଷ ତଳେ ଆଜିର ଦିନରେ ପୁରୁଣା ସଂସଦ ବିଲଡିଂ ଉପରେ ଆତଙ୍କୀ ହମଲା ହୋଇଥିଲା। ଗଣତନ୍ତ୍ରର ମନ୍ଦିରରେ ଆତଙ୍କୀ ହମଲା ପୂରା ବିଶ୍ୱକୁ ସ୍ତବ୍ଧ କରି ଦେଇଥିଲା। ସଂସଦ ଆକ୍ରମଣର ବର୍ଷପୂର୍ତ୍ତିରେ ପୁଣି ଅନୁପ୍ରବେଶ ପୁରୁଣା ସ୍ମୃତିକୁ ତାଜା କରିଛି। ଅବଶ୍ୟ ଆଜିର ଅନୁପ୍ରବେଶରେ କେହି ବି ମୃତାହତ ହୋଇନାହାନ୍ତି।
ଆଜି ଦିନ ଠିକ ୧.୦୨ରେ ଏହି ଘଟଣା ଘଟିଥିବା ବେଳେ ଦୁଇ ଯୁବକଙ୍କୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଗିରଫ ସାଗର ଶର୍ମାକୁ ମହୀଶୂର ବିଜେପି ସାଂସଦ ପ୍ରତାମ ସୀମାଙ୍କ ଅଫିସ ତରଫରୁ ପାସ୍ ଇସ୍ୟୁ କରାଯାଇଥିଲା। ଉକ୍ତ ପାସ୍ ଦେଖାଇ ସେ ଭିତରକୁ ପ୍ରବେଶ କରିଥିଲା। ହେଲେ ସେ କେମିତି ତା’ର ସହଯୋଗୀ ତଥା ମହୀଶୂରର ଇଞ୍ଜିନିୟର ମନୋରଞ୍ଜନ ଡିକୁ ସାଙ୍ଗରେ ଆଣିଲା ଓ ଗ୍ୟାସ ଧରି ସଂସଦରେ ଦର୍ଶକ ଗ୍ୟାଲେରୀକୁ ଆସିଲା, ତା’ହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସାଂସଦମାନେ ଏହି ଘଟଣାରେ ପୂରା ଭୟଭୀତ ହୋଇଯାଇଛନ୍ତି। ସେହିପରି ବାଚସ୍ପତି ଓମ ବିର୍ଲା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏପରି କି ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସଂସଦରେ ପ୍ରବେଶ ପାଇଁ କାହାକୁ ପାସ୍ ମିଳିବ ନାହିଁ ବୋଲି ମଧ୍ୟ କହିଛନ୍ତି।
ବିଏସ୍ପିରୁ ନିଲମ୍ବିତ ହୋଇଥିବା ଲୋକସଭା ସାଂସଦ ଦାନିଶ ଅଲୀ କହିଛନ୍ତି, ଗୃହ ଭିତରେ ଡିଆଁ ମାରି ଆଗକୁ ବଢ଼ୁଥିବା ଯୁବକକୁ ସୁରକ୍ଷାକର୍ମୀମାନେ ବେଶ କିଛି ସମୟରେ କସରତ ପରେ ଧରିଥିଲେ। ତା’ ପାଖରୁ ଗୋଟିଏ ଭିଜିଟର ପାସ୍ ମିଳିଛି। ଏହି ପାସ୍କୁ ବିଜେପି ସାଂସଦ ପ୍ରତାପ ସୀମାଙ୍କ ଅଫିସ ତରଫରୁ ଇସ୍ୟୁ କରାଯାଇଥିଲା।
ଯେକୌଣସି ସାଂସଦ ପାସ୍ ଇସ୍ୟୁ କଲେ ମଧ୍ୟ ସଂସଦ ଭିତରକୁ ଆସୁଥିବା ଲୋକଙ୍କ ଯାଞ୍ଚ ୫ଟି ସ୍ତରରେ ହୋଇଥାଏ। ସୁରକ୍ଷା ଯାଞ୍ଚ ଶେଷ ହେବା ପରେ ସେମାନଙ୍କୁ ସଂସଦ ଭିତରକୁ ଛଡ଼ା ଯାଏ। ଯାଞ୍ଚ ସତ୍ତ୍ୱେ ଦୁଇ ଯୁବକ କେମିତି ଗ୍ୟାସ୍ ଡବା ନେଇ ଭିତରକୁ ଗଲେ, ତା’କୁ ନେଇ ପ୍ରଶ୍ନ ଉଠିଛି।
କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ କହିଛନ୍ତି, ପ୍ରଥମେ ଆମକୁ ଲାଗିଥିଲା ଯେ କେହି ଜଣେ ଦର୍ଶକ ଗ୍ୟାଲେରୀରୁ ତଳକୁ ପଡ଼ିଗଲେ। କିନ୍ତୁ ଯେତେବେଳେ ଜଣେ ଯୁବକ ଡିଆଁ ମାରି ସାଂସଦମାନଙ୍କ ସିଟ୍ ଆଡ଼କୁ ମାଡ଼ି ଆସିଲେ ସେତେବେଳେ ସୁରକ୍ଷାରେ ସାଂଘାତିକ ତ୍ରୁଟି ହୋଇଥିବା ସମ୍ପର୍କରେ ଆମେ ଜାଣିବାକୁ ପାଇଥିଲୁ। ସେମାନେ ଆଣିଥିବା ଗ୍ୟାସ୍ ଯଦି ବିଷାକ୍ତ ହୋଇଥାଆନ୍ତା, ତା’ହେଲେ ବଡ଼ ଅଘଟଣ ଘଟିଥାଆନ୍ତା ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ସଂସଦ ବାହାରେ ମଧ୍ୟ ଜଣେ ଯୁବକ ଓ ଜଣେ ମହିଳା ହଳଦିଆ ଗ୍ୟାସ୍ ସ୍ପ୍ର କରି ବିକ୍ଷୋଭ କରିଛନ୍ତି। ସେମାନଙ୍କୁ ପୁଲିସ୍ ସଂସଦ ବାହାରକୁ ଧରିଛି। ତେଣୁ ସଂସଦ ଭିତରର ଘଟଣା ସହ ବାହାରୁ ଧରା ପଡ଼ିଥିବା ୨ ଜଣଙ୍କ ଲିଙ୍କ ରହିଥିବା ଅନୁମାନ କରାଯାଉଛି। ଧରାପଡ଼ିଥିବା ଯୁବକ ଜଣକ ହେଲେ ଅମୋଲ ସିନ୍ଦେ ଓ ୪୨ ବର୍ଷୀୟ ନୀଲମ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
