ବ୍ରିଟେନରେ ପ୍ରେମିକାକୁ ହତ୍ୟା କଲେ, ଏବେ ଭାରତରେ ଭୋଗିବ ସଜା । ୨୦୨୦ ମସିହାରେ ବ୍ରିଟେନରେ ନିଜ ପ୍ରେମିକାକୁ ହତ୍ୟା ମାମଲାରେ ଦୋଷୀ ପ୍ରେମିକକୁ ଭାରତକୁ ପ୍ରତ୍ୟାର୍ପଣ କରିଛି ବ୍ରିଟେନ୍ । ଏବେ ସୁରତର ଲାଜପୁର ସେଣ୍ଟ୍ରାଲ ଜେଲରେ ଅବଶିଷ୍ଟ ସଜା କାଟିବ ଅଭିଯୁକ୍ତ । ହତ୍ୟା ଅଭିଯୁକ୍ତକୁ ପ୍ରତ୍ୟାର୍ପଣ ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି ।
୨୦୨୦ ମସିହାରେ ଗୁଜରାଟ ବାଲସାଦ୍ ଜିଲ୍ଲା ଅନ୍ତର୍ଗତ ଉମର ଗାଁର ଜିଗୁ କୁମାର ସୋର୍ଥୀ ବ୍ରିଟେନରେ ନିଜ ପ୍ରେମିକାକୁ ହତ୍ୟା କରିଥିଲେ। ଉଭୟ ବିବାହ କରିବାକୁ ପ୍ରସ୍ତୁତ ଥିଲେ । ହେଲେ ଜିଗୁ କୁମାର ସୋର୍ଥୀ ପ୍ରାୟ ସବୁ ସମୟରେ ଗଣ୍ଡଗୋଳ କରୁଥିବାରୁ ବିବାହ ପାଇଁ ରାଜି ହୋଇନଥିଲେ ପ୍ରେମିକା । ଶେଷରେ ରାଗରେ ଛୁରୀ ଭୁସି ହତ୍ୟା କରିବା ପରେ ଆତ୍ମସମର୍ପଣ କରିଥିଲା ଜିଗୁ।
ଏହି ମାମଲାରେ ଅଭିଯୁକ୍ତକୁ ୨୮ ବର୍ଷ ଦଣ୍ଡାଦେଶ ହୋଇଥିଲା । ସେବେଠୁ ଜିଗୁ ବ୍ରିଟେନ ଜେଲରେ ରହିଥିଲେ । ଏହାରି ଭିତରେ ପୁଅକୁ ଭାରତ ପ୍ରତ୍ୟାର୍ପଣ କରିବାକୁ ତାର ବାପାମାଆ ଅନୁରୋଧ କରିଥିଲେ ।
ଉଭୟ ଦେଶର ଦୂତାବାସର ନିଷ୍ପତ୍ତି କ୍ରମେ ଅଭିଯୁକ୍ତକୁ ଭାରତରେ ସଜା କାଟିବାକୁ ପ୍ରତ୍ୟାର୍ପଣ ଚୁକ୍ତି ସ୍ୱାକ୍ଷର ହେବାପରେ ତାକୁ ଭାରତ ଫେରାଇ ଅଣାଯାଇଛି । ସୁରଟ୍ ପୁଲିସ ଜିଗୁକୁ ସେଣ୍ଟ୍ରାଲ୍ ଜେଲରେ ରଖିଛି।