Advertisment

ଗୁଣିଗାରେଡି ସନ୍ଦେହରେ ଅମାନବୀୟ କାଣ୍ଡ: ଦମ୍ପତିଙ୍କୁ ଗଛରେ ଓହଳାଇ ନିଧୂର୍ମ ମାଡ଼

ପଡ଼ୋଶୀଙ୍କୁ ଗୁଣିଗାରେଡି କରୁଥିବା ଅଭିଯୋଗରେ ଗ୍ରାମବାସୀ ଏକ ଦମ୍ପତିଙ୍କୁ ଗଛରେ ବାନ୍ଧି ନିର୍ଧୂମ ପିଟିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି

author-image
Niharika Rout
ଅଦ୍ୟତନ ହୋଇଛି
Black Magic

Black Magic

ଗୁଣିଗାରେଡି ସନ୍ଦେହ ନେଲା ଭୟଙ୍କର ରୂପ । ପଡ଼ୋଶୀଙ୍କୁ ଗୁଣିଗାରେଡି କରୁଥିବା ଅଭିଯୋଗରେ ଗ୍ରାମବାସୀ ଏକ ଦମ୍ପତିଙ୍କୁ ଗଛରେ ବାନ୍ଧି ନିର୍ଧୂମ ପିଟିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ଏପରି ଏକ ଅଭାବନୀୟ ଘଟଣା ତେଲେଙ୍ଗାନାର କୋଲକୁର ଜିଲ୍ଲାରେ ଘଟିଛି।

Advertisment

ଗତ ଶନିବାର ଗ୍ରାମବାସୀ ମୁତ୍ତାଙ୍ଗି ୟାଦୈହ ଓ ତାଙ୍କ ପତ୍ନୀ ଅମୃଥାମ୍ମାଙ୍କୁ ପଞ୍ଚାୟତ ଅଫିସକୁ ଡାକିଥିଲେ। ସେମାନେ ସେଠାରେ ପହଞ୍ଚିବାରୁ ଗ୍ରାମବାସୀ ସେମାନଙ୍କ ଉପରେ ପଡ଼ୋଶୀଙ୍କୁ ଗୁଣିଗାରେଡି କରୁଥିବା ଅଭିଯୋଗ କରିଥିଲେ। ଏଥିଯୋଗୁ ସବୁବେଳେ ସେମାନଙ୍କ ଶରୀର ଅସୁସ୍ଥ ରହିଥିବା କହିଥିଲେ। ମାତ୍ର ଦମ୍ପତି ଏହାକୁ ଅସ୍ୱୀକାର କରିଥିଲେ।

ଏଥିରେ ଉତ୍ତ୍ୟକ୍ତ ଗ୍ରାମବାସୀ ସମ୍ପୃକ୍ତ ଦମ୍ପତିଙ୍କୁ ଗାଁ ମଝିରେ ଥିବା ଏକ ଗଛରେ ବାନ୍ଧି ଓହଳାଇ ଦେଇଥିଲେ। ଏହାପରେ ସେମାନେ ଉଭୟଙ୍କୁ ନିର୍ଧୂମ ପିଟିଥିଲେ। ଏହି ଘଟଣା ଯିଏ ବାହାରେ ପ୍ରଘଟ କରିବ ତାର ବି ସମାନ ଅବସ୍ଥା ହେବ ବୋଲି ଧମକ ଦେଇଥିଲେ । ଫଳରେ ସମସ୍ତେ ଏପରି ଅମାନବୀୟ କାଣ୍ଡର ମୁକ ସାକ୍ଷୀ ପାଲଟିଥିଲେ ବି କେହି ପାଟି ଫିଟାଉ ନ ଥିଲେ।

Advertisment

ମାତ୍ର କୌଣସି ସୂତ୍ରରୁ ଖବର ପାଇ ପୁଲିସ୍‌ ସେଠାରେ ପହଞ୍ଚି ଉଭୟ ଦମ୍ପତିଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଡିସଜାର୍ଚ କରାଯାଇଛି। ସ୍ଥିତି ଶାନ୍ତ ନ ହେବା ଯାଏ ପୁଲିସ୍‌ ସେମାନଙ୍କୁ ଗାଁକୁ ଫେରିବାକୁ ବାରଣ କରିଛି। ଫଳରେ ସେମାନେ ନିଜ ୨ ଝିଅଙ୍କ ସହ ଅନ୍ୟ ଏକ ଗାଁରେ ଆଶ୍ରୟ ନେଇଛନ୍ତି।

ଏନେଇ ମୁତ୍ତାଙ୍ଗି ୟାଦୈହ ଓ ତାଙ୍କ ପତ୍ନୀ କହିଛନ୍ତି, ଆମେ ଗୁଣିଗାରେଡି ସମ୍ପର୍କରେ କିଛି ଜାଣିନୁ । ଆମ ଉପରେ ମିଥ୍ୟା ଆରୋପ ଲଗାଇ ଅକଥନୀୟ ନିର୍ଯାତନା ଦିଆଯାଇଛି। ଆମେ ନିଜ ଘର, ଜମି ସବୁ ଛାଡ଼ି ଦେଇଥିବା ବେଳେ ପୁଣି କେବେ ଫେରି ପାଇବୁ ଜାଣିନୁ।

ପୁଲିସ୍‌ ଏହି ଘଟଣାରେ ପୀଡ଼ିତ ଦମ୍ପତିଙ୍କ ୮ ପଡ଼ୋଶୀଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Telengana Black Magic Torture;