Advertisment

ସାମ୍ନାକୁ ଆସିଲା ଆହୁରି ୩୬୩ଟି କରୋନା ମାମଲା, ଜାଣନ୍ତୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କେତେ ହେଲା

କେରଳରେ ସବୁଠୁ ଅଧିକ ବ୍ୟାପିଛି କରୋନା। ଏବେ ସେଠାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୦୦ ରହିଛି।

author-image
Jitendra Garnayak
Covid Test

Covid Test

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଆହୁରି ୩୬୩ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହା ସହିତ ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୫୮କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ କରୋନାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ରବିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରୁ ଦୁଇ ଜଣ ପଶ୍ଚିମବଙ୍ଗର ହୋଇଥିବା ବେଳେ କେରଳ ଓ କର୍ଣ୍ଣାଟକାରୁ ଜଣେ ଲେଖାଏଁ ଅଛନ୍ତି। ଯେଉଁ ୩୬୩ଟି ନୂଆ ମାମଲା ସାମ୍ନାକୁ ଆସିଛି, ସେଥିରୁ ୮୨ଟି ପଶ୍ଚିମବଙ୍ଗର, ୬୪ଟି କେରଳର, ୬୧ଟି ଦିଲ୍ଲୀର ଓ ୫୫ଟି ଗୁଜରାଟର।

Advertisment

କେରଳରେ ସବୁଠୁ ଅଧିକ ବ୍ୟାପିଛି କରୋନା। ଏବେ ସେଠାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୦୦ ରହିଛି। ସେହିପରି ମୁମ୍ବାଇରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮୫ ଥିବା ବେଳେ ଦିଲ୍ଲୀରେ ୪୩୬, ଗୁଜରାଟରେ ୩୨୦ ଓ ପଶ୍ଚିମବଙ୍ଗରେ ୨୮୭ ରହିଛି। ଅନ୍ୟାନ୍ୟ ରାଜ୍ୟରେ ବି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। କର୍ଣ୍ଣାଟକାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮କୁ ବୃଦ୍ଧି ପାଇଥିବା ବେଳେ ତାମିଲନାଡୁରେ ୧୯୯, ଉତ୍ତର ପ୍ରଦେଶରେ ୧୪୭ ଓ ରାଜସ୍ଥାନରେ ୬୨କୁ ବଢ଼ିଛି। ଓଡ଼ିଶାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି।

ମେ’ ୨୨ରେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୫୭ ଥିବା ବେଳେ ମେ’ ୨୬ ତାରିଖରେ ଏହା ୧୦୧୦କୁ ବୃଦ୍ଧି ପାଇଥିଲା। ଆଉ ଶନିବାର (ଗତକାଲି) ଏହା ତିନି ଗୁଣା ବୃଦ୍ଧି ପାଇ ୩୩୯୫ରେ ପହଞ୍ଚିଥିଲା।

Advertisment

ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ଆଇସିଏମ୍‌ଆରର ମହାନିର୍ଦ୍ଦେଶକ ଡାକ୍ତର ରାଜୀବ ବେହଲ କହିଛନ୍ତି ଯେ ଦେଶର ପଶ୍ଚିମ ଓ ଦକ୍ଷିଣ ଭାଗରୁ ସଂଗୃହୀତ ନମୂନାର ଜେନମ ସିକ୍ୱେନସିଂରୁ ଜଣାପଡ଼ିଛି ଯେ ଓମିକ୍ରୋନର ସବ୍‌ଭ୍ୟାରିୟାଣ୍ଟରୁ ଏବେ ସଂକ୍ରମଣ ବ୍ୟାପୁଛି। ବର୍ତ୍ତମାନ ସ୍ଥିତି ଉପରେ ନଜର ରଖାଯାଇଛି। ଏବେ ଚିନ୍ତାର କିଛି ବିଷୟ ନାହିଁ। ପୂର୍ବରୁ ଦୁଇ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦ୍ୱିଗୁଣା ହୋଇଯାଉଥିଲା। କିନ୍ତୁ ଏଥର ସେମିତି ଦେଖାଯାଇ ନାହିଁ।

Covid19