Corona
ଗତ ୨୪ ଘଣ୍ଟାରେ ଦେଶରେ ୩୯୧ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହା ସହିତ ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୫କୁ ବୃଦ୍ଧି ପାଇଛି। ରବିବାର ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
କରୋନାର ୩୯୧ଟି ନୂଆ ମାମଲା ମଧ୍ୟରୁ କେରଳର ସର୍ବାଧିକ ୧୨୭ଟି ରହିଛି। ଏହା ପଛକୁ ରହିଛି ଗୁଜରାଟ। ସେଠାରୁ ୧୦୨ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଦିଲ୍ଲୀରୁ ୭୩ ଓ ପଶ୍ଚିମବଙ୍ଗରୁ ୨୬ ଜଣ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସାରା ଦେଶରେ ଡାକ୍ତରଖାନାଗୁଡ଼ିକର ପ୍ରସ୍ତୁତି ପରଖିବା ପାଇଁ କେନ୍ଦ୍ର ସରକାର ମକ୍ ଡ୍ରିଲ୍ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ମିଜୋରାମ ଓ ତ୍ରିପୁରାରେ ଗତ ୨୪ ଘଣ୍ଟାରେ କରୋନାର ଗୋଟିଏ ବି ନୂଆ ମାମଲା ଦେଖିବାକୁ ମିଳିନାହିଁ।
ନୂଆ ମାମଲା ଆସିବା ସହିତ ଗତ ୨୪ ଘଣ୍ଟାରେ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। କେରଳ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର ଓ ତାମିଲନାଡୁରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
କେରଳର ଯେଉଁ ବ୍ୟକ୍ତି ଜଣଙ୍କ ପ୍ରାଣ ହରାଇଛନ୍ତି ସେ ଫୁସ୍ଫୁସ୍ କ୍ୟାନସରରେ ପୀଡ଼ିତ ଥିଲେ। ସେ ଫୁସ୍ଫୁସ୍ କ୍ୟାନସରର ଷ୍ଟେଜ ୪ରେ ପହଞ୍ଚି ସାରିଥିଲେ। ତେବେ ତା’ ଭିତରେ କରୋନାରେ ଆକ୍ରାନ୍ତ ହେବାରୁ ତାଙ୍କ ଅବସ୍ଥା ଜଟିଳ ହୋଇଯାଇଥିଲା। ମଧ୍ୟ ପ୍ରଦେଶରେ ଯାହାଙ୍କର ମୃତ୍ୟୁ ଘଟିଛି, ସେ ଜଣେ ମହିଳା ଥିଲେ। ତାଙ୍କୁ ୪୫ ବର୍ଷ ହୋଇଥିଲା। ସେ ୯ ମାସର ଗର୍ଭବତୀ ମଧ୍ୟ ଥିଲେ।
ମହାରାଷ୍ଟ୍ରରେ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି, ତାଙ୍କୁ ୬୩ ବର୍ଷ ହୋଇଥିଲା। ପୂର୍ବରୁ ତାଙ୍କର ଥାଇରଏଡ୍ ଜନିତ ସମସ୍ୟା ମଧ୍ୟ ରହିଥିଲା। ତାମିଲନାଡୁରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ୭୯ ବର୍ଷ ହୋଇଥିଲା। ସେ ମଧୁମେହରେ ପୀଡ଼ିତ ଥିଲେ। ମାସେ ହେଲାଣି ସେ ଶଯ୍ୟାଶାୟୀ ମଧ୍ୟ ଥିଲେ।
ଚଳିତ ବର୍ଷ ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା କୋଭିଡ୍ ଯୋଗୁ ମହାରାଷ୍ଟ୍ରରେ ସର୍ବାଧିକ ୧୮ ଜଣ ଲୋକଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ କେରଳରେ ୧୨, ଦିଲ୍ଲୀ ଓ କର୍ଣ୍ଣାଟକରେ ୭ ଜଣ ଲେଖାଏ, ତାମିଲନାଡୁରେ ୫ ଏବଂ ଉତ୍ତର ପ୍ରଦେଶ, ପଞ୍ଜାବ, ମଧ୍ୟ ପ୍ରଦେଶ ଓ ଗୁଜରାଟରେ ୨ ଜଣ ଲେଖାଏ ପ୍ରାଣ ହରାଇଛନ୍ତି। ରାଜସ୍ଥାନ ଓ ପଶ୍ଚିମବଙ୍ଗରେ ଏହି ସମୟ ମଧ୍ୟରେ ଜଣେ ଲେଖାଏ କରୋନାରେ ପ୍ରାଣ ହରାଇଛନ୍ତି।
ଚଳିତ ବର୍ଷ ଜାନୁଆରୀ ମାସରୁ ଜୁନ୍ ୮ ତାରିଖ ବା ଆଜି ସୁଦ୍ଧା ୫୪୮୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ଚଳିତ ମାସରଆ ୭୬୦ ଜଣ ସୁସ୍ଥ ହୋଇଛନ୍ତି।
ଓଡ଼ିଶା
ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୭ ଜଣ ନୂଆ କରୋନା ରୋଗୀ। ଏଥିସହ ରାଜ୍ୟର ମୋଟ କୋଭିଡ ପଜିଟିଭ ସଂଖ୍ୟା ୪୫ରେ ପହଞ୍ଚିଛି। ତେବେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇସାରିଲେଣି। ଅର୍ଥାତ୍ ଏବେ ରାଜ୍ୟର ସକ୍ରିୟ କରୋନା ରୋଗୀ ସଂଖ୍ୟା ୩୩ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
