Advertisment

ହାଇଦ୍ରାବାଦ ଦଳାଚକଟା ଘଟଣା: ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ

୪ ଡିସେମ୍ବରରେ ଘଟିଥିବା ଦଳାଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ୧୩ ତାରିଖରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା ହାଇଦ୍ରାବାଦ ପୁଲିସ।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Allu Arjun

Allu Arjun

ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଏହି ଘଟଣାରେ ଅଭିନେତାଙ୍କୁ ଶୁକ୍ରବାର ଦିନ ହାଇଦ୍ରାବାଦ ନାମପଲ୍ଲି କୋର୍ଟରୁ ନିୟମିତ ଜାମିନ ମିଳିଯାଇଛି। ଡିସେମ୍ବର ୪ରେ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨ ଫିଲ୍ମର ପ୍ରିମିୟର ଶୋ' ବେଳେ ଏହି ଅଘଟଣ ଘଟିଥିଲା। ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ନାବାଳକ ପୁଅ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ଅଛି।

Advertisment

ଏହି କାର୍ଯ୍ୟକ୍ରମକୁ ଅଲ୍ଲୁ ଅର୍ଜୁନ ଆସିବେ ବୋଲି ଥିଏଟର ପକ୍ଷରୁ କିମ୍ବା ଅଭିନେତାଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବା ଅଭିଯୋଗ କରିଥିଲା ପୁଲିସ। ଏହି କ୍ରମରେ 'ପୁଷ୍ପାରାଜ'ଙ୍କ ନାଁରେ ମାମଲା ରୁଜୁ କରି ତାଙ୍କୁ ଡିସେମ୍ବର ୧୩ ତାରିଖ ଦିନ ଗିରଫ କରିଥିଲା ହାଇଦ୍ରାବାଦ ପୁଲିସ। ସେହିଦିନ ତାଙ୍କୁ ହାଇଦ୍ରାବାଦ ନାମପଲ୍ଲି କୋର୍ଟରେ ପୁଲିସ ହାଜର କରିଥିବାବେଳେ କୋର୍ଟ ଅଲ୍ଲୁଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଏହାପରେ ସେହିଦିନ ହିଁ ତାଙ୍କୁ ତେଲେଙ୍ଗାନା ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିବା ସହ ନିୟମିତ ଜାମିନ ପାଇଁ ନିମ୍ନ ଅଦାଲତ ଯିବାକୁ ପରାମର୍ଶ ଦେଇଥିଲେ।

ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ପାଲଟିଥିବାବେଳେ ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଥିଲା। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ରାଜ୍ୟ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇ ଅଲ୍ଲୁଙ୍କୁ ସମାଲୋଚନା କରିଥିଲେ। ପୁଲିସର ଅନୁମତି ନମିଳିବା ସତ୍ତ୍ୱେ ସେଠାରେ ଅଭିନେତା ରୋଡ ଶୋ କରିଥିଲେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଏପଟେ ଦଳାଚକଟା ପରେ ଫିଲ୍ମ ସୁପର ହିଟ୍ ହେଲା ବୋଲି ଅଭିନେତା କହିଥିବା ଅଭିଯୋଗ କରିଥିଲେ ଏଆଇଏମ୍ଆଇଏମ୍ ବିଧାୟକ ଅକବରଉଦ୍ଦିନ ଓୱେସି। ଅନ୍ୟପଟେ ଏହି ପ୍ରସଙ୍ଗରେ ବିଜେପି ତେଲଙ୍ଗାନାର କଂଗ୍ରେସ ସରକାରକୁ ସମାଲୋଚନା କରିଥିବାବେଳେ ଅଲ୍ଲୁଙ୍କ ସମ୍ପର୍କୀୟ ତଥା ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଅଭିନେତା ପୱନ କଲ୍ୟାଣ ହାଇଦ୍ରାବାଦ ପୁଲିସର କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରିଥିଲେ।

Advertisment
Allu Arjun Pushpa 2 Hyderabad Stampede Case