/odisha-reporter/media/media_files/2025/10/01/dimple-2025-10-01-13-28-33.jpg)
ଡିମ୍ପଲ (ଫାଇଲ ଫଟୋ)
ରୋଜଗାର ପାଇଁ ଓଡ଼ିଶା(Odisha) ଛାଡ଼ି ହାଇଦ୍ରାବାଦ(Hyderabad) ଯାଇଥିବା ଜଣେ ଯୁବତୀଙ୍କୁ ମିଳିଛି ଭୟଙ୍କର ନିର୍ଯାତନା। ୨୨ ବର୍ଷୀୟ ଓଡ଼ିଆ ଯୁବତୀ ଜଣଙ୍କ ତେଲୁଗୁ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ଡିମ୍ପଲ ହାୟାତିଙ୍କ ଘରେ ଘରୋଇ ସହାୟକ ଭାବେ କରୁଥିଲେ। କିନ୍ତୁ ସେଠାରେ ତାଙ୍କୁ ଅଭିନେତ୍ରୀ ଡିମ୍ପଲ ଓ ତାଙ୍କ ସ୍ୱାମୀ ଡାଭିଡ ଦେଉଥିଲେ ଭୟଙ୍କର ନିର୍ଯାତନା। ତାଙ୍କ ମୋବାଇଲ ଫୋନଙ୍କୁ ମଧ୍ୟ ଡିମ୍ପଲଙ୍କ ସ୍ୱାମୀ ଡାଭିଡ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।
ଓଡ଼ିଆ ଯୁବତୀଙ୍କ ଅଭିଯୋଗ ପରେ ଫିଲ୍ମ ନଗର ପୁଲିସ୍ ଅଭିନେତ୍ରୀ ଡିମ୍ପଲ ଓ ତାଙ୍କ ସ୍ୱାମୀଙ୍କ ବିରୋଧରେ ରୁଜୁ କରିଛି ମାମଲା।
ପୁଲିସ୍ର କହିବା କଥା ଯେ ଅଭିଯୋଗକାରୀ ଜଣଙ୍କ ହେଲେ ପ୍ରିୟଙ୍କା ବିବର। ତାଙ୍କ ଘର ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ। ସେ ସେପ୍ଟେମ୍ବର ୨୨ରେ କାମ ଅନ୍ୱେଷଣରେ ହାଇଦ୍ରାବାଦ ଆସିଥିଲେ। ତାଙ୍କୁ ମ୍ୟାନପାୱର ସଂସ୍ଥା ଶ୍ରୀ ସାଇ ଗୁଡୱିଲ ସର୍ଭିସ ପକ୍ଷରୁ ଘରୋଇ ସହାୟକ ଭାବେ ଅଭିନେତ୍ରୀ ଡିମ୍ପଲଙ୍କ ଘରେ କାମ କରିବାକୁ କୁହାଯାଉଥିଲା। ଓଡ଼ିଆ ଝିଅ ପ୍ରିୟଙ୍କା ମଧ୍ୟ ଶୈକପେଟରେ ଥିବା ଡିମ୍ପଲଙ୍କ ଘରେ କାମ ଆରମ୍ଭ କରିଥିଲେ।
୨୨ ତାରିଖରେ ସବୁ କିଛି ଠିକ ଠାକ ରହିଥିଲା। କିନ୍ତୁ ଏହାପରେ ଅସଲ ରଙ୍ଗ ଦେଖାଇଥିଲେ ଡିମ୍ପଲ ଓ ତାଙ୍କ ସ୍ୱାମୀ। ସେମାନେ ପ୍ରିୟଙ୍କା ବିବରଙ୍କୁ ନିୟମିତ ନିର୍ଯାତନା ଦେବା ସହ ଠିକ ଭାବେ ଖାଇବା ଦେଉ ନଥିଲେ। ସେ ମାତ୍ର ସପ୍ତାହେ ତାଙ୍କ ଘରେ କାମ କରି ଏପରି ସ୍ଥିତିର ସମ୍ମୁଖୀନ ହୋଇଥିବା କହିଛନ୍ତି।
ଫିଲ୍ମ ନଗର ପୁଲିସ ଷ୍ଟେସନରେ ସୋମବାର ରାତିରେ ପ୍ରିୟଙ୍କା ରେକର୍ଡ କରାଇଥିବା ବୟାନରେ କହିଛନ୍ତି ଯେ “ଡିମ୍ପଲ ଓ ଡାଭିଡ ନିୟମିତ ଭାବେ ମୋତେ ନିର୍ଯାତନା ଦେଇଚାଲିଥିଲେ। ମୋ ଜୀବନ ସେମାନଙ୍କ ଜୋତା ସହ ମଧ୍ୟ ସମାନ ନୁହେଁ ବୋଲି କହୁଥିଲେ। ସେମାନେ ନିମୟିତ ଅଭଦ୍ର ଭାଷାରେ ଗାଳି କରୁଥିଲେ।
କିନ୍ତୁ ସୋମବାର ଦମ୍ପତିଙ୍କ ପୋଷା କୁକୁର ସନ୍ଧ୍ୟା ୭.୩୦ରେ ଭୋକିବାରୁ ସ୍ଥିତି ଅଧିକ ଜଟିଳ ହୋଇଥିଲା। ଏହାକୁ ନେଇ ଡିମ୍ପଲ ଓ ଡାଭିଡ ମୋ ଉପରେ ରାଗି ଯାଇଥିଲେ। ସେମାନେ ଅତ୍ୟନ୍ତ ଖରାପ ବ୍ୟବହାର କରୁଥିବାରୁ ମୁଁ ଏହାକୁ ରେକର୍ଡ କରିବାକୁ ଚାହିଁଥିଲି।
ଏହି ସମୟରେ ଡାଭିଡ ମୋ ଠାରୁ ମୋବାଇଲ ଛଡ଼ାଇ ନେଇ ଚଟାଣରେ ଫିଙ୍ଗି ଦେଇଥିଲେ। ଏଥିଯୋଗୁ ମୋ ମୋବାଇଲ ଭାଙ୍ଗି ଚୂରମାର ହୋଇଯାଇଛି। ସେ ମୋତେ ମାରିବାକୁ ମଧ୍ୟ ଚେଷ୍ଟା କରିଥିଲେ। କିନ୍ତୁ ମୁଁ ଫ୍ଲାଟରୁ ଖସି ଆସିବାକୁ ସକ୍ଷମ ହୋଇଥିଲି। ଏହି ସମୟରେ ମୋ ପୋଷାକ ଚିରି ଯାଇଥିଲା।”
ପୀଡ଼ିତାଙ୍କ ଅଭିଯୋଗ ପାଇବା ପରେ ଫିଲ୍ମ ନଗର ପୁଲିସ୍ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି। ସେହିପରି ଡିମ୍ପଲ ଓ ତାଙ୍କ ସ୍ୱାମୀଙ୍କୁ ଥାନାରେ ହାଜର ହେବାକୁ ନୋଟିସ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
