Advertisment

‘ରାଷ୍ଟ୍ରରେ ମୋଦି, ମହାରାଷ୍ଟ୍ରରେ ସିନ୍ଦେ’ ବିଜ୍ଞାପନକୁ ନେଇ ବିଜେପି-ଶିବସେନାରେ ‍ଫାଟ!

ତେବେ ଫଡନାଭିସଙ୍କୁ ବାଇପାସ୍‌ କରି ସିନ୍ଦେଙ୍କୁ ବିଜ୍ଞାପନରେ ପ୍ରଶଂସା କରିବା ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଦୁଇ ଦଳ ଭିତରେ ଏହାକୁ ନେଇ ତିକ୍ତତା ସୃଷ୍ଟି ହୋଇଥିବା କୁହାଯାଉଛି।

author-image
Hemant Lenka
BJP

BJP

ମହାରାଷ୍ଟ୍ରରେ ଏକାଠି ସରକାର ଗଠନ କରିଥିବା ଏକନାଥ ସିନ୍ଦେଙ୍କ ଶିବସେନା ଓ ବିଜେପି ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଶିବସେନା ପକ୍ଷରୁ ଗୋଟିଏ ବିଜ୍ଞାପନ ଦିଆଯାଇଛି। ଏହି ବିଜ୍ଞାପନରେ କୁହାଯାଇଛି ଯେ “ରାଷ୍ଟ୍ରରେ ମୋଦି, ମହାରାଷ୍ଟ୍ରରେ ସିନ୍ଦେ।”

Advertisment

ଏପରି ବିଜ୍ଞାପନ ସମସ୍ତଙ୍କୁ ଚକିତ କରିଛି। କାରଣ ପୂର୍ବରୁ ବିଜେପି ସବୁବେଳେ କହୁଥିଲା ଯେ “ଦିଲ୍ଲୀରେ ନରେନ୍ଦ୍ର ଓ ରାଜ୍ୟରେ ଦେବେନ୍ଦ୍ର।” ତେଣୁ ଏବେ ଶିବସେନା ଦେଇଥିବା ବିଜ୍ଞାପନରେ ଦେବେନ୍ଦ୍ର ଫଡନାଭିସଙ୍କୁ ଅଣଦେଖା କରାଯାଇଛି।

ବିଜ୍ଞାପନରେ ଆହୁରି କୁହାଯାଇଛି ଯେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ତୁଳନାରେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଲୋକପ୍ରିୟତା ଅଧିକ ରହିଛି। ନିକଟରେ ଗୋଟିଏ ଘରୋଇ ଟିଭି ଚ୍ୟାନେଲ ଓ ଏଜେନ୍ସି ପକ୍ଷରୁ କରାଯାଇଥିବା ସର୍ଭେକୁ ଆଧାର କରି ଶିବସେନା ବିଜ୍ଞାପନରେ ଏହାକୁ ସ୍ଥାନ ଦେଇଛି।

Advertisment

ସର୍ଭେ ଅନୁସାରେ, ମହାରାଷ୍ଟ୍ରର ୨୬.୧% ଲୋକ ସିନ୍ଦେଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ବେଳେ ଫଡନାଭିସଙ୍କ ସପକ୍ଷରେ ୨୩.୨% ଲୋକ ମତ ରଖିଥିଲେ।

ଶିବସେନା ବିଜ୍ଞାପନରେ କୁହାଯାଇଛି ଯେ ବିଜେପିର ଲୋକପ୍ରିୟତା ୩୦.୨% ରହିଥିବା ବେଳେ ଶିବସେନାର ଲୋକପ୍ରିୟତା ୧୬.୨% ରହିଛି। ଦୁଇ ଦଳ ମିଳିତ ଭାବେ ୪୬%ରୁ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ସିନ୍ଦେ ଲାଗୁ କରିଥିବା ଜନକଲ୍ୟାଣ ଯୋଜନା ଗୁଡ଼ିକ ପାଇଁ ଲୋକପ୍ରିୟତା ବଢ଼ିଥିବା ବିଜ୍ଞାପନରେ ଦାବି କରାଯାଇଛି।

ତେବେ ଫଡନାଭିସଙ୍କୁ ବାଇପାସ୍‌ କରି ସିନ୍ଦେଙ୍କୁ ବିଜ୍ଞାପନରେ ପ୍ରଶଂସା କରିବା ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଦୁଇ ଦଳ ଭିତରେ ଏହାକୁ ନେଇ ତିକ୍ତତା ସୃଷ୍ଟି ହୋଇଥିବା କୁହାଯାଉଛି।

ଅନ୍ୟପକ୍ଷରେ ଉଦ୍ଧବ ଠାକରେଙ୍କ ଶିବସେନାର ସାଂସଦ ସଞ୍ଜୟ ରାଉତ ଏପରି ବିଜ୍ଞାପନରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବାରୁ ଏହାକୁ ସମାଲୋଚନା କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ “ଏପରି ବିଜ୍ଞାପନ କୋଟିକୋଟି ଟଙ୍କା ଖର୍ଚ୍ଚ କରି ତିଆରି କରାଯାଇଛି। ଏକନାଥ ସିନ୍ଦେ ଶିବସେନା ମୁଖ୍ୟ ବାଲାସାହେବ ଠାକରେଙ୍କୁ ଭୁଲି ଯାଇଛନ୍ତି।

ଆମେ ସେମାନଙ୍କ ଷଡ଼ଯନ୍ତ୍ରକୁ ଭେଦ କରିପାରିଛୁ। ବିଜ୍ଞାପନରୁ ବାଲାସାହେବ ଠାକରେଙ୍କ ଫଟୋ ହଟାଇ ଦିଆଯାଇଛି। ମୋଦି-ଶାହଙ୍କୁ ଏତେ ଭୟ? ବାକି ସବୁ କିଛି ସର୍ଭେ। ଫଡନାଭିସ ହେଉଛନ୍ତି ଆପଣଙ୍କ ପସନ୍ଦର ବିଷୟ।”

ଏନସିପି ପକ୍ଷରୁ ମଧ୍ୟ ବିଜେପିକୁ ତାଚ୍ଛଲ୍ୟ କରାଯାଇଛି। ଯେଉଁମାନେ ଦିନେ ରାଷ୍ଟ୍ରରେ ନରେନ୍ଦ୍ର ଓ ରାଜ୍ୟରେ ଦେବେନ୍ଦ୍ର ବୋଲି ନାରା ଦେଉଥିଲେ ସେମାନେ ଦେବେନ୍ଦ୍ର ଫଡନାଭିସଙ୍କ ବଦଳରେ ଏକନାଥ ସିନ୍ଦେଙ୍କୁ ମୁଖ୍ୟ ଭାବେ ଗ୍ରହଣ କରି ଆଜି ବହୁତ ଦୁଃଖ କରୁଥିବେ ବୋଲି ଏନସିପିର ମୁଖପାତ୍ର କ୍ଲାୟେଡ କ୍ରାଷ୍ଟୋ କହିଛନ୍ତି।

ତେବେ ସିନ୍ଦେ କ୍ୟାମ୍ପର ମୁଖପାତ୍ର ଦୀପକ କେସାରକର କହିଛନ୍ତି ଯେ ମେଣ୍ଟରେ କୌଣସି ଭୁଲ ବୁଝାମଣା ହୋଇନି। ମୁଖ୍ୟମନ୍ତ୍ରୀ ସିନ୍ଦେ ଓ ଉପ ମୁଖ୍ୟମନ୍ତ୍ରୀ ଫଡନାଭିସ ମିଳିତ ଭାବେ କାମ କରୁଛନ୍ତି। ଏହାକୁ ନେଇ କୌଣସି ପ୍ରକାରର ସମସ୍ୟା ନାହିଁ ବୋଲି ସେ କହିଛନ୍ତି।

Bjp Maharashtra Maharashtra Politics