/odisha-reporter/media/post_attachments/uploadimage/library/16_9/16_9_0/IMAGE_1675409620.jpg)
Gautam Adani
ଆଦାନୀ ଗ୍ରୁପ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ୍ ବିରୋଧରେ ଠକେଇ ଅଭିଯୋଗ ଆଣିବା ପରେ ସ୍ଥିତି ସାଂଘାତିକ ହୋଇଛି। ଏହି ରିପୋର୍ଟ ପରେ ଆଦାନୀ ଗ୍ରୁପ୍ର ଶେୟାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ଆଦାନୀ ମଧ୍ୟ ବିଶ୍ୱ ଧନୀ ତାଲିକାର ଟପ୍ ୨୦ରୁ ବାଦ ପଡ଼ିଛନ୍ତି। ଏକଦା ସେ ଧନୀ ତାଲିକାର ୩ନଂ ସ୍ଥାନରେ ଥିଲେ। ରିପୋର୍ଟ ବାହାରିବା ପରେ ସେ ୮ ଲକ୍ଷ କୋଟି ଟଙ୍କାର କ୍ଷତି ସହିଥିବା କୁହାଯାଉଛି।
ଆଦାନୀ ଗ୍ରୁପ୍ ଠକେଇ କରି ନିଜର ଶେୟାର ମୂଲ୍ୟ ବୃଦ୍ଧି କରିଥିବା ରିପୋର୍ଟରେ କୁହାଯାଇଥିବାରୁ ବିରୋଧୀ ଦଳଗୁଡ଼ିକ ବି ସଂସଦରେ ଏହି ପ୍ରସଙ୍ଗ ଉଠାଇ ତଦନ୍ତ ଦାବି କରିଛନ୍ତି। ତେବେ ଏସବୁ ଭିତରେ ହିଣ୍ଡେନବର୍ଗ ରିସର୍ଚ୍ଚ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟରେ ଗୋଟିଏ ଆବେଦନ କରାଯାଇଛି।
ବରିଷ୍ଠ ଆଇନଜୀବୀ ଏମଏଲ ଶର୍ମା ସୁପ୍ରିମକୋର୍ଟରେ ଗୋଟିଏ ଜନସ୍ୱାର୍ଥ ମାମଲା ଦାଏର କରି ଶର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ଓ ଏହାର ପ୍ରତିଷ୍ଠାତା ନାଥନ ଆଣ୍ଡରସନଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛନ୍ତି। ଏହାବାଦ ଆଣ୍ଡରସନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଦାନୀ ଗ୍ରୁପ୍ରେ ନିବେଶ କରି କ୍ଷତି ସହିଥିବା ଲୋକଙ୍କୁ ଆର୍ଥିକ ସହାୟତା ଦେବାକୁ ମଧ୍ୟ ଦାବି କରିଛନ୍ତି।
ପିଟିସନରେ କୁହାଯାଇଛି ଯେ ଆଣ୍ଡରସନ ହେଉଛନ୍ତି ଜଣେ ଶର୍ଟ ସେଲର। ସେ ନିରୀହ ନିବେଶକଙ୍କୁ ଧୋକା ଦେଇଛନ୍ତି। ଆଦାନୀ ଗ୍ରୁପ୍ କମ୍ପାନୀରେ ଅନେକ ଲୋକ ପୁଞ୍ଜି ନିବେଶ କରିଥିଲେ। ହେଲେ ସେମାନଙ୍କୁ ଆଣ୍ଡରସନ ଧୋକା ଦେଇଛନ୍ତି। ତେଣୁ ଆଣ୍ଡରସନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପିଆଇଏଲରେ ଦାବି କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
