Advertisment

ଗିରଫ ହେବେ କି ଗୌତମ ଆଦାନୀ? ଆମେରିକାରେ ଓ୍ୱାରେଣ୍ଟ ଜାରି, ମୋଦିଙ୍କୁ ଘେରିଲେ ବିରୋଧୀ

ଗୌତମ ଆଦାନୀ ଓ ତାଙ୍କ ପୁତୁରା ସାଗର ବିରୋଧରେ ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ ଠକେଇ ଓ ଲାଞ୍ଚ ଦେବା ଅଭିଯୋଗ ଆଣିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Goutam Adani, PM Modi, Jayram Ramesh

Goutam Adani, PM Modi, Jayram Ramesh

ବଢ଼ିଲା ଭାରତର ସବୁଠାରୁ ଧନୀ ତଥା ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ଅଡୁଆ। ତାଙ୍କ ବିରୋଧରେ ଜାରି ହେଲା ଗିରଫ ଓ୍ୱାରେଣ୍ଟ। କେବଳ ସେ ଏକା ନୁହନ୍ତି ତାଙ୍କ ପୁତୁରା ସାଗର ଆଦାନୀ ବିରୋଧରେ ମଧ୍ୟ ଗିରଫ ଓ୍ୱାରେଣ୍ଟ ଜାରି ହୋଇଛି। ଆମେରିକାର ଏକ କୋର୍ଟ ଏହି ଓ୍ୱାରେଣ୍ଟ ଜାରି କରିଛି। ଏହାକୁ ନେଇ ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ବିଜେପିକୁ ଘେରିଛନ୍ତି ବିରୋଧୀ। 

Advertisment

ପ୍ରକୃତରେ ଭାରତର ପ୍ରତିଷ୍ଠିତ ଶୀଳ୍ପପତି ଗୌତମ ଆଦାନୀଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ। ନିଜ କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ହାସଲ କରିବାକୁ  ଗୌତମ, ତାଙ୍କ ପୁତୁରାଙ୍କ ସହ ଅନ୍ୟ ୭ ଜଣ ଲାଞ୍ଚ ଦେଇଥିବା ଅଭିଯୋଗରେ କୁହାଯାଇଛି। ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (ଏସଇସି) ପକ୍ଷରୁ ଏହି ଅଭିଯୋଗ ଆଣିଛି।

ଗୌତମ ଆଦାନୀ, ପୁତୁରା ସାଗର ଆଦାନୀ, ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡର ଅଧିକାରୀଙ୍କ ସମେତ ଏଜ୍ୱୋର ପାୱାର ଗ୍ଳୋବାଲ ଲିମିଟେଡ୍‌ରେ କାର୍ଯ୍ୟକାରୀ ସିରିଜ କାବେନେସ ବିରୋଧରେ ଏ ଅଭିଯୋଗ ଆସିଛି। ଆମେରିକାରେ ଗୌତମ, ପୁତୁରା ସାଗର ନିଜ ରିନ୍ୟୁଏବଲ ଏନର୍ଜି କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ମିଳିବା ଲାଗି ଭାରତୀୟ ସରକାରୀ ଅଧିକାରୀଙ୍କୁ ପାଖାପାଖି ୨୬୫ ନିୟୁତ ଡଲାର (୨୨୩୬ କୋଟି ଟଙ୍କା) ଲାଞ୍ଚ ଦେଇଛନ୍ତି।

Advertisment

୨୦୨୦ରୁ ୨୦୨୪ ମଧ୍ୟରେ ଏହି ଲାଞ୍ଚ ଦିଆଯାଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି। କଣ୍ଟ୍ରାକ୍ଟ ଜରିଆରେ ୨୦ ବର୍ଷ ଭିତରେ ଆଦାନୀ ଗ୍ରୁପକୁ ୨ ଆରବ ଡଲାରର ଲାଭ ହେବ ବୋଲି ଆକଳନ କରାଯାଇଛି। ଲାଞ୍ଚ ଦେବା ଏବଂ ଏହାକୁ ଲୁଚାଇବା ନେଇ ଦୁଇଟି ଅଭିଯୋଗ ଆଣିଛି ଆମେରିକାର ଏସ୍‌ଇସି। ଏହାକୁ ନେଇ ଆମେରିକାର ଏକ କୋର୍ଟରେ ଶୁଣାଣି ହୋଇଛି। ଏହାପରେ ଉଭୟ ଗୌତମ ଆଦାନୀ ଓ ତାଙ୍କ ପୁତୁରାଙ୍କ ବିରୋଧରେ ଗିରଫ ଓ୍ୱାରେଣ୍ଟ ଜାରି କରାଯାଇଛି।

ସେପଟେ ଆଦାନୀ ବିରୋଧରେ ଆମେରିକାର ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ଭାରତରେ ରାଜନୀତି ଜୋର ଧରିଛି। ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ। ଆମେରିକାର ଅଭିଯୋଗ ପରେ ଘଟଣାର ଜଏଣ୍ଟ ପାର୍ଲାମେଣ୍ଟାରି କମିଟି (ଜେପିସି) ତଦନ୍ତ କରୁ ବୋଲି ଦାବି କରିଛି କଂଗ୍ରେସ।

ସେହିପରି ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ପ୍ରିୟ ବ୍ୟବସାୟୀଙ୍କ ଭିତରେ ଭିତିରି ମେଣ୍ଟ ଚାଲିଛି, ଆଦାନୀ ଗ୍ରୁପର ବେଆଇନ ବ୍ୟବସାୟର ତଦନ୍ତ କରାଯାଉ ବୋଲି ୨୦୨୩ରୁ ବିପକ୍ଷ ଦାବି କରି ଆସୁଛି ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି।

ସେପଟେ ଶିବସେନା(ୟୁବିଟି) ନେତା ସଞ୍ଜୟ ସଞ୍ଜୟ ରାଉତ କହିଛନ୍ତି, 'ଆମେରିକା ସରକାର ଗୌତମ ଆଦାନୀଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଏହା ଦେଶ ପାଇଁ ଲଜ୍ଜାଜନକ ବିଷୟ। ଆଦାନୀଙ୍କ ପାଇଁ ମୋଦି ଜୀ ଦେଶ ଉପରେ ଦାଗ ଲଗାଇଛନ୍ତି। ଆମେ ଦେଶକୁ ଆଦାନୀ ରାଷ୍ଟ୍ର ହେବାକୁ ଦେବୁ ନାହିଁ।'

ସେପଟେ ବିରୋଧୀଙ୍କ ଅଭିଯୋଗ ଉପରେ ଜବାବ ଦେଇଛି ବିଜେପି। ବିଜେପି ନେତା ଅମିତ ମାଲବ୍ୟ କହିଛନ୍ତି, 'ଯେ କୌଣସି ପ୍ରତିକ୍ରିୟା ଦେବା ପୂର୍ବରୁ ପଢ଼ିବା ସର୍ବଦା ଭଲ। ଅଯଥାରେ ଉତ୍ସାହିତ ହେବା ଆବଶ୍ୟକ ନୁହେଁ। ଆପଣ ଦର୍ଶାଇଥିବା ଡକ୍ୟୁମେଣ୍ଟରେ ଦର୍ଶାଯାଇଛି ଯେ ଏକ ଦୋଷରେ ଅଭିଯୋଗ ରହିଛି ଏବଂ ଦୋଷ ପ୍ରମାଣିତ ନହେବା ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ନିର୍ଦ୍ଦୋଷ ବୋଲି ଧରାଯାଏ।'

Bjp Congress America PM Modi Goutam Adani Bribery Allegation