Advertisment

ରାହୁଲ ଗାନ୍ଧିଙ୍କ ଦାବି: ଗୌତମ ଆଦାନୀଙ୍କୁ ତୁରନ୍ତ ଗିରଫ କରାଯାଉ

ଭାରତରେ ଆଦାନୀ ଜୀଙ୍କୁ କେହି କିଛି କରିପାରିବେ ନାହିଁ। ୧୦-୧୫ କୋଟି ଟଙ୍କା ଅଭିଯୋଗରେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଏଠି ଗିରଫ କରାଯାଉଛି। କିନ୍ତୁ ଆଦାନୀ ଜୀ ୨ହଜାର କୋଟି ଟଙ୍କାର ଦୁର୍ନୀତି କରିଛନ୍ତି। କାରଣ ପ୍ରଧାନମନ୍ତ୍ରୀ ତାଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ରାହୁଲ ଗାନ୍ଧି କହିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

ଭାରତର କୋଟିପତି ବ୍ୟବସାୟୀ ଗୌତମ ଆଦାନୀଙ୍କ ବିରୋଧରେ ଲାଞ୍ଚ ଓ ଠକେଇ ଅଭିଯୋଗ ଆଣିଛି ଆମେରିକା। ସେ କଣ୍ଟ୍ରାକ୍ଟ ହାସଲ ପାଇଁ ୨୬୫ ମିଲିଅନ୍‌ ଡଲାରର ଲାଞ୍ଚ ଦେଇଥିବା ଅଭିଯୋଗ ଉଠିଛି। ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଦାନୀଙ୍କ ଉପରେ ବର୍ଷିଛନ୍ତି। ତୁରନ୍ତ ତାଙ୍କୁ ଗିରଫ କରାଯାଉ ବୋଲି ରାହୁଲ ଦାବି କରିଛନ୍ତି।

Advertisment

ରାହୁଲ ଗାନ୍ଧି କହିଛନ୍ତି, 'ଆଶ୍ଚର୍ଯ୍ୟ ଲାଗୁଛି ଯେ ଆଦାନୀ କାହିଁକି ଜଣେ ମୁକ୍ତ ମଣିଷ ପରି ଏହି ଦେଶରେ ବୁଲୁଛନ୍ତି? ଏଠି ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ଆଦାନୀ ଜୀ ୨୦୦୦ କୋଟି ଟଙ୍କାର ଦୁର୍ନୀତି କରିଛନ୍ତି ଏବଂ ସମ୍ଭବତଃ ଅନ୍ୟାନ୍ୟ ଦୁର୍ନୀତି ମଧ୍ୟ ଜଡ଼ିତ। କିନ୍ତୁ ସେ ବିନା ଭୟରେ ବୁଲୁଛନ୍ତି। ଆମେ ଏହାକୁ ବାରମ୍ବାର ଦୋହରାଉଛୁ।'

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧି କହିଛନ୍ତି, 'ନରେନ୍ଦ୍ର ମୋଦି ଜୀ ଏହି ସ୍ଲୋଗାନ ଦେଇଥିଲେ ଯେ ହମ୍‌ ଏକ ହୈ ତୋ ସେଫ୍‌ ହୈ। ଏହାର ଅର୍ଥ ଆଦାନୀ ଜୀ ଏବଂ ମୋଦି ଜୀ ଭାରତରେ ସୁରକ୍ଷିତ ଅଛନ୍ତି। ଭାରତରେ ଆଦାନୀ ଜୀଙ୍କୁ କେହି କିଛି କରିପାରିବେ ନାହିଁ। ୧୦-୧୫ କୋଟି ଟଙ୍କା ଅଭିଯୋଗରେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଏଠି ଗିରଫ କରାଯାଉଛି। କିନ୍ତୁ ଆଦାନୀ ଜୀ ୨ହଜାର କୋଟି ଟଙ୍କାର ଦୁର୍ନୀତି କରିଛନ୍ତି। କାରଣ ପ୍ରଧାନମନ୍ତ୍ରୀ ତାଙ୍କୁ ସୁରକ୍ଷା ଦେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆଦାନୀଙ୍କୁ ବଞ୍ଚାଉଛନ୍ତି। ସେ ମଧ୍ୟ ନିଜେ ଦୁର୍ନୀତିରେ ଜଡିତ ଅଛନ୍ତି।

Advertisment

ରାହୁଲ ଗାନ୍ଧି ଆହୁରି କହିଛନ୍ତି, 'ସେ ଆମେରିକାରେ ଅପରାଧ କରିଛନ୍ତି। ସେଠାରେ ୨ ହଜାର କୋଟି ଟଙ୍କାର ଠକେଇ ହୋଇଛି। ଆଦାନୀ ଜୀଙ୍କୁ ଗିରଫ କରାଯିବା ଉଚିତ୍। ମାଧୁରୀ ବୁଚଙ୍କୁ ହଟାଇବା ଉଚିତ ଏବଂ ଯାଞ୍ଚ କରାଯିବା ଉଚିତ୍। ପ୍ରଧାନମନ୍ତ୍ରୀ ଏହି ବ୍ୟକ୍ତିଙ୍କୁ ଶତପ୍ରତିଶତ ବଞ୍ଚାଉଛନ୍ତି। ଏହି ଲୋକମାନେ ବିଜେପିକୁ ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି। ଆମେ JPC ତଦନ୍ତ କରାଯାଉ ବୋଲି ଦାବି କରୁଛୁ।'

କହିରଖୁ ଯେ, ଆଦାନୀଙ୍କ ସମେତ ତାଙ୍କ ପୁତୁରା ସାଗର ଆଦାନୀ, ଆଦାନୀ ଗ୍ରୀନ୍‌ ଏନର୍ଜୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ଓ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିନିଜ ଜୈନ୍‌ଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି। ଜୈନ ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ କମ୍ପାନୀର ସିଇଓ ଥିଲେ। ସେ ନିର୍ଦ୍ଦେଶକ ବୋର୍ଡରେ ପରିଚାଳନା ନିର୍ଦ୍ଦେଶକ ଥିଲେ।

Rahul Gandhi Bribery Allegation America Gautam Adani