ଆସନ୍ତା ମାସ ୮ ତାରିଖରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ହେଲେ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବା ଘଟଣାକୁ ରାଜନୈତିକ ରୂପ ଦେଇଛି କଂଗ୍ରେସ । ଲୋକଙ୍କ ଭାବନା ସହ ଖେଳିବାକୁ ଦିଦି ଏପରି ଡ୍ରାମା ରଚିଥିବା କହିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ।
ଗତ ମଙ୍ଗଳବାର ନିର୍ବାଚନୀ ପ୍ରଚାର ସାରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକତା ଫେରୁଥିଲେ। ମାତ୍ର ସିଲିଗୁଡ଼ି ନିକଟରେ ଖରାପ ପାଗ ଯୋଗୁ ତାଙ୍କ ହେଲିକପ୍ଟରକୁ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ସେତେବେଳେ ମମତା ବାନାର୍ଜୀଙ୍କ ଗୋଡ଼ରେ ଆଘାତ ଲାଗିଥିଲା ଓ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସିନିୟର ଡାକ୍ତରଙ୍କ ଟିମ୍ ତାଙ୍କ ଚିକିତ୍ସା କରିଥିଲେ। ଡାକ୍ତରମାନେ ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେବା ସତ୍ତ୍ୱେ ସେ ଗତ ବୁଧବାର ହସ୍ପିଟାଲରୁ ପଳାଇ ଯାଇଥିବା ଜଣାଯାଇଛି।
ଲୋକଙ୍କୁ ବିଭ୍ରାନ୍ତ କରିବାକୁ ତଥା ସେମାନଙ୍କ ଭାବନା ସହ ଖେଳିବାକୁ ମୁଖ୍ୟମନ୍ତ୍ରୀ ଏପରି ଚାଲ ରଚିଥିବା କହିଛନ୍ତି ଅଧୀର ରଞ୍ଜନ । ସେ କହିଛନ୍ତି, ପୂର୍ବରୁ ମଧ୍ୟ ସମାନ ଘଟଣା ସରିଛି। ପୂର୍ବ ଥର ମଧ୍ୟ ନିର୍ବାଚନ ଆଗରୁ ଦିଦିଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ମାତ୍ର ନିର୍ବାଚନ ଫଳାଫଳ ବାହାରିବା ପରେ ସେ ନିଜ ଗୋଡ଼ରେ ଛିଡ଼ା ହେବାକୁ ସକ୍ଷମ ହୋଇ ପାରିଥିଲେ।
ଏହି ଘଟଣାକୁ ନେଇ ଟିଏମସିର କିଛି ପ୍ରତିକ୍ରିୟା ମିଳିପାରିନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।