Advertisment

ଲାଲକୃଷ୍ଣ ଆଡ଼ଭାନୀ ଡାକ୍ତରଖାନାରେ ଭର୍ତ୍ତି

ଗତ ଜୁଲାଇ ମାସରେ ମଧ୍ୟ ଆଡ଼ଭାନୀଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା।

ଅଦ୍ୟତନ ହୋଇଛି
LK Advani

LK Advani

Advertisment

ବର୍ଷୀୟାନ ବିଜେପି ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ଆପୋଲୋ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

କିଛି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ୯୭ ବର୍ଷୀୟ ଆଡ଼ଭାନୀଙ୍କୁ ଦୁଇ ଦିନ ପୂର୍ବରୁ ଡାକ୍ତରଖାନାକୁ ରୁଟିନ୍ ଚେକ୍‌ ଅପ୍ ପାଇଁ ଅଣାଯାଇଥିଲା। କିନ୍ତୁ ଗତକାଲି ରାତିରେ ପୁଣି ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା ଓ ସେଠାରେ ତାଙ୍କୁ ଭର୍ତ୍ତି କରାଯାଇଛି। ନ୍ୟୁରୋଲୋଜି ବିଭାଗର ବରିଷ୍ଠ ଡାକ୍ତର ବିନୀତ ସୂରୀଙ୍କ ତତ୍ତ୍ୱାବଧାନରେ ତାଙ୍କ ଚିକିତ୍ସା ଚାଲିଛି। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ଗତ ଜୁଲାଇ ମାସରୁ ଏପର୍ଯ୍ୟନ୍ତ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ୪ ଥର ଡାକ୍ତରଖାନାରେ ଭର୍ତ୍ତି କରାଗଲାଣି। ଗତ ଜୁଲାଇ ମାସରେ ଆଡ଼ଭାନୀଙ୍କୁ ଆପୋଲୋ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ କିଛି ଦିନ ରହିଥିଲେ। ବାର୍ଦ୍ଧକ୍ୟ ଜନିତ କିଛି ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇଥିଲା।

Advertisment

ସେହିପରି ଗତ ଅଗଷ୍ଟ ମାସରେ ତାଙ୍କୁ ପୁଣି ଥରେ ଆପୋଲୋ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଏକେଧିକ ରୁଟିନ ଟେଷ୍ଟ ଓ ଯାଞ୍ଚ ପରେ ତାଙ୍କୁ ଡିସ୍‌ଚାର୍ଜ କରିଦିଆଯାଇଥିଲା।    

ଚଳିତ ବର୍ଷ ପ୍ରାରମ୍ଭରେ ତାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ତେବେ ଗୋଟିଏ ରାତି ରଖାଯାଇ ତାଙ୍କୁ ଡିସଚାର୍ଜ କରିଦିଆଯାଇଥିଲା।  

ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରରେ ଆଡ଼ଭାନୀ ଉପ-ପ୍ରଧାନମନ୍ତ୍ରୀ ସହିତ ସ୍ୱରାଷ୍ଟ୍ର ମନ୍ତ୍ରୀ ଥିଲେ। ୨୦୦୯ ଲୋକସଭା ନିର୍ବାଚନରେ ସେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଥିଲେ। ଚଳିତ ବର୍ଷ ତାଙ୍କୁ ଦେଶର ସର୍ବୋଚ୍ଚ ବେସମାରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା।

LK Advani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe