/odisha-reporter/media/post_attachments/uploadimage/library/16_9/16_9_0/IMAGE_1750763043.jpg)
Rene Joshilda
ଗୁଜରାଟର ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ ଓ ଆହୁରି ୧୧ଟି ରାଜ୍ୟର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ କରିବା ନେଇ ଆସିଥିବା ଧମକପୂର୍ଣ୍ଣ ଇ-ମେଲଗୁଡ଼ିକର ତଦନ୍ତ କରୁଥିବା ଟିମ୍ ଜଣେ ଯୁବତୀଙ୍କୁ ଗିରଫ କରିଛି। ତାଙ୍କ ନାଁ ରେନେ ଜୋଶିଲ୍ଡା। ସେ ଜଣେ ଇଞ୍ଜିନିୟର। ସେ ୨୦୨୨ରୁ ଚେନ୍ନାଇରେ ଏକ ମଲ୍ଟୀ ନ୍ୟାଶନାଲ କମ୍ପାନୀରେ ସିନିୟର କନ୍ସଲ୍ଟାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି।
ଦିବିଜ ପ୍ରଭାକର ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ ରେନେ ଜୋଶିଲ୍ଡା। ତାଙ୍କୁ ବାହା ହେବାକୁ ସେ ଦେଖୁଥିଲେ ସ୍ୱପ୍ନ। ହେଲେ ଦିବିଜ ପ୍ରଭାକର ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ଓ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କଲେ। ଫଳରେ ଏକ ତରଫା ପ୍ରେମ କରୁଥିବା ରେନେ ଜୋଶିଲ୍ଡା ପ୍ରତିଶୋଧ ପରାୟଣ ହୋଇଗଲେ। ଦିବିଜ ପ୍ରଭାକରଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଓ ତାଙ୍କ ଜୀବନକୁ ନର୍କରେ ପରିଣତ କରିଦେବା ପାଇଁ ସେ ତାଙ୍କରି (ଦିବିଜଙ୍କ) ନାଁରେ ମିଛ ମେଲ୍ ଆଇଡି ଖୋଲି ୧୨ଟି ରାଜ୍ୟର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ କରିବା ନେଇ ଧମକପୂର୍ଣ୍ଣ ଇ-ମେଲ ପଠାଇଥିଲେ। ସେ ଭାବିଥିଲେ ତାଙ୍କର ଏହି ଚକ୍ରବ୍ୟୁହରେ ଦିବିଜ ଫସିଯିବେ। ତାଙ୍କୁ ପୁଲିସ ଗିରଫ କରି ଜେଲ୍ ପଠାଇବ ଓ କୋର୍ଟରେ ତାଙ୍କୁ କଡ଼ା ଦଣ୍ଡ ମିଳିବ। ହେଲେ ତାଙ୍କର ସବୁ ଯୋଜନାକୁ ପଣ୍ଡ କରି ଦେଲା ଅହମଦାବାଦ ସାଇବର କ୍ରାଇମବ୍ରାଞ୍ଜ।
ବହୁତ ଛାନଭିନ କରିବା ପରେ ଅହମଦାବାଦ ସାଇବର କ୍ରାଇମବ୍ରାଞ୍ଚ ରେନେ ଜୋଶିଲ୍ଡାଙ୍କୁ ସୋମବାର ଚେନ୍ନାଇରୁ ଗିରଫ କରିଛି।
ଜଏଣ୍ଟ ପୁଲିସ କମିଶନର (କ୍ରାଇମ) ଶରଦ ସିଂଘଲ କହିଛନ୍ତି ଯେ ରେନେ ଜୋଶିଲ୍ଡା ଅନେକ ଇମେଲ ଆଇଡି ତିଆରି କରିଥିଲେ। ସେଥିରୁ କିଛି ଦିବିଜ ପ୍ରଭାକରଙ୍କ ନାଁରେ ଥିଲା, ଯାହାଙ୍କୁ ସେ ବିବାହ କରିବାକୁ ଚାହୁଁଥିଲେ। ରେନେ ଜୋଶିଲ୍ଡା ଚେନ୍ନାଇରେ ତାଙ୍କର ଇଞ୍ଜିନିୟରିଂ କରିଛନ୍ତି। ପରେ ସେ ରୋବୋଟିକ୍ସ ଉପରେ ଏକ କୋର୍ସ ମଧ୍ୟ କରିଛନ୍ତି। ସେ ଦିବିଜ ପ୍ରଭାକରଙ୍କୁ ଭଲ ପାଉଥିଲେ ଓ ବାହା ହେବାକୁ ଚାହୁଁଥିଲେ। ତେବେ ଏହା ଏକପାଖିଆ ପ୍ରେମ ଥିଲା। ତାଙ୍କର ସବୁ ସ୍ୱପ୍ନ ସେତେବେଳେ ଚୁରମାର ହୋଇଗଲା, ଯେତେବେଳେ ଗତ ଫେବ୍ରୁଆରୀ ମାସରେ ଦିବିଜ ପ୍ରଭାକର ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କଲେ। ତା’ପରେ ପ୍ରତିଶୋଧ ପରାୟଣ ହୋଇଯାଇଥିଲେ ରେନେ ଜୋଶିଲ୍ଡା।
ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ରେନେ ଜୋଶିଲ୍ଡା ୧୧ଟି ଧମକପୂର୍ଣ୍ଣ ଇ-ମେଲ୍ ପଠାଇଥିଲେ। ସେଥିରୁ ଗୋଟିଏରେ ଲେଖା ହୋଇଥିଲା, ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସଫଳତାର ସହିତ ବୋମା ଖଞ୍ଜା ଯାଇଛି। ଯଦି ପାରିବ, ତା’ହେଲେ ଷ୍ଟାଡିୟମକୁ ରକ୍ଷା କର।
ଏହା ସହିତ ଅହମଦାବାଦର ଜେନେଭା ଲିବେରାଲ ସ୍କୁଲକୁ ୪ଟି, ଦିବ୍ୟଜ୍ୟୋତି ସ୍କୁଲକୁ ୩ଟି ଓ ବିଜେ ମେଡିକାଲ କଲେଜକୁ ଗୋଟିଏ ଧମକପୂର୍ଣ୍ଣ ଇମେଲ ଆସିଥିଲା। ଏସବୁ ସ୍ଥାନକୁ ବୋମାରେ ଉଡ଼ାଇ ଦେବାକୁ ଦିଆଯାଇଥିଲା ଧମକ। ସେହିପରି ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ଦିଲ୍ଲୀ, କର୍ଣ୍ଣାଟକା, କେରଳ, ବିହାର, ତେଲଙ୍ଗାନା, ପଞ୍ଜାବ, ମଧ୍ୟ ପ୍ରଦେଶ ଓ ହରିୟାଣାର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ କରିବାକୁ ରେନେ ଜୋଶିଲ୍ଡା ଧମକପୂର୍ଣ୍ଣ ଇ-ମେଲ ପଠାଇଥିଲେ। ଏସବୁ ରାଜ୍ୟର ପୁଲିସ୍ ଅହମଦାବାଦ ସାଇବର କ୍ରାଇମ ଟିମ୍ ସହିତ ଯୋଗାଯୋଗ ରଖି ତଦନ୍ତରେ ସହାୟତା କରିଥିଲେ ଓ ଶେଷରେ ରେନେ ଜୋଶିଲ୍ଡା ଗିରଫ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
