Advertisment

BMC Election: ସିନ୍ଦେଙ୍କୁ ଘାରିଛି ଘୋଡ଼ା ବେପାର ଭୟ, ହୋଟେଲ ପରେ ନେଲେ ଏମିତି ପଦକ୍ଷେପ

ବ୍ରିହାନ ମୁମ୍ବାଇ ମହାନଗର ନିଗମ ନିର୍ବାଚନରେ ଜିତିଥିବା ଦଳର ୨୯ ଜଣଙ୍କ ନବନିର୍ବାଚିତ କର୍ପୋରେଟରଙ୍କ ଉପରେ ସିନ୍ଦେଙ୍କ ଭରସା ପାଉନି। ସେମାନେ କାଳେ ଦଳ ବଦଳ କରିଦେବେ, ସେଥିପାଇଁ ସେ ପ୍ରଥମେ ସମସ୍ତଙ୍କୁ ନିର୍ବାଚନ ଜିତିବା କ୍ଷଣୀ ମୁମ୍ବାଇର ଗୋଟିଏ ପଞ୍ଚ ତାରକା ହୋଟେଲକୁ ନେଇ ଯାଇଥିଲେ।

author-image
Hemant Lenka
Shiv-Sena

ଶିବସେନା ମୁଖ୍ୟ ଏକନାଥ ସିନ୍ଦେ

ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର(Maharashtra) ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଘାରିଛି ଘୋଡ଼ା ବେପାର ଭୟ। ନିକଟରେ ଶେଷ ହୋଇଥିବା ମହାରାଷ୍ଟ୍ର ନଗର ନିଗମ ନିର୍ବାଚନ ପରେ ଶିବସେନା(Shiv Sena) ବିଭାଜନ ହେବାର ଆଶଙ୍କା ସିନ୍ଦେଙ୍କ ନିଦ ହଜାଇ ଦେଇଛି।

Advertisment

ବିଶେଷ କରି ବ୍ରିହାନ ମୁମ୍ବାଇ ମହାନଗର ନିଗମ ନିର୍ବାଚନରେ ଜିତିଥିବା ଦଳର ୨୯ ଜଣଙ୍କ ନବନିର୍ବାଚିତ କର୍ପୋରେଟରଙ୍କ ଉପରେ ସିନ୍ଦେଙ୍କ ଭରସା ପାଉନି। ସେମାନେ କାଳେ ଦଳ ବଦଳ କରିଦେବେ, ସେଥିପାଇଁ ସେ ପ୍ରଥମେ ସମସ୍ତଙ୍କୁ ନିର୍ବାଚନ ଜିତିବା କ୍ଷଣୀ ମୁମ୍ବାଇର ଗୋଟିଏ ପଞ୍ଚ ତାରକା ହୋଟେଲକୁ ନେଇ ଯାଇଥିଲେ। ଏବେ ସେ ୨୯ ଜଣ କର୍ପୋରେଟର ଯେମିତି ଦଳ ବଦଳ କରିପାରିବେ ନାହିଁ, ତା’ର ସମସ୍ତ କାଗଜପତ୍ର କାମ ଶେଷ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି।

ସୂତ୍ର ଅନୁସାରେ, ଶିବସେନା କର୍ପୋରେଟରମାନଙ୍କ ନେତା କିଏ ହେବେ, ତାଙ୍କ ନାଁ ଆଜି ଘୋଷଣା ହେବ। ସେହିପରି ସମସ୍ତ ପ୍ରକାରର ବିଭାଜନ ଆଶଙ୍କାକୁ ଦୂର କରିବା ପାଇଁ ସବୁ କାଗଜପତ୍ର କାମ ଆଜି ହିଁ ସିନ୍ଦେ ଶେଷ କରିବାକୁ ଚାହୁଁଛନ୍ତି।

Advertisment

ଯାମିନୀ ଯାଦବ, ତ୍ରିଷ୍ଣା ବିଶ୍ୱାସରାଓ ଓ ଆମୀ ଘୋଲେଙ୍କ ଯୁବ ହୋଇଥିଲେ ହେଁ କର୍ପୋରେଟର ଭାବେ ସେମାନଙ୍କ ଅଭିଜ୍ଞତା ରହିଛି। ତେଣୁ ଏହି ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ ଶିବସେନା କର୍ପୋରେଟରମାନଙ୍କ ନେତା ଭାବେ ଚୟନ କରାଯାଇପାରେ। ଏହାବାଦ ସିନ୍ଦେ ଓ ତାଙ୍କ ଟିମ ବିଏମସି ମେୟର ପଦ ମଧ୍ୟ ବିଜେପି ସହ କଥା ବାର୍ତ୍ତା କରି ନିଜ ପାଖରେ ରଖିବାକୁ ଚାହୁଁଥିବା କୁହାଯାଉଛି। 

୨୦୧୭ ପରେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଏମସି ନିର୍ବାଚନରେ ଦେବେନ୍ଦ୍ର ଫଡାନିଭସଙ୍କ ବିଜେପି ଓ ଏହାର ସହଯୋଗୀ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଯଥାକ୍ରମେ ୮୯ ଓ ୨୯ଟି ଆସନ ଜିତିଛନ୍ତି। ଶରଦ ପାୱାରଙ୍କ ଏନସିପି ସହ ମିଶି ବିଏମସି ନିର୍ବାଚନ ଲଢ଼ୁଥିବା ଠାକରେ ବ୍ରଦର୍ସ ୭୨ଟି ଆସନ ଦଖଲ କରିଛନ୍ତି।

୨୨୭ ଆସନ ବିଶିଷ୍ଟ ବିଏମସିରେ ମେୟର ପଦ ପାଇଁ ୧୧୪ ଜଣ କର୍ପୋରେଟରଙ୍କ ସମର୍ଥନ ଆବଶ୍ୟକ। ବିଜେପି ଓ ଶିବସେନା ପାଖରେ ଏହା ଠାରୁ ଅଧିକ ୪ ଜଣ କର୍ପୋରେଟର ରହିଛନ୍ତି। ତଥାପି ଶିବସେନାକୁ ଘୋଡ଼ା ବେପାର ଭୟ ଘାରିଛି। ଗୋଟିଏ ପଟେ ବିଜେପି ଓ ଶିବସେନା ମେୟର ପଦକୁ ନେଇ ଆଲୋଚନା କରୁଥିବା ବେଳେ ଅନ୍ୟପଟେ ସିନ୍ଦେ ନିଜର କର୍ପୋରେଟରଙ୍କୁ ହୋଟେଲରେ ଲୁଚାଇ ରଖିଛନ୍ତି। 

ବିଏମସି ସବୁବେଳେ ଶିବସେନାର ମେୟର ଦେଖି ଆସିଛି। ଉଦ୍ଧବ ଠାକରେଙ୍କ ଠାରୁ ସିନ୍ଦେ ଅଲଗା ହେବା ପରେ ନିଜକୁ ପ୍ରକୃତ ଶିବସେନାର ସଦସ୍ୟ ବୋଲି କହୁଛନ୍ତି। ଏଥିପାଇଁ ୨୯ଟି ଆସନ ଜିତିବା ସତ୍ତ୍ୱେ ବିଜେପି ଠାରୁ ବିଏମସି ମେୟର ପଦ ଆଣି ନିଜ ଦଳର ଲୋକଙ୍କୁ କରିବାକୁ ଚାହୁଁଛନ୍ତି।

ସେହିପରି ବିଜେପି କେବେ ହେଲେ ବି ତା’ର ସଦସ୍ୟଙ୍କୁ ବିଏମସି ମେୟର କରିପାରି ନାହିଁ। ତେଣୁ ବିଜେପି ମଧ୍ୟ ପ୍ରଥମ ଥର ବିଏମସି ମେୟର ପଦ ନିଜ ପାଖରେ ରଖିବାକୁ ଚାହୁଁଛି। ଏହାକୁ ନେଇ ଦୁଇ ସହଯୋଗୀଙ୍କ ମଧ୍ୟରେ ଟଣାଓଟରା ଚାଲିଛି। 

ବିରୋଧୀଙ୍କ କଥା ବିଚାରକୁ ନେଲେ ଉଦ୍ଧବ ଠାକରେଙ୍କ ଦଳ ୬୫ଟି, ତାଙ୍କ ଭାଇ ରାଜ ଠାକରେଙ୍କ ମହାରାଷ୍ଟ୍ର ନବ ନିର୍ମାଣ ସେନା ୬ଟି ଓ ଶରଦ ପାୱାରଙ୍କ ଏନସିପି କେବଳ ଗୋଟିଏ ଆସନ ଜିତିଛି। ୩ ସହଯୋଗୀଙ୍କ ମୋଟ କର୍ପୋରେଟରଙ୍କ ସଂଖ୍ୟା ୭୨।

ଏହାବାଦ କଂଗ୍ରେସ ୨୪ଟି, ଏଆଇଏମଆଇଏମ ୮ଟି ଓ ସମାଜବାଦୀ ପାର୍ଟି ମଧ୍ୟ ୨ଟି ଆସନ ଜିତିଛି। ତେଣୁ ସବୁ ବିରୋଧୀଙ୍କ କର୍ପୋରେଟରଙ୍କୁ ମିଶାଇଲେ ମଧ୍ୟ ଏହା ୧୦୬ ହେଉଛି। ମ୍ୟାଜିକ ନମ୍ବର ୧୧୪ ଠାରୁ ଏହା ୮ କମ। ଏପରି ସ୍ଥିତିରେ ଘୋଡ଼ା ବେପାରର ଯଥେଷ୍ଟ ଆଶଙ୍କା ରହିଛି। ଖାସ ଏଥିପାଇଁ ସିନ୍ଦେ ସେନା ନିଜର ୨୯ ଜଣ କର୍ପୋରେଟରଙ୍କୁ ହୋଟେଲକୁ ନେଇ ସୁରକ୍ଷିତ ରୋଛି। 

Maharashtra Shiv Sena