Advertisment

କାଲି ସନ୍ଧ୍ୟା ବେଳେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ବିପର୍ଯ୍ୟୟ, ୪୫ ହଜାର ଲୋକ ସ୍ଥାନାନ୍ତର

କଚ୍ଛ ବ୍ୟତୀତ ସୌରାଷ୍ଟ୍ର ଓ ଜାମନଗର ମଧ୍ୟ ବାତ୍ୟା ଦ୍ୱାରା ପ୍ରଭାବିତ ହେବେ। ସ୍ଥିତିକୁ ଦୃଷ୍ଟିରେ ରଖି ଏଯାଏ ଗୁଜରାଟର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରୁ ୪୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

author-image
Hemant Lenka
Cyclone

Cyclone

ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଆସନ୍ତାକାଲି ସନ୍ଧ୍ୟା ବେଳେ ଗୁଜରାଟର କଚ୍ଛ ଜିଲ୍ଲା ଅନ୍ତର୍ଗତ ଜଖୌ ପୋର୍ଟ ନିକଟରେ ଲ୍ୟାଣ୍ତଫଲ କରିବ। ଲ୍ୟାଣ୍ଡଫଲ ବେଳେ ବିପର୍ଯ୍ୟୟ ଅତି ଭୀଷଣ ବାତ୍ୟାର ରୂପରେ ରହିଥିବ। ତେଣୁ ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୫୦ କିମି ବେଗରେ ପବନ ବହିବ। ସେହିପରି ଅତିରୁ ଅତି ପ୍ରବଳ ବର୍ଷାର ମଧ୍ୟ ଆଶଙ୍କା ରହିଛି।

Advertisment

କଚ୍ଛ ବ୍ୟତୀତ ସୌରାଷ୍ଟ୍ର ଓ ଜାମନଗର ମଧ୍ୟ ବାତ୍ୟା ଦ୍ୱାରା ପ୍ରଭାବିତ ହେବେ। ସ୍ଥିତିକୁ ଦୃଷ୍ଟିରେ ରଖି ଏଯାଏ ଗୁଜରାଟର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରୁ ୪୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ୧୮ଟି ଏନଡିଆରଏଫ ଟିମ ମୁତୟନ କରାଯାଇଥିବା ବେଳେ ୧୨ଟି ଷ୍ଟାଣ୍ଡବାଇରେ ରହିଛନ୍ତି। ଏଥିସହ ଏସଡିଆରଏଫ ଓ ବାୟୁସେନା ଠାରୁ ଆରମ୍ଭ କରି ତଟରକ୍ଷୀ ବାହିନୀ ମଧ୍ୟ ହାଇଆଲର୍ଟରେ ଅଛନ୍ତି।

ବାତ୍ୟା ଯୋଗୁ ପ୍ରବଳ ବର୍ଷା ହେବ। ତେଣୁ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ। ଏଥିପାଇଁ ଆର୍ମିକୁ ମଧ୍ୟ ଷ୍ଟାଣ୍ଡବାଇରେ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗ ସୌରାଷ୍ଟ୍ର ଓ କଚ୍ଛ ଜିଲ୍ଲାକୁ ରେର୍ଡ ଆଲର୍ଟ ଜାରି କରିଛି। ଏବେ ଠାରୁ ହିଁ ଉପକୂଳ ବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପବନର ବେଗ ଧୀରେଧୀରେ ବଢ଼ିବା ଆରମ୍ଭ ହୋଇଛି। କାଲି ଠାରୁ ବିଭିନ୍ନ ସ୍ଥାନରେ ବର୍ଷା ମଧ୍ୟ ହେଉଛି।

Advertisment

ସ୍ଥିତିକୁ ଦୃଷ୍ଟିରେ ରଖି ଭୂଜ ଏୟାରପୋର୍ଟ ଟର୍ମିନାଲକୁ ଆସନ୍ତା ୧୬ ତାରିଖ ଯାଏ ବନ୍ଦ କରି ଦିଆଯାଇଛି। ପଶ୍ଚିମ ରେଳବାଇ ୬୯ଟି ଟ୍ରେନକୁ ବାତିଲ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କଚ୍ଛର ହସ୍ପିଟାଲଗୁଡ଼ିକୁ ଯାଇ ସେଠାକାର ସ୍ଥିତି ଯାଞ୍ଚ କରିଛନ୍ତି। ଅକ୍ସିଜେନ ଠାରୁ ଆରମ୍ଭ କରି ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ବେଡ୍‌ ମହଜୁଦ କରି ରଖିବାକୁ କୁହାଯାଇଛି। 

ବାତ୍ୟା ବିପର୍ଯ୍ୟୟ ଗୁଜରାଟରା ଲ୍ୟାଣ୍ଡଫଲ କରିବା ପରେ ଦୁର୍ବଳ ହୋଇଯିବ। କିନ୍ତୁ ଏହାପରେ ରାଜସ୍ଥାନ, ପଞ୍ଜାବ, ହରିଆଣା, ନୂଆଦିଲ୍ଲୀ ଓ ଉତ୍ତରପ୍ରଦେଶରେ ଆସନ୍ତା ୪ ଦିନ ମଧ୍ୟରେ ବର୍ଷା ହେବ। ବାତ୍ୟା ବିପର୍ଯ୍ୟୟ ଅବପାତର ରୂପ ନେଇ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ରାଜସ୍ଥାନ ଉପରେ ଗତି କରିବ। ଏହାପରେ ଉତ୍ତରପୂର୍ବ ରାଜ୍ୟ ଆଡ଼କୁ ମୁହାଁଇବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ପୂର୍ବାନୁମାନ କରିଛି।

ସ୍କାଏମେଟର ଉପ ସଭାପତି ମହେଶ ପାଲାୱଟ କହିଛନ୍ତି, “ଜୁନ ୧୮-୧୯ ବେଳକୁ ଅବପାତ ଦିଲ୍ଲୀ, ପଞ୍ଜାବ, ହରିଆଣା ଓ ଉତ୍ତରପଶ୍ଚିମ ଉତ୍ତର ପ୍ରଦେଶର ନିକଟବର୍ତ୍ତୀ ହେବ। ଫଳରେ ଏହି ସବୁ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ। ସେହିପରି ପବନର ଘଣ୍ଟାପ୍ରତି ବେଗ ୩୦ରୁ ୪୦ କିମି ରହିବ। ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଲେ ଏହା ସାଧାରଣତଃ ଉତ୍ତରପଶ୍ଚିମ ଦିଗରେ ଗିତି କରିଥାଏ।

ଫଳରେ ବର୍ଷାର ପାରିମାଣ ବଢ଼େ। ବିଶେଷ କରି ପୂର୍ବ ଉପକୂଳରେ ବାତ୍ୟାର ପ୍ରଭାବ ଅଧିକ ରୁହେ। ତେବେ ଆରବ ସାଗରେ ସୃଷ୍ଟି ହେଉଥିବା ପାଣିପାଗ ସିଷ୍ଟମ ସାଧାରଣତଃ ୟେମେନ ଓ ଓମାନ ଆଡ଼ା ଯାଇଥାଏ। ଏଥର ବାତ୍ୟା ବିପର୍ଯ୍ୟୟ ପାକିସ୍ତାନ ଓ ଭାରତର ପଶ୍ଚିମ ଭାଗ ଆଡ଼େ ଗତି କରୁଛି।

ଏଥିଯୋଗୁ କେନ୍ଦ୍ରୀୟ ଓ ପୂର୍ବ ପ୍ରାନ୍ତରେ ନିଅଣ୍ଟିଆ ବର୍ଷା ହେବ। କେନ୍ଦ୍ରୀୟ ଓ ପୂର୍ବ ପ୍ରାନ୍ତରେ ଆସନ୍ତା ଗୋଟିଏ ସପ୍ତାହ ଯାଏ ଭଲ ବର୍ଷାର ସମ୍ଭାବନା ନାହିଁ। କିନ୍ତୁ ଦକ୍ଷିଣ ଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ ଭଲ ବର୍ଷା ହେବ।”

Cyclone Disaster Management Cyclone Update